ବିଭିନ୍ନ ସ୍ଥାନରେ ଚଢ଼ାଉ : ଦେଶୀ ବିଦେଶୀ ମଦ ଜବତ ସହ ୬ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହୋଇଛି । ଏଥିରେ ସ୍ଥାନୀୟ ମାଜିଷ୍ଟ୍ରେଟ, ଅବକାରୀ ବିଭାଗ ଓ ସ୍ଥାନୀୟ ଥାନାର ପୋଲିସ ଅଧିକାରୀ ଓ ଷ୍ଟାଫମାନେ ସାମିଲ ଅଛନ୍ତି । ଏଥିସହ ଶସ୍ତ୍ରସ୍ତ ପୋଲିସ ବାହିନୀକୁ ନେଇ ଏହି ସ୍କ୍ୱାର୍ଡ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ବୁଧବାର ମଧ୍ୟ ଗଞ୍ଜାମ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ମଦ କାରବାର ଉପରେ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଏସମ୍ପର୍କରେ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ ଗଞ୍ଜାମ ଅଞ୍ଚଳର ସୀମା ଓରଫ ସିମାଞ୍ଚଳ ସାହୁ, ପ୍ରଫୁଲ୍ଲ କୁମାର ବେହେରା, ପି. ଗୌଡ଼, ପି. ଗୌତମ ପ୍ରଧାନ, ଅଜୟ ନାୟକ, ରାଜେଶ କୁମାର ଦାସ ନାମକ ୬ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଏନେଇ ଅବକାରୀ ଥାନା ପକ୍ଷରୁ ୬ଟି ମାମଲା ରୁଜୁ କରାଯାଇ ଗିରଫ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜାମ ସହରତଳି ଅଞ୍ଚଳ ପୁଇଁତଳା, ଦାମୋଦରପୁର, ଛତ୍ରପୁର ବ୍ଲକ ଅଗସ୍ତିନୁଆଗାଁ ପଞ୍ଚାୟତର ନୋଳିଆନୁଗାଁ, ଗଞ୍ଜାମ ମେଡିକାଲ ଛକ ଓ ଢାମଣା ସାହି ଛକ ଠାରେ ବୁଧବାର ସକାଳୁ ବେଆଇନ ମଦ କାରବାର ଉପରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରି ଏହି ସଫଳତା ପାଇଛନ୍ତି । ଗିରଫ ମାନଙ୍କ ଠାରୁ ୧୪୨ ଲିଟର ଦେଶୀ ମଦ ଓ ୧୦୫.୭୦୦ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ସୂଚନା ଦିଆଯାଇଛି । ଗଞ୍ଜାମ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଛତ୍ରପୁର ଅବକାରୀ ସଦର ରେଞ୍ଜର ଇନ୍ସପେକ୍ଟର, ଛତ୍ରପୁର, ଖଲିକୋଟ ଅବକାରୀ ଥାନାର ଅଧିକାରୀ ଓ ଷ୍ଟାଫ, ଛତ୍ରପୁର ଓ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଏବଂ ଗଞ୍ଜାମ ଥାନାର ଅଧିକାରୀ ଓ ଷ୍ଟାଫଙ୍କ ସମେତ ଏକ ସେକ୍ସନ ଏପିଆର ଫୋର୍ସ ଏହି ଚଢ଼ାଉ ବେଳେ ସାମିଲ ହୋଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା