ବି.ବି.ହାଇସ୍କୁଲର ୨୦୦୨ ବ୍ୟାଚ ଛାତ୍ରଛାତ୍ରୀମାନେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ୨,୧୭,୫୦୩ ଟଙ୍କାର ମୋ ସ୍କୁଲ ପାଣ୍ଠି ସୃଷ୍ଟି କରିବାର ବିରଳ ଗୌରବ ହାସଲ କରିଛନ୍ତି…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ଥାନୀୟ ଶତାୟୁ, ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ୨୦୦୨ ବ୍ୟାଚ ଛାତ୍ରଛାତ୍ରୀମାନେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ଦୁଇ ଲକ୍ଷ ସତର ହଜାର ପାଞ୍ଚ ଶହ ତିନି ଟଙ୍କାର ମୋସ୍କୁଲ ପାଣ୍ଠି ସୃଷ୍ଟି କରିପାରିଛନ୍ତି । ୨୦୦୨ବ୍ୟାଚକୁ ପ୍ରତିନିଧିତ୍ବ କରି ଅଗ୍ରଣୀ ଛାତ୍ର ସିତାନଂଶୁ ଶେଖର ପଣ୍ଡା, ଅନିଲ କୁମାର ବେହେରା, ସନ୍ତୋଷ ବେହେରା, ସନ୍ତୋଷ ମହାଖୁଡ଼, ଜ୍ୟୋତିରଞ୍ଜନ ମହାପାତ୍ର, ରାକେଶ ବେହେରା, ଭୋଜରାଜ ସାହୁ ପ୍ରମୁଖ ଛାତ୍ରମାନେ ଆଗେଇ ଆସି କୋଭିଡ-୧୯ ନିୟମ ସମ୍ପୂର୍ଣ୍ଣ ଅନୁପାଳନ କରି ବିଦ୍ୟାଳୟର ନବନିଯୁକ୍ତ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷାସେବା, ଗ୍ରୁପ କ, କନିଷ୍ଠ ଓ ୫ଟି, ସ୍କୁଲ ପୋଷ୍ୟ ଗ୍ରହଣ ଅନ୍ତର୍ଗତ ମୋ ସ୍କୁଲ ଅଭିଯାନ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ଡା. ଦେବୀ ପ୍ରସାଦ ମିଶ୍ରଙ୍କ ହସ୍ତରେ ଵାସ୍ତରୀ ହଜାର ପାଞ୍ଚ ଶହ ଏକ ଟଙ୍କାର ଚେକ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ପାଣ୍ଠି ନିମିତ୍ତ ପ୍ରଦାନ କରିଛନ୍ତି । ଏହାର ଦୁଇଗୁଣ ଅର୍ଥରାଶି ଅର୍ଥାତ ଏକ ଲକ୍ଷ ପାଇଁଚାଳିଶ ହଜାର ଦୁଇ ଟଙ୍କା ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ତରୀୟ ମୋ ସ୍କୁଲ ପରିଚାଳନା ସଂଗଠନରୁ ମ୍ୟାଚିଂ ଗ୍ରାଣ୍ଟ ହିସାବରେ ମିଳିପାରିବ।ଫଳରେ ଏହି ବିଦ୍ୟାଳୟର ୨୦୦୨ ବ୍ୟାଚର ଛାତ୍ରଛାତ୍ରୀ ମାନେ ପ୍ରଦାନ କରିଥିବା ଅର୍ଥରାଶି ତିନିଗୁଣ ହୋଇ ଦୁଇ ଲକ୍ଷ ସତର ହଜାର ପାଞ୍ଚ ଶହ ତିନି ଟଙ୍କାର ମୋ ସ୍କୁଲ ପାଣ୍ଠି ସୃଷ୍ଟି କରିବାର ବିରଳ ଗୌରବର ଅଧିକାରୀ ହୋଇଛନ୍ତି । ଏହି ଅବସରରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ ଓ ଦାୟିତ୍ବରେ ଥିବା ସହକାରୀ ଶିକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଅନ୍ୟମାନେ ମଧ୍ୟ ଏହି ଭଳି ଆଗେଇ ଆସିବାକୁ ଆହ୍ୱାନ ଜଣାଇ ସ୍ଵୀୟ ବକ୍ତବ୍ୟରେ କହିଛନ୍ତି “ଯିଏ ମୋତେ ଶିଖାଇଥିଲା ଅ… ସେ ମୋତେ ଆଜି ହାତଠାରି ଡାକୁଛି ଆ…..ତୋ ଋଣ ଶୁଝି ଦେଇ ଯା” “ଅର୍ଥଦାନ ତ ମହାପୁଣ୍ୟ, ଏକଥା ରଖ ମନେ ଧ୍ୟାନ” । ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ, ଓଡ଼ିଶା ତଥା ଭାରତର ଗୋଟିଏ ଅଗ୍ରଣୀ ଅନୁଷ୍ଠାନର ପ୍ରାକ୍ତନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଏହି ଅନୁଷ୍ଠାନକୁ ଭଲପାଉଥିବା ଅଗଣିତ ବ୍ୟକ୍ତି ବିଶେଷ ଓ ସେମାନଙ୍କର ପରିବାରର ସଦସ୍ୟ ସଦସ୍ୟାମାନଙ୍କୁ ବିନମ୍ର ନିବେଦନ କରାଯାଇଥିଲା । ଆପଣମାନେ ଏହି ଶୁଭ ମୁହୂର୍ତ୍ତରେ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ୫ଟି ଯୋଜନାରେ ସାମିଲ ହୋଇ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ ଭାରତୀୟ ଷ୍ଟେଟ ବ୍ୟାଙ୍କ ସଞ୍ଚୟ ଜମାଖାତା ନଂ ୩୭୮୩୯୩୫୭୩୯୭ ରେ ଆକାଉଣ୍ଟ ଜମା ଚେକ ଲେଖି, ଫୋନ ପେ, ଗୁଗୁଲ ପେ, ଆରଟିଜିଏସ ଆଦି ଯେ କୌଣସି ଅର୍ଥ ପ୍ରଦାନ ମାଧ୍ୟମରେ ଯେକୌଣସି ପରିମାଣର ଅର୍ଥ ଦାନ କଲେ ତାହାର ଦୁଇଗୁଣ ଅର୍ଥ ସରକାର ପ୍ରଦାନ କରିବେ ଓ ତାହା ସହିତ ବିଦ୍ୟାଳୟକୁ ୩୫ ଲକ୍ଷ ଟଙ୍କାର ୫ଟି ଗ୍ରାଣ୍ଟ ମିଳିବ । ଆମ ବିଦ୍ୟାଳୟକୁ ଅତି କମରେ ୫ ଲକ୍ଷ ଅର୍ଥରାଶି ଆଦାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାକୁ ସମ୍ପୂର୍ଣ୍ଣ କଲେ ବିଦ୍ୟାଳୟକୁ ମୋଟ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ଓଡ଼ିଶା ସରକାରଙ୍କ ଠାରୁ ମିଳିପାରିବ ଯେଉଁଥିରେ କି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ । ଆସନ୍ତୁ ଯଥାଶୀଘ୍ର ଏଥିରେ ସାମିଲ ହେବା, ବିଦ୍ୟାଳୟର ଋଣ ସୁଝିବା ଓ ଏହାର ସର୍ବାଙ୍ଗୀନ ବିକାଶରେ ଭାଗିଦାରୀ ହେବା । ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ୧୯୭୯ ବ୍ୟାଚ ପ୍ରାକ୍ତନ ଛାତ୍ରୀ ସ୍ଵର୍ଣମୟୀ ଶତପଥୀ, ଶ୍ୱେତପଦ୍ମା ମିଶ୍ର, ଶିକ୍ଷକ ସୁଭାଷ କୁମାର ନନ୍ଦ, ପ୍ରାକ୍ତନ ଛାତ୍ର ତଥା ବର୍ତ୍ତମାନର ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ପ୍ରମୁଖ ଚେକ ହସ୍ତାନ୍ତର ସମୟରେ ଉପସ୍ଥିତ ରହି ୨୦୦୨ ବ୍ୟାଚର ଛାତ୍ରମାନଙ୍କୁ ଉତ୍ସାହିତ କରି ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ଅନ୍ୟମାନେ ମଧ୍ୟ ଏହିଭଳି ଅନୁପ୍ରାଣିତ ହୋଇ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବୋଲି ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି ।