ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଡ଼ାଉ : ୧୩୫ ବସ୍ତା ଗୁଟଖା ଜବତ ସହ ୨ ଅଟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଡ଼ାଉ କରି ବହୁ ନକଲି ଗୁଟୁଖା ସାମଗ୍ରୀ ଜବତ କରିବା ସହ ଥାନାରେ ୨ ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଅଟକ ଯୁବକ ମାନେ ଉତ୍ତର ପ୍ରଦେଶ ରାଜ୍ୟର ରାମ ଆଶିଷ(୩୩) ଓ ଚନ୍ଦ୍ରଭାନୁ ପଟେଲ(୨୪) ବୋଲି ଜଣାଯାଇଛି । ବଡ଼ବଜାର ନିକଟସ୍ଥ କାଳୁପାତ୍ର ସାହିର ଜଣେ ବ୍ୟକ୍ତିଙ୍କ ବାସଭବନରେ ଗୁଟଖା ମହଜୁଦ ରଖାଯାଇଥିବା ଖବର ମିଳିବା ପରେ ବ୍ରହ୍ମପୁର ଉପଜିଲାପାଳ ଭି. କିର୍ତ୍ତୀ ୱାସନ, ସହାକାରୀ ଜିଲ୍ଲାପାଳ ଡି. ମାଲେଶ୍ବର ପାତ୍ର ଓ ତହସିଲଦାର ସିପକ ପାତ୍ର ଆଜି ସନ୍ଧ୍ୟାରେ ସେହି ଘରେ ଚଡ଼ାଉ କରିଥିଲେ । ଚଡ଼ାଉ ବେଳେ ଘର ଭିତରେ ଗୁଟଖା ବସ୍ତାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା । ଗଣନା ପରେ ମୋଟ ବିଭିନ୍ନ କମ୍ପାନୀର ୧୩୫ ବସ୍ତା ନକଲି ଗୁଟଖା ମିଳିଥିଲା । ପ୍ରଶାସନ ପକ୍ଷରୁ ସମସ୍ତ ଗୁଟଖାକୁ ଜବତ କରାଯାଇଥିଲା । ସେହିପରି ସେହି ଗୋଦାମ ଭିତରେ ଥିବା ଉତ୍ତର ପ୍ରଦେଶ ରାଜ୍ୟର ୨ ଜଣ ଯୁବକ ଯଥା ରାମ ଆଶିଷ ଓ ଚନ୍ଦ୍ରଭାନୁ ପଟେଲଙ୍କୁ ବଡ଼ବଜାର ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଏହି ୨ ଯୁବକ ଏଠାରେ କାମ କରୁଥିଲେ । ହେଲେ ସେହି ଘରର ମାଲିକ ଓ ଗୁଟଖା ମହଜୁଦ ରଖିଥିବା ପ୍ରକୃତ ବ୍ୟକ୍ତିଙ୍କ କୌଣସି ସୂଚନା ମିଳିପାରିନଥିଲା । ସେହି ଅଞ୍ଚଳର ଜଣେ ବ୍ୟବସାୟୀ ବହୁ ଦିନ ହେବ ଏହି ଘରେ ବେଆଇନ ଗୁଟଖା କାରବାର ଚଳାଉଥିଲେ ବୋଲି ଶୁଣିବାକୁ ମିଳିଛି । ତେବେ ଚଢଉ ବେଳେ ସେ ଅନୁପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ପାଣିଗ୍ରାହୀପେଣ୍ଠ, କାଳୁପାତ୍ର ସାହି ଅଞ୍ଚଳରେ ବ୍ୟାପକ ବେଆଇନ କାରବାର ଚାଲୁରହିଛି । ନକଲି ସାମଗ୍ରୀ, ଅପମିଶ୍ରଣ ସହ ବେଆଇନ ସାମଗ୍ରୀ କିଣାବିକା ଚାଲୁ ରହିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା