ବ୍ରହ୍ମପୁର କରାଟେ ଏକାଡେମୀ ତରଫରୁ ଚାମ୍ପିଅନସିପ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର କରାଟେ ଏକାଡେମୀର ଚାରିଜଣ ଛାତ୍ରଛାତ୍ରୀ ବିଗତ ୧୦.୧୨.୨୦୨୨ରେ ବିଶାଖାପାଟଣା ଠାରେ ଅନୁଷ୍ଠିତ ହୋଇଥିବା “ଭାଇଜାଗ ଓପନ ନ୍ୟାସନାଲ କରାଟେ ଚାମ୍ପିଅନସିପ” ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିଲେ ଏବଂ ଗୋଟିଏ ସ୍ଵର୍ଣ୍ଣପଦକ, ଗୋଟିଏ ରୌପ୍ୟ ପଦକ ତଥା ତିନୋଟି ବ୍ରୋଞ୍ ପଦକ ଅର୍ଜନ କରିଥିଲେ । ସେହିପରି ପୁଣି ଉକ୍ତ ଅନୁଷ୍ଠାନର ଛଅଜଣ ଛାତ୍ରଛାତ୍ରୀ ୨୪.୧୨.୨୦୨୨ ଏବଂ ୨୫.୧୨.୨୦୨୨ରେ ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଜିଲ୍ଲା ଅନ୍ତର୍ଗତ ହଲଦ୍ୱାନି ଠାରେ ଅନୁଷ୍ଠିତ ହୋଇଥିବା “ସିକାଇ ନ୍ୟାସନାଲ କରାଟେ ଚାମ୍ପିଅନସିପ” ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିଲେ ଏବଂ ତିନୋଟି ସ୍ଵର୍ଣ୍ଣପଦକ ତଥା ଦୁଇଟି ରୌପ୍ୟ ପଦକ ଅର୍ଜନ କରିଥିଲେ । ବ୍ରହ୍ମପୁର କରାଟେ ଏକାଡ଼େମୀର ଆତ୍ମରକ୍ଷା କୌଶଳ ଶିକ୍ଷାର୍ଥୀ ଉପରୋକ୍ତ ପଦକମାନ ଅର୍ଜନ କରିବା ସହିତ ବ୍ରହ୍ମପୁର ସହର, ଗଞ୍ଜାମ ଜିଲ୍ଲା ତଥା ସାରା ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ଆଣି ଦେଇଛନ୍ତି । ସେମାନଙ୍କ କଳାତ୍ମକ କୌଶଳର ପରାକାଷ୍ଠା ପ୍ରଦର୍ଶନ ନିମନ୍ତେ ସେମାନଙ୍କୁ ବ୍ରହ୍ମପୁର କରାଟେ ଏକାଡେମୀ ତରଫରୁ ୦୪.୦୧.୨୦୨୩ ରେ ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ଠାରେ ଥିବା ଓଡ଼ିଶୀ ନୃତ୍ୟାୟନ ଅନୁଷ୍ଠାନ ପ୍ରାଙ୍ଗଣରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ୱର୍ଦ୍ଧନା ଉତ୍ସବରେ ବ୍ରହ୍ମପୁର କରାଟେ ଏକାଡେମୀର ସେକ୍ରେଟାରୀ ସିହାନ ତ୍ରିଲୋଚନ ବେହେରା ମହୋଦୟ, ଉପ-ସଭାପତି ବିମଳେନ୍ଦୁ ସାହୁ ମହୋଦୟ ଏବଂ ଆଇନ ପରାମର୍ଶଦାତା ପ୍ରଭାତ କୁମାର ପାତ୍ର (ଓକିଲ, ବ୍ରହ୍ମପୁର) ଯୋଗଦାନ କରି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ ତଥା ସମ୍ବର୍ଦ୍ଧନା କରିଥିଲେ । ଉଭୟ ଜାତୀୟ ପ୍ରତିଯୋଗିତାରେ ଅନୁଷ୍ଠାନର ଛାତ୍ରୀ ପାୟଲ କୁମାରୀ ଦୋରା ସମୁଦାୟ ଦୁଇଟି ସ୍ଵର୍ଣ୍ଣପଦକ ଏବଂ ଗୋଟିଏ ବ୍ରୋଞ୍ଜ ପଦକ, ଛାତ୍ର ସିଦ୍ଧାର୍ଥ କୁମାର ପାଢ଼ୀ ସମୁଦାୟ ଦୁଇଟି ସ୍ବର୍ଣ୍ଣ ତଥା ଗୋଟିଏ ରୌପ୍ୟ, ଛାତ୍ରୀ ସ୍ୱାତିଶ୍ରୀ ସାହୁ ଗୋଟିଏ ରୌପ୍ୟପଦକ, ଛାତ୍ରୀ ଇତିଶ୍ରୀ ବେହେରା ଗୋଟିଏ ରୌପ୍ୟପଦକ, ଛାତ୍ର ଆୟୁଷ କୁମାର ପାତ୍ର ଗୋଟିଏ ବ୍ରୋଞ୍ଜପଦକ ଏବଂ ଛାତ୍ର ସୌରଭ ଦାସ ଗୋଟିଏ ବ୍ରୋଞ୍ଜପଦକ ହାସଲ କରିଛନ୍ତି ।