ମାଁ କାଳୁଆଙ୍କ ଯାତ୍ରା ଉଦଯାପିତ:ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିନ୍ଦୁ ପରମ୍ପରାରେ ଭାଇଚାରା ସହ ସାମାଜିକ ସଂପର୍କକୁ ସୁଦୃଢ ରଖିବାରେ ଅନେକ ପରମ୍ପରା ଓ ସଂସ୍କାରିତ ସଂସ୍କୃତି ରହି ଆସୁଛି । ହିନ୍ଦୁ ପରମ୍ପରା ସଂସ୍କୃତି ସହ ଓଡିଶାର ପରମ୍ପରାର ସମ୍ମିଶ୍ରଣର ଅନୁଭୁତି ଏକ ନିଆରା । ୧୨ ମାସରେ ତେରଯାତ ପାଳନ କରିବାରେ ଓଡିଶାର ସାମାଜିକ ଚାଲିଚଳନରେ କେଉଁ ଯୁଗରୁ ଚାଲି ଆସିଛି । ଗ୍ରାମେ ଗ୍ରାମେ ସାରା ଓଡିଶାରେ ମାଁଙ୍କ ପର୍ବକୁ ବିଭିନ୍ନ ପୂଜାପାର୍ବଣ ମାଧ୍ୟମରେ ପାଳନ କରାଯାଏ । ଯାହାକି ନାରୀ ପୂଜା, ବନ୍ଦନୀୟା ଏଥିରୁ ପ୍ରମାଣିତ ହୋଇଯାଏ । ବର୍ଷାଋତୁର ପ୍ରତ୍ୟାବର୍ତ୍ତନ, ମୌସୁମୀର ଘର ବାହୁଡା ପରେ ଶରତ ଋତୁର ପ୍ରାରମ୍ଭରେ ମାଁଙ୍କ ପୂଜା ପୁରପଲ୍ଲୀରେ ବହୁ ଆଡମ୍ବରରେ ପାଳନ ହୋଇଯାଏ । ବ୍ରହ୍ମପୁର ଗୋଷାଣି ନୂଆଗାଁରେ କିନ୍ତୁ ଏହି ଶରତ ଋତୁରେ ମାଁଙ୍କ ପର୍ବର ପାଳନ କିଛି ଭିନ୍ନତା ରହିଛି । ଘରେ ଘରେ ଦୁର୍ଗାପୂଜା ଅବସରର ପ୍ରସ୍ତୁତି ଚାଲିବା ସହ ସମଗ୍ର ଗୋଷାଣି ନୂଆଗାଁର ଆରଧ୍ୟା ଦେବୀ ମାଁ କାଳୁଆଙ୍କ ଯାତ୍ରା ପାଇଁ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ପୋଲେରି ଅମାବାସ୍ୟା ମଧ୍ୟରାତ୍ରୀରୁ ମାଁଙ୍କ ଘଟସହ ଆଜ୍ଞାମାଳ ଗ୍ରାମ ମଝିରେ ଥିବା ବଡ ସାହିର ଅସ୍ଥାୟୀ ମଣ୍ଡପରେ ବିଜେ ହୁଅନ୍ତି । ଧୁମ୍ ଧାମ୍ ରେ ପାଳନ ହୁଏ ୧୫ଦିନ ଯାତ୍ରା । ଗୋସାଇଁ ନୂଆଗାଁର ପାଖାପାଖି ୪୫ରୁ ଉର୍ଦ୍ଧ୍ୱ ସାହିରେ ବସବାସ କରୁଥିବା ପରିବାରଙ୍କ ଗୃହରେ ବନ୍ଧୁବାନ୍ଧବ, ନିକଟ ସଂପର୍କୀୟଙ୍କ ଭିଡ ଜମିଯାଏ । ଦୂରଦୂରାନ୍ତରେ ଆଜିକା ଯୁଗରେ କାର୍ଯ୍ୟ କରୁଥିବା ପରିବାର ସଦସ୍ୟ ମାନେ ମଧ୍ୟ ପରିବାର ସହ ଯାତ୍ରାର ମଜାନେବା ଏବଂ ମାଁଙ୍କ ଠାରୁ ଆଶୀର୍ବାଦ ଲାଭ କରିବା ପାଇଁ ଆସିଥାନ୍ତି । ଏହି ସମୟରେ ପ୍ରତ୍ୟେକ ଦିନ ମାଁଙ୍କ ନିକଟରେ ବିଭିନ୍ନ ପରିବାର ତରଫରୁ ଖୀରିପୁଳି, ପିଠାପଣା, ମହୁର, ସାକର ଆମିଷ ନିରାମିଷ, ଶୁଙ୍ଖୁଡି ନିଶିଙ୍ଖୁଡି ସହ ମାନସିକ ରଖିଥିବା ବ୍ୟକ୍ତିଙ୍କ ତରଫରୁ ପ୍ରସାଦ ଲାଗି ହୋଇଥାଏ । ୧୫ ଦିନ ଯାଏଁ ପ୍ରତ୍ୟେକ ଦିନ ବିନିବନିକା ପ୍ରସାଦ ସନ୍ଧ୍ୟା ଆଳତି ପରେ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରାଯାଇଥାଏ । ବିଭାନ୍ନ ବଜାର ମେଳା ସାହି ସାହିରେ ଲାଗିବା ସହ ମୁଖ୍ୟ ସଡକରେ ବିଭିନ୍ନ ବ୍ୟବସାୟୀକ ପସରା ପଡିଥାଏ । ଏହି ଯାତ୍ରା ସମୟରେ ଯାତ୍ରା କମିଟିଦ୍ୱାର ବିଭିନ୍ନ ଉତ୍ସାହ ସଂପର୍ଣ୍ଣ ଅଭିପ୍ରେରିତ କାର୍ଯ୍ୟକ୍ରମ କରାଯାଇଥାଏ । ବ୍ରହ୍ମପୁର ସହର ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଗଢି ତୋଳିଥିବା କଳାକେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରାଯାଇଥାଏ, ସେମାନେ କଳାପ୍ରଦର୍ଶନ କରିବା ସହ ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶୀତ କରିବାର ସୁଯୋଗ ପାଇଥାନ୍ତି । ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ତିଆରି କରିବା ସହ ବିଭିନ୍ନ ପ୍ରତିଭା ସଂପର୍ଣ୍ଣଙ୍କୁ ସମ୍ମାନିତ କରାଯାଇଥାଏ । ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସଭାଷିତ ବଚନ ରଖିବାରେ ଆଗ୍ରହ ରଖାଯାଇଥାଏ । ପ୍ରତି ୧୯ ବର୍ଷରେ ଥରେ ୪୫ ଦିନ ଧରି ଏହି ଯାତ୍ରା ଚାଲୁରହେ । ଆଗାମୀ ବର୍ଷ ଯୋଡା ଆଶ୍ୱୀନ ପଡୁଥିବା ଯୋଗୁଁ ୪୫ଦିନ ବ୍ୟାପି ଏହି ଯାତ୍ରା ହେବ । ଗୋଷାଣିନୂଆଗାଁ ବାସୀ କୁମାରପୂର୍ଣ୍ଣିମା ରାତିରେ ମାଁଙ୍କୁ ନିଜସ୍ୱ ମନ୍ଦିରରେ ବହୁ ପରମ୍ପରାଗତ ଆଢେଣୀରେ ବିଦାୟ ଦିଆଯାଇଥାଏ । କେତେ ଶୀଘ୍ର ପୁଣି ଆଶ୍ୱୀନ ମାସ ପହଞ୍ଚିବ ତାହାରି ଅପେକ୍ଷାରେ ଗ୍ରାମବାସୀ ରହିଥାନ୍ତି ପୁଣି ମାଁଙ୍କ କୃପା ସହ ମାନସିକ ପରିପୂର୍ଣ୍ଣ ପାଇଁ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା