ମୁଖ୍ୟମନ୍ତ୍ରୀ ଆସୁଛନ୍ତି : ବିଶାଖାପାଟଣାରେ କେମିକାଲ୍ ଗ୍ୟାସ ଲିକ ଯୋଗୁଁ ୮ମୃତ, ୫ହଜାରରୁ ଉର୍ଦ୍ଧ୍ଵ ଅସୁସ୍ଥ…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀ ଆଜି ଅଚାନକ ଗସ୍ତରେ ବିଶାଖାପାଟଣା ଆସୁଛନ୍ତି । ବିଶାଖାପାଟଣାରେ ବିଷାକ୍ତ କେମିକାଲ୍ ଗ୍ୟାସ ସକାଳେ ସକାଳେ ଲିକ ଯୋଗୁଁ ୮ଜଣ ମୃତ ଓ ୫ହଜାରରୁ ଉର୍ଦ୍ଧ୍ଵ ଗୁରୁତର ଅସୁସ୍ଥ ହୋଇ କେଜିଏଚ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଶାଖାପାଟଣା ସିମାଞ୍ଚଳ ନିକଟସ୍ଥ ଗୋପାଲପାଟମ ନିକଟରେ ଥିବା ଏକ ଏଲଜି ପଲିମର୍ସ କେମିକାଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ରାତି ୩ଟାରେ ଭୟଙ୍କର ଢଙ୍ଗରେ ଲିକ୍‌ ହୋଇଥିବା ଯୋଗୁଁ ନିକଟସ୍ଥ ଅଞ୍ଚଳରେ ୩ ଘଣ୍ଟା ଭିତରେ ପାଖାପାଖି ହଜାରରୁ ଉର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସକାଳ ସୁଦ୍ଧା ୮ ଜଣ ମୃତ୍ୟୁକୁ ବରଣ କରିଥିବା ଓ ୫ ହଜାରରୁ ଉର୍ଦ୍ଧ୍ଵ ଗୁରୁତର ହୋଇ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେହିପରି ମୃତ୍ୟୁବରଣ କରିଥିବା ୮ ଜଣଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ନାଗରିକ ଓ ଜଣେ ୮ ବର୍ଷୀୟ ଝିଅ ରହିଛନ୍ତି । ଗ୍ୟାସ ଲିକ ଯୋଗୁଁ ଛୋଟ ପିଲା ଓ ବରିଷ୍ଠ ନାଗରିକ ଅଧିକ ସଂଖ୍ୟକରେ ଆକ୍ରାନ୍ତ ହୋଇଛନ୍ତି । ଘଟଣା ପରେ ଆସିଥିବା ସାଂଘାତିକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଛି । ଭିଡିଓଗୁଡ଼ିକରେ ଗ୍ୟାସ ଲିକ ପରେ ଲୋକମାନେ ରାସ୍ତାରେ ପୋକମାଛିଙ୍କ ପରି ଢଳି ପଡୁଥିବା ଦେଖବାକୁ ମିଳୁଛି । କିଏ ନାଳରେ ତ ଆଉ କିଏ ରାସ୍ତା କଡ଼ରେ ଟଳି ପଡିଛି । ରାସ୍ତାରେ ବାଇକ ଯୋଗେ ଆସୁଥିବା ଲୋକମାନେ ମଧ୍ୟ ଗ୍ୟାସ ଯୋଗୁଁ ଟଳି ପଡ଼ିଥିବା ଦେଖିବାକୁ ମିଳିଛି । କିଛି ଗାଈ ଗୋରୁ ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି । କୁକୁରମାନେ ମଧ୍ୟ ରାସ୍ତା ଉପରେ ଟଳି ପଡିଥିବା ବେଳେ ସେମାନଙ୍କ ଶରୀରରେ ରୁମ ଉପୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଗଛର ପତ୍ର ମଧ୍ୟ ଝାଉଁଳି ପଡ଼ିଥିବାରୁ ଗ୍ୟାସ କେତେ ବିଷାକ୍ତ ଏଥିରୁ ଜଣାପଡୁଛି । ଏହି ଖବର ପାଇ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରେଡକ୍ରସକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ତତକ୍ଷଣତ ନିର୍ଦ୍ଦେଶ ଦେଇଛନ୍ତି । ବିଶାଖାପାଟଣା ଜିଲ୍ଲାପାଳ ଭି. ବିନୟ ଚାନ୍ଦ ସଦଳ ବେଳେ ଘଟଣାସ୍ଥଳରେ ଉପସ୍ଥିତ ରହି ନିୟନ୍ତ୍ରଣ କରୁଛନ୍ତି । ସେହିପରି ଭାରତୀୟ ନୌସେନା ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ସମସ୍ତଙ୍କ ସୁରକ୍ଷା କାମନା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବିଶାଖାପାଟଣାରେ ଗୋପାଳପାଟଣା ନିକଟସ୍ଥ ନାଇଡୁ ଥୋଟା ଅନ୍ତର୍ଗତ ଆରଆର ଭେଙ୍କଟପୁରମ ପାଖରେ ଥିବା ଏଲପିଜି ପଲିମରସ ପ୍ଲାଣ୍ଟରୁ ରାତି ୩ଟାରେ ଗ୍ୟାସ ଲିକ ଆରମ୍ଭ ହୋଇଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି । ପ୍ଲାଣ୍ଟର ୫ କିମି ପରିଧି ମଧ୍ୟରେ ଥିବା ଲୋକମାନେ ପ୍ରଭାବିତ ହୋଇଥିବା ଯୋଗୁଁ ବର୍ତ୍ତମାନ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୫ କିଲୋମିଟର ପରିଧି ଭିତରେ କେହି ନ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଖବର ପାଇବା କ୍ଷଣି ଘଟଣାସ୍ଥଳ ପରିଦର୍ଶନ ଓ ଅସୁସ୍ଥ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବାକୁ ଆସୁଛନ୍ତି । ଗ୍ୟାସ ଲିକର ପରିଣାମ ହେଉଛି ଲୋକଙ୍କ ମୁଣ୍ଡ ବିନ୍ଧା, ବାନ୍ତି, ଆଖି ପୋଡ଼ାଜଳା ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଘଟଣାସ୍ଥଳରେ ଟଳି ପଡୁଥିବା ଦେଖିବାକୁ ମିଳୁଛି । ଲୋକମାନଙ୍କୁ ଓଦା ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯିବା ସହ ଘରୁ ନ ବାହାରିବାକୁ କୁହାଯାଇଛି । ଏଥିସହ ଏସି ନ ଚାଲୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବିଶାଖାପାଟଣା ପୌରପାଳିକା ପକ୍ଷରୁ ଗ୍ୟାସ ଲିକକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପାଣି ସ୍ପ୍ରେ କରାଯାଉଥିବା ଦେଖିବାକୁ ମିଳିଛି । ୧୯୬୧ ମସିହାରେ ହିନ୍ଦୁସ୍ତାନ ପଲିମର୍ସ ନାଁରେ ଏହି କମ୍ପାନୀ ପ୍ରତିଷ୍ଠା କରାଯାଇଥିଲା । ୧୯୭୭ରେ ଏହାର ନାଁ ବଦଳାଇ ଏଲଜି ପଲିମର୍ସ ଇନ୍‌ ଇଣ୍ଡିଆ ବୋଲି ରଖାଯାଇଛି । ତେବେ ଏହି ଗ୍ୟାସ ଲିକ ଯୋଗୁଁ ସାରା ସହର ଆତଙ୍କିତ ହୋଇ ଯାଇଛି । 

 ରିପୋର୍ଟ : ବିଶାଖାପାଟଣାରୁ ଏମ.ଭି. ରମଣ, ପ୍ରତାପ କୁମାର ପାଢ଼ୀ ଓ ବ୍ରହ୍ମପୁରରୁ ନିମାଇଁ ଚରଣ ପଣ୍ଡା