ମହାନଗର ନିଗମ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ରଣନୀତି ପ୍ରସ୍ତୁତି ପାଇଁ ଜିଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ଦଳର ମୁଖପାତ୍ର ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କଂଗ୍ରେସର ମେୟର ପ୍ରାର୍ଥିନୀ ମଞ୍ଜୁ ରଥ, ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା, ଉପସଭାପତି ମହେଶ୍ୱର ପାତ୍ର, ସମ୍ପାଦକ ଦଣ୍ଡପାଣି ପାତ୍ର, କଂଗ୍ରେସ ନେତା ଶିବରାମ ପାତ୍ରଙ୍କ ସମେତ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ଦଳୀୟ ପ୍ରାର୍ଥୀ ଯୋଗ ଦେଇଥିଲେ । ମୁଖ୍ୟତଃ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ସହରବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିବାରୁ ଏହାକୁ ପାଥେୟ କରି ଏକ ଭ୍ରଷ୍ଟାଚାରମୁକ୍ତ ଶାସନ ପ୍ରତିଷ୍ଠା କେବଳ କଂଗ୍ରେସ ଦଳ ଦ୍ୱାରା ସମ୍ଭବ ହୋଇପାରିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଦଳର ସଭାପତି ବିଧାୟକ ରମେଶ ଚନ୍ଦ୍ର ଜେନା ଷ୍ଟାର ପ୍ରଚାରକ ଭାବେ ଆସନ୍ତା ୧୨ ତାରିଖରୁ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିବେ ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ । କଂଗ୍ରେସ ଏକ ଧର୍ମ ନିରପେକ୍ଷ ଦଳ ହୋଇଥିବାରୁ ସବୁ ସମ୍ପ୍ରଦାୟର ଭୋଟରଙ୍କ ଏହି ଦଳ ପ୍ରତି ଆସ୍ଥା ରହିଛି । ଏହି କାରଣରୁ ଏଠାରେ କଂଗ୍ରେସର ବିପୁଳ ବିଜୟ ହେବ ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ ।