ମାଛ ହାଟ ସ୍ଥାନାନ୍ତର ନେଇ ବିବାଦ : ପୂର୍ବ ସ୍ଥାନକୁ ନ ଫେରେଇବାକୁ ଜିଲାପାଳଙ୍କୁ ନିବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ପୌର ପରିଷଦ ଅଧିନରେ ଦୈନିକ ବଜାରରେ ବସୁଥିବା ମାଛହାଟ ସ୍ଥାନାନ୍ତର ହେବା ପରେ ଆସନ୍ତା ୧ ତାରିଖରେ ପୁଣି ପୂର୍ବସ୍ଥାନକୁ ସ୍ଥାନାନ୍ତର ହେଉଥିବା ଜଣାଯିବା ପରେ ଏହାର ପ୍ରତିବାଦରେ ଆଜି ବାଲେଶ୍ୱର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । କୋଭିଦ୍‌-୧୯ ସଂକ୍ରମଣ ଭୟରେ ଜଳେଶ୍ୱର ପ୍ରଶାସନ ଜଳେଶ୍ୱରର ଦୈନିକ ବଜାରକୁ ସଂପ୍ରସାରଣ କରିଥିଲେ । କିନ୍ତୁ ମାଛ ହାଟର ଭିଡକୁ ଲକ୍ଷ କରି ତାକୁ ବଡବଜାର ଛକ ବଡପୋଲ ନିକଟ ପୁରୁଣା ଟାଉନହଲ ପଡିଆକୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ଷା ଯୋଗୁଁ ଏହି ସ୍ଥାନଟି କର୍ଦ୍ଦମାକ୍ତ ହେଉଥିବାରୁ ଉଭୟେ ଖାଉଟି ଓ ମାଛ ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ଏ ସଂପର୍କରେ ଜଳେଶ୍ୱରର କିଛି ବିଶିଷ୍ଟ ବ୍ୟକ୍ତି, ମାଛ ବ୍ୟବସାୟୀ ଓ ନେତୃସ୍ଥାନୀୟ ବ୍ୟକ୍ତି ମ୍ୟୁୁନିସିପାଲଟି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକଷଣ କରିଥିଲେ । ଗତ ସୋମବାର ବାଲେଶ୍ୱର ଉପଜିଲାପାଳ ତଥା ପୌର ପ୍ରଶାସକ ନିଲୁ ମହାପାତ୍ର ଜଳେଶ୍ୱର ଆସିଥିବା ଅବସରରେ ଜଳେଶ୍ୱରର ମାଛ ବ୍ୟବସାୟୀ ଓ ଅନ୍ୟ କେତେକ ବ୍ୟକ୍ତି ମାଛହାଟ ସ୍ଥାନାନ୍ତର ନେଇ ଆଲୋଚନା କରିଥିଲେ । ଶେଷରେ ଦୈନିକ ବଜାରରେ ସେମାନେ ପୂର୍ବରୁ ବସୁଥିବା ସ୍ଥାନଗୁଡିକରେ ସାମାଜିକ ଦୂରତା ବଜାଇ ରଖି ମାଛ ବିକ୍ରି କରିବା ସିଦ୍ଧାନ୍ତ ହୋଇଥିବା ଜଣାଯାଇଛି । ଆସନ୍ତା ୧ ତାରିଖ ଠାରୁ ମାଛହାଟ ପୂର୍ବସ୍ଥାନକୁ ଯିବାର ଜଣାଯିବା ପରେ ଏହା ଏକ ଆଲୋଚ୍ୟର ବିଷୟ ହୋଇଛି । ଏଥିନେଇ ଜଳେଶ୍ୱର ପୌରାଞ୍ଚାଳର ସିଦ୍ଧେଶ୍ୱର ପଣ୍ଡା, ବନମାଳି ଧଳ, ମାନସ କୁମାର ପାଠୀ, ସୁବ୍ରତ ବେରା, ସୁଶାନ୍ତ ପଣ୍ଡା, ବିଶ୍ୱଜିତ୍ ଧଳ ପ୍ରମୁଖ ଆଜି ମଙ୍ଗଳବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କୋଭିଦ୍‌-୧୯ ସଂକ୍ରମଣ ବଢି ଚାଲିଥିବା ବେଳେ ଗୋଟିଏ ସ୍ଥାନରେ ଦୈନିକ ବଜାର ଓ ମାଛହାଟ ରହିଲେ ଅଧିକ ଭିଡ ହେବାର ସମ୍ଭାବନା ରହିଥିବାରୁ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ମାଛହାଟ ସ୍ଥାନାନ୍ତର ବିପଦ ସୃଷ୍ଟି କରିବ ବୋଲି ସେମାନେ ଚେତାବନୀ ଦିଆଯାଇଥିବା ଜଣାପଡିଛି ।

ରିପୋର୍ଟ : ଭୂପତି କୁମାର ପରିଡା