ବ୍ରହ୍ମ ସଙ୍ଗେ କା’ର ନାହିଁ ତୁଳନା…

ଜଗତର ନାଥ ପ୍ରଭୁ ଜଗନ୍ନାଥ
ପୂର୍ଣବ୍ରହ୍ମ ଆଦିକନ୍ଦ
ସତ୍ୟ ସନାତନ ସ୍ଵୟଂ ନାରାୟଣ
ନିର୍ଗୁଣ ସଚ୍ଚିଦାନନ୍ଦ ।।
ପରଂବ୍ରହ୍ମଙ୍କର ରୂପ ନିରାକାର
ସାକାର ରୂପେ ପୂଜିତ
ଅନନ୍ତ ତାଙ୍କର ମହିମା ଲୀଳାର
କାଳ କାଳକୁ ବିଦିତ ।।
ଯୁଗେ ଯୁଗେ ତାର ଦିବ୍ୟ ଅବତାର
ଧର୍ମ କରିଛି ସ୍ଥାପନ
ସ୍ଵୟଂ ଅନ୍ତର୍ଯ୍ୟାମୀ ସର୍ବ ଜୀବସ୍ବାମୀ
ଦେଖୁଛି ଚକାନୟନ ।।
ସେ ଭାଗ୍ୟ ବିଧାତା ଗତି ମୁକ୍ତି ଦାତା
ରକ୍ଷା କରତା ଜୀବର
ମୂକ କହେ ବାଣୀ ପଙ୍ଗୁ ଲଙ୍ଘେ ଗିରି
ଚାହିଁଲେ ଦୟା ସାଗର ।।
ଶରଣ ରକ୍ଷଣ ପ୍ରାଣର ସ୍ପନ୍ଦନ
ଅନାଥ ଜନର ନାଥ
କ୍ଷମାର ବାରିଧି ପ୍ରଭୁ କୃପାନିଧି
ସର୍ବ ଦେବଙ୍କ ବନ୍ଦିତ ।।
ସ୍ଵୟଂ ରାସେଶ୍ୱର ପ୍ରେମର ସାଗର
ପ୍ରେମିକ ପ୍ରତି ପ୍ରାଣର
ପ୍ରଭୁ ଯୋଗେଶ୍ୱର କାମନାଠୁ ଦୂର
ରାଧାନାଥ ଗୋପୀଶ୍ୱର ।।
ଜଗତ ଜନନୀ ଲକ୍ଷ୍ମୀ ଠାକୁରାଣୀ
ପ୍ରାଣ ସଙ୍ଗିନୀ ଯାହାର
ସର୍ବ ଐଶ୍ୱର୍ଯ୍ୟର ଭଣ୍ଡାର ତାଙ୍କର
କାରଣ ସର୍ବ ସୁଖର ।
ସକଳ ସୃଷ୍ଟିର ସିଏ ମୂଳାଧାର
ସୂର୍ଯ୍ୟ ଚନ୍ଦ୍ର ଆତଯାତ
ଯେତେ ଋଷିି ବଂଶ ବା’ ମହା ପୁରୁଷ
ସରବେ ତା ଅଂଶୁ ଜାତ ।।
ବ୍ରହ୍ମ ସଙ୍ଗେ କା’ର ତୁଳନାଠୁ ଦୂର
ଶାସ୍ତ୍ରରେ ତାର ପ୍ରମାଣ
ବ୍ୟାସଦେବ କୃତ ପୂଣ୍ୟ ଭାଗବତ
କରୁଛି ତାର ବ୍ୟାଖ୍ୟାନ ।
ବ୍ରହ୍ମର ଆସନ ଅନ୍ୟକୁ ପ୍ରଦାନ
ପଦକୁ ଅବମାନନା
ବିଶ୍ଵ ବିଦ୍ୟାଳୟେ ଅଧ୍ୟକ୍ଷର ସ୍ଥାନ
ଆନ ପୂରଣ କରେନା ।
ପ୍ରଭୁ ମୁଖାମୃତ ଗୀତା ଜ୍ଞାନାମୃତ
ସର୍ବ ଶାସ୍ତ୍ର ମଧ୍ୟେ ସାର
ପରିତ୍ୟାଗ କର ସର୍ବ ଧର୍ମ ଡୋର
ଶରଣେ ମୁକତି ଦ୍ଵାର ।
ବୃକ୍ଷ ଡାଳେ ପାଣି ଫଳେ କି ଫଳାନି
ଜଗତେ ହସିବା ସାର
ମୂଳେ ଢାଳ ନିର ବନ୍ଧୁ ଭକତର
ଫଳ ଦେବେ ନିରନ୍ତର ।
?ଜୟ ଜଗନ୍ନାଥ?

ଯଶସ୍ଵୀ କବି ରମକାନ୍ତ ମାଝୀ, ଶିକ୍ଷକ
ସେମିଳିଗୁଡା, କୋରାପୁଟ
୯୮୫୩୪୧୩୮୨୮