ଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ ଚତୁର୍ଥଶ୍ରେଣୀ କର୍ମଚାରୀ : ଏକକାଳୀନ ୫ଟି ଜାଗାରେ ଚଢାଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲାର ଜଳେଶ୍ୱର ସ୍ଥିତ ଯୋଗାଣ ବିଭାଗର ଚତୁର୍ଥଶ୍ରେଣୀ କର୍ମଚାରୀ ତଥା ଏଣ୍ଟି ସ୍ମଗ୍ଲିଂ ଗାର୍ଡ ଜନାର୍ଦ୍ଦନ ପଲେଇଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭିଜିଲାନ୍ସର ୫ଜଣ ଡିଏସ୍‌ପିଙ୍କ ସହିତ ୩୫ ଜଣିଆ ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଆଜି ଶୁକ୍ରବାର ଭୋର ସମୟରେ ଭିଜିଲାନ୍ସର ପକ୍ଷରୁ ଜନାର୍ଦ୍ଦନ ପଲେଇଙ୍କ ନୂଆବଜାରସ୍ଥିତ ବାସଭବନରେ ଚଢାଉ କରାଯାଇଥିଲା । ଭିନିଲାନ୍ସ ଡିଏସ୍‌ପି ସିକନ୍ଦର ହେମ୍ବ୍ରମଙ୍କ ତତ୍ୱାବଧାନରେ ଦିନ ତମାମ ଚଢାଉରେ ତାଙ୍କ ବାସଭବନରୁ ୪୨ଲକ୍ଷ, ୭୦ହଜାର ୩୮୦ ଟଙ୍କାର ୪୦ରୁ ଅଧିକ ଏଲ.ଆଇ.ସି ବଣ୍ଡ, ୬ଲକ୍ଷ ଟଙ୍କାର ପୋଷ୍ଟାଲ ଫିକ୍ସ ଡିପୋଜିଟ୍‌, ବିଭିନ୍ନ ବ୍ୟାଙ୍କରେ ୧୭ରୁ ଅଧିକ ଜମାଖାତା, ୬ଟି ଜମି ଦଲିଲ, ୧୨ଟି ପଟ୍ଟା, ଏକ ବ୍ୟାଙ୍କ ଲକରରେ ୧୨୦ ଗ୍ରାମ ଓଜନର ସୁନା ସହିତ ବହୁ ନଗଦ ଟଙ୍କା ଓ ଅଳଙ୍କାର ଜବତ୍ କରାଯାଇଛି । ଶ୍ରୀ ପଲାଇ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବାରୁ ତାଙ୍କର୧୮ଶହ ବର୍ଗଫୁଟର ଦୁଇମହଲା ଆଲିସାନ ବଂଗଳା ଦେଖି ଭିଜିଲାନ୍ସ ବିଭାଗ ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କ ବାସଭବନକୁ ଲାଗି ଶ୍ୱଶୁର ଘର, ବ୍ରହ୍ମପୁରର ଛତ୍ରପୁରସ୍ଥିତ ପୈତୃକ ବାସଭବନ, ୬୦ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ତାଙ୍କ ହୋଟେଲ, ସରକାରୀ ଗୋଦାମଘର/କାର୍ଯ୍ୟାଳୟରେ ଏକକାଳୀନ ଚଢାଉ କରାଯାଇଥିଲା । ଭିଜିଲାନ୍ସ ବିଭାଗର ଆଡିସନାଲ ଏସ୍‌ପି ମହେଶ୍ୱର ସେଠୀଙ୍କ ନେତୃତ୍ୱରେ ଏପରି ଚଢାଉ କରାଯାଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଶ୍ରୀ ପଲାଇ ପୂର୍ବରୁ ଆମ୍ବଳିଅଠା, ଲକ୍ଷ୍ମଣନାଥ ୟୁନିଫାଏଡ ତନଖି ଫାଟକରେ ଆଣ୍ଟି ସ୍ମଗ୍ଲିଂ ଗାଡ ଭାବେ କାର୍ଯ୍ୟ କରୁଥିଲେ । ଏବେ ସେ ବାଲେଶ୍ୱର ରାଇସ୍ ରିସିଭିଂ ସେଣ୍ଟର ଓ ଜଳେଶ୍ୱର ଜିଲ୍ଲା ଷ୍ଟୋରେଜ ସେଣ୍ଟରରେ କାର୍ଯ୍ୟରତ ରହିଛନ୍ତି । ତେବେ ଗତ ସପ୍ତାହରେ ଜଳେଶ୍ୱର ବିଡିଓଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ କରାଯାଇ ଗିରଫ କରାଯିବା ପରେ ଆଜିର ଏପରି ଚଢାଉ ଜଳେଶ୍ୱର ଅଂଚଳର ଅମାପ ସମ୍ପତ୍ତି ରଖିଥିବା ବହୁ କଳା ବ୍ୟବସାୟୀ ଓ ସରକାରୀ ବାବୁଙ୍କ ମନରେ ଛନକା ପଶିଛି । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା