ବୃଦ୍ଧାଶ୍ରମ ପରିକଳ୍ପନାକୁ ଜୀବନ୍ୟାସ ଲାଗି ସମ୍ବାଦଦାତା ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ପରିବାରର ବୃଦ୍ଧ ଓ ବୃଦ୍ଧାଙ୍କ ପ୍ରତି ସ୍ନେହ, ଆଦର କମି ଆସୁଥିବା ବେଳେ ସେମାନଙ୍କ ଉପରେ ନିର୍ଯ୍ୟାତନ, ଲାଞ୍ଛନା ଓ କଟୁ ସମାଲୋଚନା ବଢି ଚାଲିଛି । ତେଣୁ ସେମାନେ ନିଜ ଘର ଦ୍ୱାର ଛାଡି ବୃଦ୍ଧାଶ୍ରମରେ ରହିବାକୁ ଶ୍ରେୟ ମଣୁଛନ୍ତି । ଏପରି ବ୍ୟକ୍ତି ବିଶେଷଙ୍କ ସୁରକ୍ଷିତଭାବେ ରଖାଯିବା ଲାଗି ସମଗ୍ର ଉତ୍ତର ବାଲେଶ୍ୱରରେ କୌଣସି ବ୍ୟବସ୍ଥା ନ ଥିବାରୁ ଜଳେଶ୍ୱରର ହେଲ୍ପ ଫର ୟୁ ଫାଉଣ୍ଡେସନ ଏପରି ଗୁରୁ ଦାୟିତ୍ୱ ହାତକୁ ନେବାକୁ ଯାଉଥିବା ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି । ବିଭିନ୍ନ ସମୟରେ ଗରିବ ବୃଦ୍ଧ-ବୃଦ୍ଧା ଅସହାୟ ଅବସ୍ଥାରେ ରାସ୍ତାକଡରେ ପଡି ରହନ୍ତି । ଅନ୍ୟ କେତେକ ଅଭିମାନ କରି ଘର ଛାଡିଥିବା ବେଳେ ସେମାନଙ୍କୁ ସହାୟ ହେବାକୁ କେହି ନଥାନ୍ତି । ଏପରି ବ୍ୟକ୍ତି ବିଶେଷଙ୍କୁ ସହାୟତା ଓ ସୁରକ୍ଷା ଦେବାର ଆବଶ୍ୟକତା ସଂପର୍କରେ ସଂଗଠନର ସଭାପତି ମାନସ ରଂଜନ ଧଳ ଆଜି ସୋମବାର ସରସିଦାସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସଂଗଠନ ୧୫-୧୨-୨୦ରେ ଆରମ୍ଭ ହୋଇଥିଲେ ମଧ୍ୟ ଲକ୍‌ଡାଉନ୍ ସମୟରେ ଭୋକିଲା ଲୋକଙ୍କୁ ଖାଦ୍ୟ, ଅସହାୟଙ୍କୁ ସାହାଯ୍ୟ, ଅସହାୟଙ୍କ ଶବ ସତ୍କାର, ବୃକ୍ଷରୋପଣ, ସଫେଇ ଓ ଶିକ୍ଷାକ୍ଷେତ୍ରରେ ସଚେତନାଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଜନାଦୃତ ହୋଇଛନ୍ତି । ଏହି ସଂଗଠନରେ ଓଡିଶାର ବିଭିନ୍ନ ଜିଲାରୁ ୧୪୦ ଜଣ ସଦସ୍ୟ କାର୍ଯ୍ୟକରୁଥିବା ସେ ସୂଚନା ଦେଇଥିଲେ । ଏବେ ବୃଦ୍ଧାଶ୍ରମ ଲାଗି ଜମି ଓ ପାଣ୍ଠି ଆବଶ୍ୟକ ଥିବାରୁ ସେ କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ କାମନା କରିଛନ୍ତି । ସଂଗଠନର ସଂପୂର୍ଣ୍ଣ ନିଜସ୍ୱ ଅର୍ଥରେ ନିର୍ମାଣ ହେବାକୁ ଯାଉଥିବା ଏହି ବୃଦ୍ଧାଶ୍ରମକୁ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି । ଆଜିର ଏହି ସମ୍ବାଦଦାତା ସମ୍ମିଳନୀରେ ସଂପାଦକ ସୁବାଶିଷ ମାନସ ରଂଜନ ରାଉଳ, ଉପସଭାପତି ସୁଜିତ୍ କାମିଳା, ସହ ସଂପାଦକ ପ୍ରଶାନ୍ତ ବେହେରା, ଗୋପିକୃଷ୍ଣ ପ୍ରଧାନ, ଚିନ୍ମୟ ରାଉଳ, ସୁଶାନ୍ତ ସାହୁ, ନିତ୍ୟାନନ୍ଦ ଦାସ, ସୁବ୍ରତ ଜେନା, ସୁଜାତା ଧଳ, ସସ୍ମିତା ଧଳ, ହେମନ୍ତ ପାତ୍ର, ତପସ୍ୱିନୀ ସିଂ, ନଗେନ୍ଦ୍ର ବାରିକ, ମହାପ୍ରସାଦ ପାତ୍ର, ଦେବିଦାସ ପଣ୍ଡା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା