ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ତିରୋଧାନ ଦିବସ ଓ ଶ୍ରାଦ୍ଧବାର୍ଷିକୀ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରସ୍ଥ ନୂତନ ଭାବରେ ସଂସ୍ଥାପିତ ‘ପଞ୍ଚସଖା ମୁକ୍ତ ବନ ବିଦ୍ୟାଳୟ’ରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ତିରୋଧାନ ଦିବସ ଓ ଶ୍ରାଦ୍ଧବାର୍ଷିକୀ-୨୦୨୨ କୋଭିଡ୍ -୧୯ ନିୟମ ଅନୁପାଳନ କରି ସମାହିତ ହୋଇ ଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ସମସ୍ତ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ, କର୍ମଚାରୀ ବୃନ୍ଦ, ପରିଚାଳନା କମିଟିର ସଦସ୍ୟା, ସଦସ୍ୟ ବୃନ୍ଦ କୋଭିଡ -୧୯ ନିୟମ ଅନୁପାଳନ କରି ପର୍ଯ୍ୟାୟକ୍ରମେ ଆସି ବିଦ୍ୟାଳୟ ପରିସରରେ ଥିବା ଅଭିନବ ପଞ୍ଚସଖା ମୁକ୍ତ ବନବିଦ୍ୟାଳୟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପ୍ରଜ୍ଞାପୁରୁଷ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଭଳି ପଞ୍ଚସଖାଙ୍କ ନାମରେ ଖ୍ୟାତ ସମସ୍ତଙ୍କର ପ୍ରତିମୂର୍ତ୍ତି ମାନଙ୍କରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ସ୍ଵୀୟ ବକ୍ତବ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୀବନୀ, ସାହିତ୍ୟ କୃତି, ସ୍ଵାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ, ବନବିଦ୍ୟାଳୟ ସ୍ଥାପନା ଓ ସଫଳ ପରିଚାଳନା, ସମାଜ ଖବର କାଗଜ ସ୍ଥାପନା ଓ ବଳିଷ୍ଠ ସମ୍ପାଦନା, ବନ୍ୟା ବାତ୍ୟା ସମୟରେ ସେବା ଆଦି ତାଙ୍କର ବହୁମୁଖି ଜୀବନଧାରା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଛାତ୍ରୀ ଛାତ୍ର ମାନଙ୍କୁ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଏବଂ ସମସ୍ତେ ତାଙ୍କ ସମ୍ପର୍କରେ ଗୋଟିଏ ଗୋଟିଏ ପ୍ରବନ୍ଧ ଲେଖିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ । ବିଦ୍ୟାଳୟର ଅନ୍ୟତମ ବରିଷ୍ଠ ଶିକ୍ଷକ ଦେବରାଜ ରାଉତ ଗୋପବନ୍ଧୁଙ୍କ ସମ୍ପର୍କରେ ସ୍ଵୀୟ ବକ୍ତବ୍ୟରେ ଉତ୍କଳମଣିଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ସମ୍ପର୍କରେ ଏକ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ତିରୋଧାନ ଦିବସ ଓ ଶ୍ରାଦ୍ଧବାର୍ଷିକୀ -୨୦୨୨ ପାଳନ ଅବସରରେ ସ୍ଵୀୟ ବକ୍ତବ୍ୟରେ ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନା, ଏହାର ସଫଳ ପରିଚାଳନା ଯୋଗୁଁ ଅନେକ ସଫଳ ଛାତ୍ର ସୃଷ୍ଟି, ସତ୍ୟବାଦୀ ପ୍ରେସ୍ ରୁ ସର୍ବ ଜନାଦୃତ ସମାଜ ଖବକାଗଜ ପ୍ରଥମ ପ୍ରକାଶନ କରି ଏହାର ସମ୍ପାଦକ ଭାବରେ ସମାଜର ହିତ ସାଧନ ପାଇଁ କଲମ ଚାଳନା କରି ସ୍ଵୀୟ ସଂପାଦକୀୟ ମାଧ୍ୟମରେ ଜନଜୀବନର ସମସ୍ୟା ଗୁଡ଼ିକୁ ସଫଳ ଉତ୍ଥାପନ କରିଥିଲେ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ନିଜ ଏକମାତ୍ର ପୁତ୍ରର ଦେହ ଅସୁସ୍ଥ ଥିବା ସମୟରେ ମଧ୍ୟ ପ୍ରପୀଡ଼ିତ ଜନସାଧାରଣଙ୍କ ସେବା କରିବାକୁ ଆଗଭର ହୋଇ ଆଗେଇ ଆସୁଥିଲେ । ସ୍ଵାଧୀନତା ସଂଗ୍ରାମରେ ଝାସଦେଇ କାରାବରଣ କରି ‘ରେଳ ଉପରେ ଚିଲିକା ଦର୍ଶନ’ କବିତାରେ ଗାଇ ଉଠିଥିଲେ – “ରହ ରହ କ୍ଷଣେ ବାଷ୍ପୀୟ ଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ ।” ‘ବନ୍ଦୀର ଆତ୍ମକଥା’, ‘କାରା କବିତା’ ମଧ୍ୟ ତାଙ୍କର ସାହିତ୍ୟିକ ଜୀବନର ପରାକାଷ୍ଠା ପ୍ରଦର୍ଶନ କରିଥାଏ । ତାଙ୍କର ଗୋଟିଏ ବିଶ୍ଵ ଜନାଦୃତ ଅନନ୍ୟ ତଥା ଅନବଦ୍ୟ ପଙ୍କ୍ତି -“ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼” ତାଙ୍କର ବଳିଷ୍ଠ ଦେଶପ୍ରେମର ଯେ ଏକ ଜ୍ୱଳନ୍ତ ନିଦର୍ଶନ ଏହା ଅନସ୍ବୀକାର୍ଯ୍ୟ ବୋଲି ଦୃଢ଼ ମତପୋଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଛୋଟରାୟ, ଉପ ସଭାପତି ସୁପ୍ରଭା ସ୍ୱାଇଁ, ଅନ୍ୟତମ ସଦସ୍ୟ ସାରଙ୍ଗଧର ସାହୁ, ଦିଲାବର ହୁସେନ, ବିରଞ୍ଚି ନାଏକ, ମିନା ନାଏକ, ସଦସ୍ୟା ଝରଣା ପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟା, ସଦସ୍ୟ ବୃନ୍ଦ, ବରିଷ୍ଠ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର, ଶ୍ଵେତପଦ୍ମା ମିଶ୍ର, ଦେବରାଜ ରାଉତ, ଇତିଶ କୁମାର ବରାଳ, ଡ଼ା.ଦେବୀ ପ୍ରସାଦ ମିଶ୍ର, ସୁଭାଷ କୁମାର ନନ୍ଦ, ଧ୍ୟାନଚାନ୍ଦ ମିଶ୍ର, ସ୍ବର୍ଣ୍ଣମୟୀ ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ, ସୁଜାତା ପଣ୍ଡା, ସୁଚିତ୍ରା ସାହୁ, ଡ଼ଃ. ଅନୁପମା ମିଶ୍ର, କିଶୋର ଚନ୍ଦ୍ର ସାମଲ, କିରଣମୟୀ ମାହାଳିକ, ଦିପ୍ତୀଶ କୁମାର ଶତପଥୀ, କଲ୍ୟାଣୀ ବଡ଼ଜେନା, ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, ରଶ୍ମୀ ହୋତା, କଳ୍ପନା ବାରିକ, ଶୁଭଶ୍ରୀ ଦେବସ୍ମିତା ରାଉତ, ସୁଜିତ କୁମାର ବାରା, ପ୍ରଫୁଲ୍ଲ କୁମାର ବିଶ୍ବାଳ, ସୁବ୍ରତ ସ୍ୱାଇଁ, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ଆଜିର ସମସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।