ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) “ଜୀବନବ୍ୟାପୀ ନିଷ୍ଠାପର ସାଧନା ହିଁ ଛାତ୍ରମାନଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇଥାଏ । ଏଥିପାଇଁ ଜୀବନରେ ବହୁ ବନ୍ଧୁରପଥ ଦେଇ ଗତି କରିବାକୁ ପଡ଼େ । ଜୀବନ ବିକାଶରେ ମୂଲ୍ୟବୋଧ ହିଁ ବଡ଼ ଉପାଦାନ । ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ଓ ଭାବପ୍ରବଣତାର ବିକାଶ ହେଉଛି ଯଥାର୍ଥରେ ଏହାର ଭିତ୍ତିଭୂମିର ବିକାଶ”। ଏହା ପ୍ରକାଶ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧ୍ଵକରଣର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ମ ଶ୍ରୀ ସୁବ୍ରତ୍ ବାଗ୍‌ଚୀ । ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବରେ ଯୋଗଦେଇ ସେ ଆହୁରି କହିଥିଲେ ଯେ “ ଏହି ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଖୁବ ଶୃଙ୍ଖଳିତ, ଧୈର୍ଯ୍ୟଶୀଳ, ଜ୍ଞାନପିପାସୁ ଏବଂ ଏହି ଶିକ୍ଷାନୁଷ୍ଠାନର ପରିସର ଅତ୍ୟନ୍ତ ସ୍ୱଚ୍ଛ ଓ ନିର୍ମଳ। ଧୈର୍ଯ୍ୟ, ସ୍ଵଚ୍ଛତା ଓ ନିର୍ମଳତା ସହିତ ଲକ୍ଷ୍ୟ ଓ ଏକାଗ୍ରତା ହିଁ ଛାତ୍ରମାନଙ୍କୁ ସଫଳତାର ପାହାଚ ପରେ ପାହାଚ ଚଢ଼ାଇଥାଏ । ଏସବୁ ସମ୍ଭବ ହୁଏ ଦୃଢ଼ ଇଚ୍ଛାଶକ୍ତି ବଳରେ । ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କର କାର୍ଯ୍ୟପନ୍ଥା ବିଶ୍ବବିଦ୍ୟାଳୟକୁ ଆହୁରି ୧୦୦ ବର୍ଷ ଆଗକୁ ଆଗେଇ ନେଇପାରିବ” ବୋଲି ସେ ମତ ପ୍ରକାଶ କରିଥିଲେ । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ସ୍ମୃତିରେ ‘ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ପୁରସ୍କାର’ ପ୍ରଦାନ କରାଯାଇ ଥିଲା । ଏହି ପୁରସ୍କାର ସ୍ଵରୂପ ଶ୍ରୀ ମହାପାତ୍ରଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ଉପଢୌକନ ଓ ମାନପତ୍ର ଦିଆଯାଇଥିଲା । ଶ୍ରୀ ମହାପାତ୍ର ତାଙ୍କର ବକ୍ତବ୍ୟରେ କହିଲେ ଯେ- କବି ହେବା ଅତ୍ୟନ୍ତ କଠିନ ବ୍ୟାପାର । ସେଥିପାଇଁ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ପରି କବିମାନଙ୍କର ଉଦାହରଣ ଦେଇ ତାଙ୍କର ଜୀବନ ବ୍ୟାପୀ ସାଧନାକୁ ସେ ସ୍ମରଣ କରିଥିଲେ । ଏହି ପୁରସ୍କାର କେବଳ ତାଙ୍କୁ ନୁହେଁ, ବରଂ ଯୁବପିଢ଼ିଙ୍କୁ ଅଧିକ ପ୍ରେରଣା ଓ ଉତ୍ସାହ ଦେବ ବୋଲି ସେ ପ୍ରକାଶ କରିଥିଲେ ।