ବିଜେଡି ସରକାରଙ୍କ ୫-ଟି ଓ ମୋ ସରକାର ଯୋଜନା : ଖୋଦ ସଚିବାଳୟ ଅଧିକାରୀଙ୍କ ଉପେକ୍ଷା…

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେଡି ସରକାର ୫-ଟି ଓ ମୋ ସରକାର ଯୋଜନା ଲାଗୁ କରି କର୍ମଚାରୀମାନଙ୍କୁ କର୍ମଠ ସମୟାନୁବର୍ତ୍ତିତ ନିଷ୍ଠାପର ସେବା ଦେବା ଲାଗି ପ୍ରୟାସ ଜାରି ରଖିଥିବା ବେଳେ ଖୋଦ ସଚିବାଳୟ କର୍ମଚାରୀମାନେ ଏହା ମାନୁ ନ ଥିବା ସମସ୍ତଙ୍କୁ ଚକିତ କରୁଛି । ସଂଖ୍ୟାଧିକ କର୍ମଚାରୀ ଠିକ ସମୟରେ ଦପ୍ତରକୁ ଆସୁ ନ ଥିବା ଯୋଗୁଁ ସେମାନଙ୍କ କିଛି କାମ ପାଇଁ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ଲୋକ ନାହିଁ ନ ଥିବା ହଇରାଣ ହେଉଥିବା ଅଭିଯୋଗ ହେଉଛି । କେତେ ତାଗିଦ କଲେ ବି କିଛି କର୍ମଚାରୀ ଆଦୌ କର୍ଣପାତ କରୁ ନ ଥିବା ଯୋଗୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇବାରେ ଲାଗିଛି । ଅବସ୍ଥା ଏଭଳି ହୋଇଛି ଯେ ଦିନ ୧୦ଟାସମୟରେ ଦଶ ପ୍ରତିଶତ କର୍ମଚାରୀ ବି ନିଜ ନିଜ ଆସନରେ ଉପସ୍ଥିତ ରହୁନାହାନ୍ତି । ସଚିବାଳୟ ତଥା ଲୋକସେବା ଭବନର କର୍ମଚାରୀଙ୍କ ପାଇଁ ଦପ୍ତର ସମୟ ଥିଲା ସକାଳ ୧୦ଟାରୁ ଅପରାହ୍ନ ୫ଟା । ହେଲେ ସରକାର ଚତୁର୍ଥ ଶନିବାରଟିକୁ ଆବଶ୍ୟକ ସ୍ଥଳେ ବୈଠକ ସହିତ ଛୁଟି ଘୋଷଣା କରିବାପରେ ଦପ୍ତର ସମୟ ସକାଳ ୧୦ଟା ରୁ ଅପରାହ୍ନ ୫ଟା ୩୦ଟି ହୋଇଛି ।ଏଥି ମଧ୍ୟରେ ୧.୩୦ ରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି ରହିଛି । ତେଣୁ କର୍ମଚାରୀମାନେ ସକାଳ ୧୦ଟାରେ ଆସି ଦପ୍ତରରେ ପହଞ୍ଚିବାର କଥା । ହେଲେ ମୁଖ୍ୟ ଶାସନ ସଚିବ, ବିଭାଗୀୟ ଶାସନ ସଚିବ ଓ କେତେଜଣ ହାତଗଣତି କର୍ମଚାରୀଙ୍କୁ ଛାଡି ଦେଲେ ଦିନ ୧୦ଟାରେ କାହାର ଦେଖାଦର୍ଶନ ମିଳୁନାହିଁ । କିଏ ୧୧ଟାରେ ଆସୁଛି ତ ଆଉକିଏ ୧୨ଟାରେ ଆସି ପହଞ୍ଚୁଛି । ଲୋକସେବା ଭବନ ଆଖପାଖରେ ସରକାରୀ କ୍ୱାଟର୍ସ ପାଇଥିବା କର୍ମଚାରୀମାନେ ବି ବିଳମ୍ବରେ ଆସୁଛନ୍ତି । ଦିନ ୧୦ଟା ବେଳେ ଯିଏ ଲୋକସେବା ଭବନ ଭିତରେ ପଶିବ ସେ ଏହି ଦୃଶ୍ୟ ଦେଖପାରିବ । କିଛି ମହିଳା କର୍ମଚାରୀ ଦିନ ଗୋଟାଏ ସମୟରେ ଆସୁଥିବା ଲକ୍ଷ୍ୟ କରାଯାଉଛି । ତେବେ ଯେଉଁ କର୍ମଚାରାୀମାନେ ଠିକ୍‍ ୧୦ଟା ରେ ଆସି ଦପ୍ତରରେ ଯୋଗ ଦେଉଛନ୍ତି ସେମାନେ ହାତ ବାନ୍ଧି ବସୁଛନ୍ତି । କାରଣ ଅନ୍ୟମାନେ ଆସୁନଥିବାରୁ ଦପ୍ତର କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ସବୁଠାରୁ ବଡ କଥା ହେଲା କେଉଁ କର୍ମଚାରୀ କେତେବେଳେ ଲୋକସେବା ଭବନରେ ପ୍ରବେଶ କରୁଛନ୍ତି ତାହାର ହିସାବ କାହା ପାଖରେ ନାହିଁ । କେତେକ କର୍ମଚାରୀ ନିଜ ନିଜ ପିଲାଙ୍କୁ ବିଦ୍ୟାଳୟ କିମ୍ବା ଟିଉସନରେ ଛାଡି ଦପ୍ତରକୁ ଆସୁଛନ୍ତି । ଚାରି ଫାଟକରେ ଯଦି ସିସିଟିଭି ଲଗାଇ ବିଭାଗୀୟ ସଚିବ କିମ୍ବା ଅନ୍ୟ କୌଣସି ବଡ ଅଧିକାରୀମାନେ ତଦାରଖ କରନ୍ତେ ତେବେ ବାସ୍ତବ ସ୍ଥିତି ଦେଖିପାରନ୍ତେ । କିଛିବର୍ଷ ତଳେ କର୍ମଚାରୀମାନଙ୍କ ଲାଗି ଆଣ୍ଟିନାଯୁକ୍ତ ଆଇକାର୍ଡ ପ୍ରସ୍ତୁତ ହୋଇଥିଲା । ଏଥିରେ ଥିବା ଆଣ୍ଟିନା ଓ ଫାଟକରେ କାର୍ଡ ରିଡର ଲଗାଇ କେଉଁ କର୍ମଚାରୀ କେତେବେଳେ ଆସିବେ ତାହା ଜାଣିବାପାଇଁ ଉଦ୍ୟମ ହୋଇଥିଲା । ଆଇଟି ବିଭାଗ ପକ୍ଷରୁ ମଧ୍ୟ ଏଥିପାଇଁ ବ୍ୟାପକ ଅର୍ଥ ଶ୍ରାଦ୍ଧ ହୋଇଥିଲା । ହେଲେ ସେହି ଯୋଜନା ଅଧପନ୍ତରିଆ ହୋଇ ରହିଗଲା ।ଯାହା ଏବେ କର୍ମଚାରୀମାନଙ୍କୁ ବେଶ୍‍ ସୁହାଇଛି । ସଂଖ୍ୟାଧିକ କର୍ମଚାରୀ ବିଳମ୍ବରେ ଆସୁଥିବାରୁ ସଚିବାଳୟରେ ୫-ଟି ଠିକଣା ଭାବେ କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି । କାରଣ ଯଦି କର୍ମଚାରାୀମାନେ ଠିକଣା ସମୟରେ ଦପ୍ତରକୁ ନ ଆସିବେ ତେବେ ଟାଇମ ଲିମିଟିରେ କି ଭଳି କାର୍ଯ୍ୟ ସରିବ ତାହାକୁ ନେଇ ଏବେ ଚିନ୍ତା ବଢୁଥିବା ଲକ୍ଷ୍ୟ କରାଯାଉଛି । ବିଜେଡି ସରକାରଙ୍କ ୫-ଟି ଓ ମୋ ସରକାର ଯୋଜନାକୁ କଡା କଡୀ ପାଇଁ ମୁଖମନ୍ତ୍ରୀଙ୍କ କଡା ନିର୍ଦେଶ ଯୋଗୁଁ ଏବେ ହରଡ ଘଣରେ ଆଇଏଏସ ତଥା ସଚିବାଳୟର ବଡ ଅଧିକାରୀ ମାନେ ଏହି କର୍ମଚାରୀମାନଙ୍କ ସମୟାନୁବର୍ତ୍ତିତ ଅଭାବ ଯୋଗୁଁ ।