ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଲକ୍‌ଡାଉନ୍‌ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ମାନିବା କଟକଣା ନାହିଁ । ଲକ୍‌ଡାଉନ୍ କଟକଣାରୁ ବାଦ୍ ପଡ଼ିଛି ସମୁଦ୍ରରେ ମାଛ ଧରିବା ଲୋକମାନେ । ତା’ସହିତ ମତ୍ସ୍ୟ ପାଳନ ଉଦ୍ୟୋଗକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଏହି ଗାଇଡ୍‌ଲାଇନ୍‌ ଅନୁସାରେ ମାଛ ଚାଷ କରୁଥିବା ବ୍ୟକ୍ତି ଏ ସଂକ୍ରାନ୍ତୀୟ ସବୁ କାମ କରିପାରିବେ । ଚିଙ୍ଗୁଡ଼ି ଚାଷ, ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରୀର ପରିଚାଳନା କାମ ବି ହୋଇପାରିବ। ସମସ୍ତ ମତ୍ସ୍ୟଜାତୀୟ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନାହିଁ। ମତ୍ସ୍ୟ ଶିଳ୍ପ ସହ ସଂପୃକ୍ତ କର୍ମଚାରୀଙ୍କ କାର୍ଯ୍ୟ ସ୍ୱାଭାବିକ ରହିବ । ତେବେ ଏହି କାର୍ଯ୍ୟ ଚାଲିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରିବା ଜରୁରୀ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଲକ୍‌ଡାଉନ୍‌ ସମୟରେ ଚାଷ ସହିତ ଜଡ଼ିତ ଅନେକ କାମ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । କୃଷି କାର୍ଯ୍ୟ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଅନୁମତି ଦେଇଥିଲେ । କୃଷି ଉପକରଣ ବିକ୍ରି କରୁଥିବା ଦୋକାନ ଖୋଲା ରହିପାରିବ ବୋଲି କହିଥିଲେ ।

ରିପୋର୍ଟ : ସୁଧାଂସୁ ଶେଖର