ବିନା କାମରେ ଟଙ୍କା ହଡପ : ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ମନରେଗା ଯୋଜନା ବାଟବଣା ହୋଇଥିବା ନେଇ ବାଣିଆ ଗ୍ରାମର ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଏକ ଦାବି ପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ବାଣିଆ ଗ୍ରାମରେ କଣ୍ଡରାବନ୍ଧ ପୁନଃରୁଦ୍ଧାର ସହ ପାହାଚ ନିର୍ମାଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ଆସିଥିବା ମୋଟ ୧୦ ଲକ୍ଷ ଟଙ୍କାରୁ ୬ ଲକ୍ଷ ୬୦ ହଜାର ୮ ଶହ ୮୦ ଟଙ୍କା ବିଲ୍ ହୋଇଯାଇଥିବା ବେଳେ ପୋଖରି କାମ ଆରମ୍ଭ ହୋଇନଥିବା ଗ୍ରାମର ଯୁବ ଗୋଷ୍ଠି ମାନେ ଅଭିଯୋଗ କରିଛନ୍ତି । କଣ୍ଡରା ବନ୍ଧର ପାଣି ଶୁଖାନଯାଇ କିପରି ପୁନଃରୁଦ୍ଧାର ହେଲା ଓ ମନରେଗା ଟଙ୍କା କାମ ନ କରି କିପରି ଲୋକଙ୍କ ଖାତାକୁ ଗଲା ସେନେଇ ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏହା ସହିତ ବାଣିଆ ପଞ୍ଚାୟତର ପାନୀୟ ଜଳ ସମସ୍ୟା, ପରିମଳ ଅବ୍ୟବସ୍ଥା, ଜବ କାର୍ଡ ଧାରୀଙ୍କ ଠାରୁ ଜୋର ଜବରଦସ୍ତ ଦଲାଲ ମାନେ କାର୍ଡ ନେଇ ପାଖରେ ରଖି ବିଭିନ୍ନ ଯୋଜନାର ଟଙ୍କା ହଡପ କରୁଥିବା ଉକ୍ତ ଦାବି ପତ୍ର ରେ ଦର୍ଶାଇଛନ୍ତି । ଏନେଇ ପ୍ରଥମେ ବିଭାଗୀୟ ଅଧିକାରୀ ପରେ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିଲା । ଯାହା ଫଳରେ ସେମାନେ ବାଧ୍ୟ ହୋଇ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ବାଣିଆ ଗ୍ରାମର ଶତୃଘନ ଗୌଡ, ସିମାଂଚଳ ଗୌଡ, ତପନ ଗୌଡ, ପଞ୍ଚୁ ଗୌଡ, ବଳିଆ ଗୌଡ, ଜୟ ଗୌଡ, ରମେଶ ଗୌଡ, ଦୁର୍ଯ୍ୟଧନ ଗୌଡ, ବୁଦ୍ଧିଆ ଗୌଡ, ମୁନା ଗୌଡ, ଗୟା ଶଙ୍କର ଯାଦବ, ମଣ୍ଟୁ ଗୌଡ ଓ ଉମା ଶଙ୍କରଙ୍କ ସମେତ ବହୁ ଯୁବକ ମାନେ ଉପସ୍ଥିତ ଥିଲେ । ପରେ ଏ ନେଇ ଏକ ଦାବି ପତ୍ର ଡିଆରଡିଏ ପିଡିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସେମାନେ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା