ମଇ ୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) “ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ’ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର କାମ କରିଚାଲିଛନ୍ତି । ଆଗାମୀ ମଇ ୨୯ ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ଵିତୀୟ ଵର୍ଷ ପୂରଣ କରୁଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ଆଗମୀ ମଇ ୧୫ ରୁ ୨୫ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିବ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟ ମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏହା ଜଣାଇଛନ୍ତି । ସଚିବ ମାନଙ୍କ ଉପସ୍ଥିତିରେ ମନ୍ତ୍ରୀ ମାନେ ସେମାନଙ୍କ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ । ଏହା ସହିତ 5T ଓ ମୋ ସରକାର କାର୍ଯ୍ୟକ୍ରମ ସେମାନଙ୍କ ବିଭାଗରେ କିଭଳି କାର୍ଯ୍ୟ କାରୀ କରାଯାଇଛି ଏବଂ ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ । ତେଣୁ ଗଣତନ୍ତ୍ର ରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି । ଯେଉଁ ପ୍ରତିଶ୍ରୁତି ଆମେ ଲୋକଙ୍କୁ ଦେଇଛୁ ତାକୁ ପାଳନ ଦିଗରେ କେତେ ଦୂର ଆମେ ସଫଳ ହୋଇଛୁ ତାର ହିସାବ ଲୋକଙ୍କୁ ଦେବାକୁ ହେଵ ଓ ଏହା ଗଣତନ୍ତ୍ରର ମର୍ଯ୍ୟଦା ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ ମଇ ୨୯ ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର ପ୍ରଥମ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟ କାରୀ କରିବା ପାଇଁ ନୀତଗତ ନିଷ୍ପତ୍ତି ନେଇ ଥିଲେ । ଆଗାମୀ ମଇ ୨୯ରେ ମନ୍ତ୍ରୀ ପରିଷଦର ସ୍ୱତନ୍ତ୍ର ବୈଠକରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯାଇ ଲୋକଙ୍କୁ ଅବଗତ କରାଯିବ । ୨୦୧୪ ନିର୍ବାଚନ ପରେ ମଧ୍ୟ ଦଳର ଇସ୍ତାହାରକୁ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରିଷଦ ନୀତଗତ ନିଷ୍ପତ୍ତି ନେଇଥିଲେ ।