ମୁଁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅବସର ପ୍ରାପ୍ତ ହାଇକୋର୍ଟ….

ବିଜୟୱାଡା (ସମୃଦ୍ଧ ଓଡିଶା) ଗତକାଲି ଆନ୍ଧ୍ର ପ୍ରଦେଶ ରାଜ୍ୟରେ ମାଡ୍ରାସ ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ ଭି. କନଗରାଜ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରୂପେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ବିଚାରପତିଙ୍କ ବୟସ ୭୫ ବର୍ଷ ହୋଇଥିବା ବେଳେ ସେ ଗତକାଲି ରାଜ୍ୟପାଳଙ୍କ ନିକଟରେ ତାଙ୍କ ଜଏନିଙ୍ଗ ରିପୋର୍ଟ ଦାଖଲ କରିଛନ୍ତି । ଏଥିପୂର୍ବରୁ କିଛି ମାସ ତଳେ ଜଣେ ଅବସର ପ୍ରାପ୍ତ ଆଇଏଏସ ଅଫିସର ଏନ. ରମେଶ କୁମାରଙ୍କୁ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ଆକ୍ରୋଶ ମୂଳକ ଭାବେ କାର୍ଯ୍ୟକାଳ ନ ପୂରୁଣୁ ତାଙ୍କ ନିଯୁକ୍ତିକୁ ରଦ କରାଯାଇ ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଯାଇଛି । ଏସଂପର୍କରେ ଗତ ଶୁକ୍ରବାର ଦିନ ରାଜ୍ୟପାଳ ଅର୍ଡିନାନ୍ସ ଜାରି କରିଥିଲେ । ସେଥିରେ ସେ ଘୋଷଣା କରିଥିଲେ ଯେ “ମୁଁ ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଘୋଷଣା କରୁଛି ଯେ, ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ଭି. କନଗରାଜଙ୍କୁ ଆନ୍ଧ୍ର ପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ (SEO) ରୂପେ ତିନି ବର୍ଷ ପାଇଁ ନିଯୁକ୍ତି କରୁଛି” । ଏହି ଘଟଣାକୁ ନେଇ ଆନ୍ଧ୍ର ପ୍ରଦେଶର ବିଭିନ୍ନ ରାଜନୈତିକ ଦଳ, ରାଜନୈତିକ ସମୀକ୍ଷକ ପର୍ଯ୍ୟବେକ୍ଷକ ବୁଦ୍ଧିଜୀବୀ ମହଲରେ ସରଗରମ ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଯାଇଛି । ଆନ୍ଧ୍ର ପ୍ରଦେଶ ରାଜ୍ୟ ପଞ୍ଚାୟତରାଜ ନିୟମ ୧୯୯୪, ଧାରା ୨୦୦କୁ ସଂଶୋଧନ କରି ରାଜ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତି ୫ବର୍ଷରୁ ୩ ବର୍ଷକୁ ଖସାଇ ଦେବା ସହ ଜଣେ ଅବସରପ୍ରାପ୍ତ କେବଳ ହାଇକୋର୍ଟ ବିଚାରପତିଙ୍କୁ ଏହି ପଦବୀରେ ନିଯୁକ୍ତି ଦେବା ପାଇଁ ନିର୍ଦ୍ଧାରଣ କରାଯାଇଛି । ତାହା ପୁଣି ଗତ ଶୁକ୍ରବାର ଦିନ ଗୋଟିଏ ଦିନରେ ଏହି ନିର୍ଦ୍ଧାରଣ ରାଜ୍ୟରେ ଥିବା ସରକାର କରିଥିଲେ । ରାଜ୍ୟ ସରକାରଙ୍କ ଏଭଳି ନିର୍ଦ୍ଧାରଣକୁ ରାଜଭବନକୁ ପଠାଇବା ପରେ ରାଜ୍ୟପାଳ ତୁରନ୍ତ ଅନୁମୋଦନ କରି ଗତ ଶୁକ୍ରବାର ୧୦ ତାରିଖରେ ଜଷ୍ଟିସ କନଗରାଜଙ୍କୁ ନିଯୁକ୍ତି କରିଥିଲେ । ଏଭଳି ତର ବରିଆ ଭାବେ ଲକଡାଉନ ସମୟରେ କାହିଁକି ଓ କିପରି କରାଗଲା ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ଦଳମାନଙ୍କର ପ୍ରଶ୍ନବାଚି ସୃଷ୍ଟି ହୋଇଛି । ନିଯୁକ୍ତି ପାଇବା କ୍ଷଣି ଜଷ୍ଟିସ ଭି. କନଗରାଜଙ୍କୁ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟରେ ଏଭଳି ନିଷ୍ପତ୍ତି କେବେ ହୋଇ ନ ଥିଲା । ସବୁ ରାଜ୍ୟରେ ନିର୍ବାଚନ ଆୟୋଗର କାର୍ଯ୍ୟକାଳ ୫ବର୍ଷ ଥିବା ବେଳେ ଏଠାରେ ତାକୁ କୋହଳ କରାଯାଇ ୩ ବର୍ଷ କରାଗଲା ଏବଂ କାର୍ଯ୍ୟକାଳ ପୁରି ନ ଥିବା ରାଜ୍ୟ ନିର୍ବାଚନ ଆୟୋଗ ଅବସରପ୍ରାପ୍ତ ଆଇଏଏସ ଅଫିସର ଏନ. ରମେଶ କୁମାରଙ୍କୁ ବହିଷ୍କାର କରି ତାଙ୍କ ସ୍ଥାନରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦିଆଗଲା । ଏହି ଘଟଣାକୁ ନେଇ ଚାରିଆଡେ ତୁମ୍ବି ତୋଫାନ ଆରମ୍ଭ ହୋଇ ଯାଇଛି । ଖବର ଅନୁଯାୟୀ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଓ ପୌର ପରିଷଦ ନିର୍ବାଚନ ଚଳିତ ମାସରେ ହେବାର ଥିଲା କିନ୍ତୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାର୍ଯ୍ୟକ୍ରମକୁ ନଜର ରଖି ରାଜ୍ୟ ନିର୍ବାଚନ ଆୟୋଗ ଏନ. ରମେଶ କୁମାର ମାର୍ଚ୍ଚ ମାସରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ଥଗିତ କରିଦେଇଥିଲେ । ଅଭିଯୋଗ ଅନୁଯାୟୀ ଏନ. ରମେଶ କୁମାର କୁଆଡେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ଦଳ ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ସମ୍ପର୍କୀୟ ଯୋଗୁଁ ପାର୍ଟି ପ୍ରରୋଚନାରେ ସେ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ କରିବାକୁ ମନ ବଳାଇଥିଲେ । ରାଜ୍ୟରେ ୱାଇଏସଆରସିପି (YSRCP) ଦଳର ସରକାର ଚାଲିଥିବା ବେଳେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଏକମାତ୍ର ପ୍ରତିଦ୍ବନ୍ଦୀ ଜଗନମୋହନ ରେଡ୍ଡୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ରାଜନୈତିକ ଦୃଷ୍ଟି କୋଣରୁ ରମେଶ କୁମାର ଏକ ପାଖିଆ ହୋଇ ଏହା କରିଛନ୍ତି ବୋଲି ଅଭିଯୋଗ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଜ୍ୟପାଳଙ୍କୁ ସାକ୍ଷାତ କରି ସେତେବେଳେ ସ୍ଥଗିତର ପ୍ରତିବାଦ କରିଥିଲେ । କିନ୍ତୁ ଫଳ କିଛି ନ ହେବାରୁ ରାଜ୍ୟ ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କାର୍ଯ୍ୟକ୍ରମ ଯୋଗୁଁ ଦେଶ ଲକଡାଉନରେ ଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟରୁ ମଧ୍ୟ କିଛି ସୁଫଳ ନ ଆସିବାରୁ ସରକାର ରାଜ୍ୟ ପଞ୍ଚାୟତରାଜ ନିୟମ ୧୯୯୪ ଧାରା ୨୦୦କୁ ସଂଶୋଧନ କରି ଏଭଳି କରିଥିବା ଜଣାପଡିଛି । ତେବେ ବିରୋଧୀ ମାନଙ୍କ ଅଭିଯୋଗରୁ ସ୍ପଷ୍ଟ ଜଣାପଡିଛି ଯେ, କିଛି ଦିନ ହେଲା ରାଜ୍ୟ ନିର୍ବାଚନ ଆୟୋଗ ରମେଶ କୁମାରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କ ଭଲ ନ ଥିଲା । ସେଥିପାଇଁ ସେ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ କରିଥିଲେ । ଅନ୍ୟପକ୍ଷରେ ମାର୍ଚ୍ଚ ମାସରେ ନିର୍ବାଚନ ଆଚରଣ ବିଦ୍ଧି ଲାଗୁହେବା ପରେ କୌଣସି ଏକ ପୋଲିସ ଅଫିସର ମୁଖ୍ୟମନ୍ତ୍ରୀଙ୍କୁ ଅବଜ୍ଞା କରିଥିବାରୁ ତାକୁ ସେଠାରୁ ବଦଳି କରିବାକୁ ରମେଶକୁ କହିଥିଲେ । କିନ୍ତୁ ରମେଶ ତାହା କଲେ ନାହିଁ । ସେହିଦିନରୁ ରମେଶଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଇର୍ଷା ବଢି ଯାଇଥିଲା । ଦ୍ଵିତୀୟରେ ନିର୍ବାଚନ ସ୍ଥଗିତ । ତୃତୀୟାରେ ଚନ୍ଦ୍ରବାବୁ ନାଇଡୁଙ୍କ ବଂଶଧର ବୋଲି ଅଭିଯୋଗ । ଏହି ସବୁ କାରଣକୁ ନେଇ ମୁଖ୍ୟମନ୍ତ୍ରୀ ଯେନ କେନ ପ୍ରକାରେଣ ରମେଶଙ୍କୁ ସେହି ପଦବୀରୁ ହଟାଇବା ପାଇଁ ଅଭିଯାନ ଜାରି ରଖିଥିଲେ ବୋଲି କୁହାଯାଏ । ଅନ୍ୟପକ୍ଷରେ ରମେଶ ଭୟଭୀତ ହୋଇ ତାଙ୍କ ଜୀବନ ପ୍ରତି ଓ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଲିଖିତ ଭାବେ ରାଜ୍ୟପାଳ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଜଣାଇଥିଲେ । ଆଉ ମଧ୍ୟ ସରକାରରେ ବିଭିନ୍ନ ଦୁର୍ନୀତି ହେଉଥିବା ଅଭିଯୋଗ କରି କେନ୍ଦ୍ର ଗୃହ ସଚିବଙ୍କୁ ଲିଖିତ ଭାବେ ରମେଶ ଜଣାଇଥିଲେ । ଏହି ସବୁ ଘଟଣାକୁ ନଜରରେ ରଖି ଶୁକ୍ରବାର ଦିନ ରାଜ୍ୟପାଳ ବିଚାର ଆଲୋଚନା କରି ସରକାରଙ୍କ ସୁପାରିଶରେ ରାଜ୍ୟ ପଞ୍ଚାୟତ ନିୟମ ସଂଶୋଧନକୁ ଅନୁମୋଦନ କରିଛନ୍ତି ।

ରିପୋର୍ଟ : ସୁଧୀର ପଟ୍ଟନାୟକ