ମାଣିତରା ଓ ପାଣିକେଶ୍ୱର ବିଦ୍ୟାଳୟରେ ସହଯୋଗ ତାଲିମ ଶିବିର…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଓ ପାଣିକେଶ୍ୱର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୭ ତାରିଖ ଠାରୁ ତିନି ଦିନିଆ ସହଯୋଗ ତାଲିମ ଶିବିର ଆରମ୍ଭ ହୋଇଛି । ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ସହଯୋଗ ତାଲିମ ଶିବିରକୁ ଶିକ୍ଷାବିତ ଅନିଲ କୁମାର ମହାରଣା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଏସଏମସି ଅଧ୍ୟକ୍ଷ ପାଣ୍ଡବ ପ୍ରଧାନ ଓ ଅବସର ପ୍ରାପ୍ତ ଶିକ୍ଷକ ବଂଶୀଧର ରାଉତ ଯୋଗ ଦେଇଥିଲେ । ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ, କେଶବ ଡାକୁଆ ଓ ଖଦାଳ ରାଉତ ଏବଂ ଶିକ୍ଷୟିତ୍ରୀ ସସ୍ମିତା ବେହେରା ଉପସ୍ଥିତ ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା ବୃନ୍ଦଙ୍କୁ ବିଦ୍ୟାଳୟ ପରିଚାଳନା ଉପରେ ଆଧାରିତ ସହଯୋଗ ତାଲିମ ପ୍ରଦାନ ପାଇଁ ନିୟୋଜିତ ହୋଇଛନ୍ତି । ଏପ୍ରିଲ ୭, ୮ ଓ ୯ ତାରିଖ ତିନିଦିନ ଧରି ତାଲିମ କାର୍ଯ୍ୟକ୍ରମ ଚାଲୁ ରହିବ । ସେହିପରି ପାଣିକେଶ୍ୱରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସହଯୋଗ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଠାରେ ମଧ୍ୟ ଏପ୍ରିଲ ୭, ୮ ଓ ୯ ତାରିଖ ତିନିଦିନ ଧରି ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା ମାନଙ୍କୁ ତାଲିମ ପ୍ରଦାନ କରାଯିବ । ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଅତିଥିଭାବେ ଏସଏମସି ଅଧ୍ୟକ୍ଷ ବୁଲୁ ସ୍ଵାଇଁ ଓ ଉପାଧ୍ୟକ୍ଷା ଟୁନି ସ୍ଵାଇଁ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ବସନ୍ତ କୁମାର ନାୟକ ଓ ପ୍ରକାଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ତାଲିମ ପ୍ରଦାନ ପାଇଁ ନିୟୋଜିତ ହୋଇଛନ୍ତି । ଉଭୟ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।