ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣୀ…

ରାୟଗଡ଼ା (ସମୃଦ୍ଧ ଓଡିଶା) ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବରିଷ୍ଠ ରଜସ୍ୱ ସହକାରୀ ତଥା ଭାରପ୍ରାପ୍ତ ପଞ୍ଚାୟତସମିତି ଉନ୍ନୟନ ବିଭାଗ କିରାଣି । ଲାଞ୍ଚ ନେଉଥିବା ସମୟରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ମିଳିତ ଭିଜଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ ହେପାଯତରେ ନେଇଛି । କାଶୀପୁର ବ୍ଲକ କାର୍ଯ୍ୟାଳୟ ଉନ୍ନୟନ ବିଭାଗରେ କିରାଣି ରୂପେ ପ୍ରକାଶ କୁମାର ସାହୁ ଦୀର୍ଘଦିନ ଧରି କାର୍ଯ୍ୟରତ ଥିଲେ । ମଙ୍ଗଳବାର କାର୍ଯ୍ୟାଦେଶ ପ୍ରଦାନ ନାରେ ଅଭିଯୋଗକାରୀ ବ୍ୟକ୍ତିଙ୍କ ଠୁ ଲାଞ୍ଚ ନେଉଥିବାବେଳେ କିରାଣୀ ଜଣକ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ବିଧାୟକ ପାଣ୍ଠିରୁ ଡଙ୍ଗାସିଲ ଗ୍ରାମ ଠାରେ ବିଶ୍ରାମ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରେରଣ କରିବା ନିମନ୍ତେ ଚାରିହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରି ତାଙ୍କୁ କାବୁ କରିଥିଲେ । ଡଙ୍ଗାସିଲ ଗ୍ରାମରେ ବିଶ୍ରାମଗାର ନିର୍ମାଣ ସକାଶେ ଗ୍ରାମବାସୀ ସ୍ଥାନୀୟ ବିଧାୟକଙ୍କୁ କହିବା ପରେ ବିଧାୟକ ତାଙ୍କ ପାଣ୍ଠିରୁ ଚରିଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ତେବେ ଏହା ନିର୍ମାଣ ସକାଶେ ବିଳାସ ନାୟକ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟାଦେଶ ନପାଇ ହତାଶ ହୋଇ ଫେରୁଥିଲେ । ତେବେ କାର୍ଯ୍ୟାଦେଶ ପାଇବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ କିରାଣୀ ତାଙ୍କୁ ପାଞ୍ଚ ହଜାର ଟଙ୍କା ପିସି ଦେବାକୁ କହିଥିଲେ । ପୂର୍ବରୁ ଶ୍ରୀ ନାୟକ କିରାଣୀ ଶ୍ରୀ ସାହୁଙ୍କୁ ଏକହାଜର ଟଙ୍କା ଦେଇଥିଲେ । ବାକି ଚାରି ହଜାର ଟଙ୍କା ପରେ ଦେବାକୁ କହିଥିଲେ । ଏହି ସମୟ ମଧ୍ୟରେ ଶ୍ରୀ ନାୟକ ପଡୋଶୀ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଲିଖିତ ମାମଲା ରୁଜୁ କରିଥିଲେ । ଅଭିଯୋଗକୁ ଆଧାର କରି ଲାଞ୍ଚୁଆ କିରାଣୀକୁ କାବୁ କରିବା ସକାଶେ କଳାହାଣ୍ଡି ଓ ରାୟଗଡ଼ାର ମିଳିତ ୧୦ଜଣିଆ ଭିଜିଲାନ୍ସ ଟିମ ଗଠନ ହୋଇଥିଲା । ଯୋଜନା ମୁତାବକ ବିଳାଶ ନାଏକ କାଶୀପୁର ପଞ୍ଚାୟତସମିତି କାର୍ଯ୍ୟାଳୟକୁ କାର୍ଯ୍ୟାଦେଶ ଆଣିବା ପାଇଁ ଯାଇଥିଲେ । ସେଠାରେ ପଞ୍ଚାୟତସମିତି ଉନ୍ନୟନ ବିଭାଗର କିରାଣି ପ୍ରକାଶକୁମାର ସାହୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜଲାନ୍ସର ମିଳିତ ଟିମ ଚଢାଉ କରି କିରାଣୀକୁ କାବୁ କରିଥିଲେ । ଏଥିସହିତ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଥିଲା । ଏହାପରେ ଅଧିକ ଖୋଳତାଳ ପାଇଁ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଭିଯୁକ୍ତ କିରାଣୀକୁ ଅଧିକ ପଚାରଉଚରା କରାଯାଉଥିବା ରାୟଗଡ଼ା ଭିଜିଲାନ୍ସ ଡ଼ିଏସପିଏପି ମଲ୍ଲିକ ସୂଚନା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ