ବିନା ଅନୁମତିରେ ମାଳ ମାଳ ଇଟା ଭାଟି : କୋଟି କୋଟି ଟଙ୍କା ରାଜସ୍ୱ ହାନୀ ସତ୍ୱେ ପ୍ରଶାସନ ନୀରବ…

ବାଲିପଡ଼ା (ସମୃଦ୍ଧ ଓଡିଶା) ତହସିଲଦାରଙ୍କ ପାଖରେ ପୋଡାଇଟା ଭାଟିର ତଥ୍ୟ ନାହିଁ ମାତ୍ର କୁକୁଡାଖଣ୍ଡି ତହସିଲର ବିଭିନ୍ନ ସ୍ଥାନରେ ମାଳ ମାଳ ବେଆଇନ ପୋଡାଇଟା ଭାଟି ଚାଲିଛି । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଇନକୁ ଅମାନ୍ୟ କରି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ୨୦ରୁ ଉର୍ଦ୍ଧ ବେଆଇନ ଇଟାଭାଟିରେ ଇଟାପୋଡା ଆରମ୍ଭ ହୋଇ ବିକ୍ରି ଚାଲିଛି । ବେଆଇନ ଭାଟି ଉପରେ ଚଢାଉ ନାହିଁ କି ମାଲିକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଟାନ ବି ଗ୍ରହଣ କରାଯାଉନାହିଁ । ଯାହାଦ୍ୱାରା ଏବର୍ଷ କୁକୁଡାଖଣ୍ଡି ତହସିଲ ୨୦ଲକ୍ଷ୍ୟ ଟଙ୍କା ରାଜସ୍ୱ ହରାଇବା ଆଶଙ୍କା କରାଯାଇଛି । କେତେକ ଇଟାଭାଟି ମାଲିକ ଇଟା ସଂଖ୍ୟାରେ କମ୍ ଦେଖାଇ ରାଜସ୍ୱ ଫାଙ୍କୁଥିବା ଜଣାପଡୁଛି । ଜାତୀୟ ଗ୍ରୀନ ଟ୍ୟୁବନାଲ ପୋଡାଇଟା ଭାଟିକୁ ସମ୍ପୂଣ୍ନ ଭାବେ ବେଆଇନ ଦର୍ଶାଇ ଇଟାପୋଡା ବନ୍ଦ ନିର୍ଦ୍ଧେଶ ଦେବାସହ ରାଜ୍ୟସରକାରଙ୍କୁ ବେଆଇନ ଭାଟି ଉପରେ ଚଢଉ କରି ବନ୍ଦ ନିର୍ଦ୍ଧେଶ ଦେଇଥିଲେ । ଏବଂ ଯେଉଁମାନେ ଆଇନକୁ ଉଲଙ୍ଘନ କରୁଛନ୍ତି ସେମାନଙ୍କ ନାମରେ ପ୍ରଶାସନ ତରଫରୁ ଏଫଆଇଆର ଦେବାର ମଧ୍ୟ ନିୟମ ରହିଛି । ପ୍ରଶାସନ-ଭାଟିମାଲିକଙ୍କ ସଲାସୁତୁରାରେ ରାଜସ୍ବଲୁଟ ହେବା ସହ ଆଇନ ଉଲଘଂନ କରାଯାଉଥିବା ଦେଖିବାକୁ ମିଳିଛି । ବେଆଇନ ଇଟାଭାଟି କରି ଜମିର ଉର୍ବରତା ହ୍ରାସ କରିବା, ବେଆଇନ ଶ୍ରମିକ ନିୟୋଜନ, ପରିବେଶ ପ୍ରଦୂଷଣ କରିବା ଏବଂ ଆଇନ ଅନୁଯାୟୀ ବାୟୁ ପ୍ରଦୂଷଣ ଆଇନ ଧାରା ୨୧ ଓ ଜଳ ପ୍ରଦୂଷଣ ଧାରା (୨୬) (ପିସିସି ଆକ୍ଟ ୧୯୪୭)କୁ ସମ୍ପୂଣ୍ନ ଉଲଘଂନ କରାଯାଉଥିବା ଅଭିଯୋଗ ହୋଇଛି । କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ୮ଟି ରାଜସ୍ୱ ସର୍କଲରେ ୨୦ରୁ ଉର୍ଦ୍ଧ ଇଟାଭାଟି ଆରମ୍ଭହୋଇଛି ଫଳରେ ଧୂଳି, ଧୂଆଁରେ ଅଞ୍ଚଳବାସୀ ଅତିଷ୍ଟ ହେଉଛନ୍ତି । ଜୁଗୁଡି ଇଟା ଭାଟିରେ ଶିଶୁ ଶ୍ରମିକ ମାନେ ନିୟୋଜିତ ରହି କାମ କରୁଛନ୍ତି । କିନ୍ତୁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁ ନ ଥିବାବେଳେ, ପୂର୍ବରୁ ବାର୍ଷିକ ଦୁଇରୁ ତିନି କୋଟି କୁକୁଡ଼ାଖଣ୍ଡି ତହସିଲ ରାଜସ୍ୱ ଆଦାୟ କରୁଥିବା ବେଳେ ବର୍ତ୍ତମାନ କେଇ ଲକ୍ଷ୍ୟ ଟଙ୍କାରେ ତାହା ସୀମିତ ରହୁଛି । ଅନ୍ୟପକ୍ଷରେ ନୂଆ କରି କୁକୁଡାଖଣ୍ଡି ତହସିଲର ଜଣେ ବଡବଡିଆ ବାବୁ ଏକ ଘରୋଇ କମ୍ପାନୀରେ ନିଜ ସରକାରୀ ଗାଡ଼ିରେ ତେଲ ପକାଉଥିବା ନେଇ ଚର୍ଚ୍ଚା ହେଉ ଥିଲା । ସେହିଭଳି କିଛି ଭିତିରିଆ ଡୀଲ ବେଆଇନ ଇଟାଭାଟି ନିର୍ମାତା ମାନଙ୍କୁ ସାହାଯ୍ୟ କରୁନାହିଁ ତ ? ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ କୁକୁଡାଖଣ୍ଡି ତହସିଲଦାର ଦାୟିତ୍ବରେ ଥିବା ବିଡିଓ ଗଦାଧର ପାତ୍ର କହିଛନ୍ତି ଏନେଇ ରାଜସ୍ୱ ନିରିକ୍ଷକ ମାନଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ମିଳିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତହସିଲର ଜୁଗୁଡି, ଚନ୍ଦନପୁର, ମେଦିନିପୁର, ପୁରୁଣାପାଟଣା, କଙ୍କିଆ, ହୁଗୁଳାପଟ୍ଟା, ସିହଳାରେ ଚାଲିଛି ଆନ୍ଧ୍ର ଇଟା ବେପାରୀଙ୍କ ରାଜୁତି । ଅଭିଯୋଗ କଲେ ଧମକ ମିଳୁଛି । ସ୍ଥାନୀୟ ବ୍ଲକର କିଛି ରାଜନୈତିକ ବ୍ୟକ୍ତି ତଥା ଗୁଣ୍ଡାଙ୍କ ସହ ମିଶି ଏହି କାରବାର ଚଲାଉ ଥିବାରୁ ସ୍ଥାନୀୟ ଲୋକେ ଅଭିଯୋଗ କରିବାକୁ ସାହାସ କରିପାରୁନାହାନ୍ତି । ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଶିଶୁ ଶ୍ରମିକ ମାନେ ଦୌଡ଼ିବା ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା । କିଛି ଇଟାଭାଟି ମାଲିକ ସିଧା ସଳଖ କହିବୁଲିଛନ୍ତି ରାଜନେତାଙ୍କ ଠାରୁ ପ୍ରଶାସନ ଆମ ପକେଟରେ ଅମର କେହିକିଛି କରି ପାରିବ ନାହିଁ । ଇଟାଭାଟି ମାଲିକଙ୍କ ଏହି ଧମକ ପୁର୍ଣବାର୍ତ୍ତା ସାଧାରଣରେ କୋକୁଆ ଭୟ ସୃଷ୍ଟି କରୁଛି । ସତରେ କଣ ଲୋକଙ୍କ ସୁଖ ଦୁଃଖ ବୁଝିବା ପାଈଁ ନିଯୁକ୍ତି ହୋଇଥିବା ପ୍ରଶାସନିକ ଅଧିକାର କେଇଟା ଟଙ୍କା ପାଈଁ ପୁଞ୍ଜିପତିଙ୍କ ନିକଟରେ ମୁଣ୍ଡ ବିକନ୍ତି ନା ଲୋକଙ୍କ ନଜର ହଟାଇବା ପାଇଁ ଅସାଧୁ ବ୍ୟବସାୟୀ ଏହି ବାର୍ତ୍ତା ଲୋକଙ୍କୁ ଦିଅନ୍ତି । ଅନ୍ୟପକ୍ଷରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ କୁରୁଲା ଅଞ୍ଚଳ ଏବଂ ସାନଖେମୁଣ୍ଡି ଆଡପଡା ଅଞ୍ଚଳରେ ଚାଲିଛି ଏପରି ଇଟାଭାଟି କିନ୍ତୁ ଜିଲ୍ଲା ପ୍ରଶାସନ ସବୁ ଦେଖି ଆଖି ବୁଜି ଦେଉଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି । ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ୱ ଦେବାକୁ ସ୍ଥାନୀୟ ବାସିନ୍ଧା ଦାବି କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା