ବୁଗୁଡା ବ୍ଲକ ଓ ନଗର କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ବୁଗୁଡା (ସମୃଦ୍ଧ ଓଡିଶା) ଦିନେ ବୁଗୁଡା ବ୍ଲକ ଜାତୀୟ କଂଗ୍ରେସର ଗଡ ଭାବେ ପରିଚିତ ଥିଲା । ବିଗତ ପାଞ୍ଚାୟତ ନିର୍ବାଚନରେ ମଧ୍ୟ ବୁଗୁଡା ବ୍ଲକ ଅଧ୍ୟକ୍ଷ ପଦ କଂଗ୍ରେସ ଅକ୍ତିଆର କରିଥିଲା । ଯୁବ ନେତାଙ୍କ ହାତକୁ ସାଙ୍ଗଠନିକ ଦ୍ୱାୟିତ୍ୱ ଆସିଲା । ବିଗତ ବିଧାନସଭା ନିର୍ବାଚନରେ ଜାତୀୟ କଂଗ୍ରେସ ବୁଗୁଡା ବ୍ଲକ ଅଧ୍ୟକ୍ଷ ତଥା ଯୁବ ନେତା ଗୋକୁଳାନନ୍ଦ ମଳିକଙ୍କୁ ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କରିଥିବା ବେଳେ ସେ ପରାଜୟ ବରଣ କରିଥିଲେ ମଧ୍ୟ ସମ୍ମାନଜନକ ପ୍ରତିଦ୍ବନ୍ଦିତା ହୋଇଥିଲା । ହେଲେ ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଗୋକୁଳାନନ୍ଦ ବାବୁ ପ୍ରାୟ ସମସ୍ତ କଂଗ୍ରେସ ସମର୍ଥଙ୍କୁ ନେଇ ବିଜେପିରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଯାହାଫଳରେ ପୋଲସରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଲା । ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କଂଗ୍ରେସର ମଙ୍ଗ ଯୁବ ବିଧାୟକ ରମେଶ ଚନ୍ଦ୍ର ଜେନା ଗ୍ରହଣ କରିବା ପରେ ବହୁ ଦିନର ବ୍ୟବଧାନ ପରେ ବୁଗୁଡା ବ୍ଲକରେ କଂଗ୍ରେସର ବୈଠକ ହୋଇଥିବା ବେଳେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଜାନୁଆରୀ ୧୦ ତାରିଖ ଦିନ ବୁଗୁଡା ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣୀ ମଣ୍ଡପ ପରିସରରେ ହରି ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବୁଗୁଡା ବ୍ଲକ ଓ ନଗର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ । ବ୍ଲକ କଂଗ୍ରେସ କର୍ମୀମାନଙ୍କ ସହ ଆଲୋଚନା କରି କଂଗ୍ରେସର ପୂର୍ବ ସ୍ଥିତି ଫେରାଇ ଆଣିବାକୁ କର୍ମୀମାନଙ୍କୁ ପ୍ରେରଣା ଯୋଗାଇ ଥିଲେ । ପୁନର୍ବାର କର୍ମୀ ସମ୍ମିଳନୀ କରାଯାଇ ବୁଗୁଡା ବ୍ଲକ ଓ ନଗର କର୍ମକର୍ତ୍ତା ମନୋନୀତ କାରାଯିବାକୁ ଠିକ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଘ୍ନରାଜ ଦାଶ, ଜାନକୀ ବଲ୍ଲଭ ରାଉତ, ଶଙ୍କର ବେହେରା, ଆଇନଜୀବୀ ମାନସ ଦାଶ, ସୁଜିତ କୁମାର ସ୍ଵାଇଁ, ସିମାଞ୍ଚଳ ନାୟକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା