ବିଜୁ ମହିଳା ଜନତା ଦଳର ନୂତନ ସାଂଗଠନିକ ପରିବର୍ତ୍ତନକୁ ନେଇ ଦଳ ମଧ୍ୟରେ ତୀବ୍ର ପ୍ରତିକ୍ରିୟା…

ଶାସକ ଦଳ ସଂଗଠନରେ ଯଦି ପରିବର୍ତ୍ତନ ହୁଏ ତେବେ ସବୁଆଡେ ଚର୍ଚ୍ଚା ହୁଏ । ଆଉ ଯଦି ଛୋଟ ଛୋଟ ଦଳ ବିରୋଧି ଦଳର ସଂଗଠନରେ ପରିବର୍ତ୍ତନ ହୁଏ ତେବେ ତାହା ଶାସକ ଦଳ ଅପେକ୍ଷା କମ୍ ଚର୍ଚ୍ଚା ହୁଏ । ଏବେ ଶାସକ ବିଜେଡି ଦଳରେ ଏମିତି ଏକ ପରିବର୍ତ୍ତନ ହୋଇଛି । ଯାହାକୁ ନେଇ ଖୋଦ ଶାସକ ଦଳର ବିଧାୟକ, ସାଂସଦଙ୍କ ସମେତ ନେତା ଓ କର୍ମୀମାନେ ପାର୍ଟି ଖୋଲିବାରେ ଲାଗିଛନ୍ତି । ଅବଶ୍ୟ ବିଜୁ ଜନତା ଦଳର ଏହା ହେଉଛି ଆଭ୍ୟନ୍ତରିଣୀୟ ବ୍ୟାପାର । ଯେଉଁଥି ପାଇଁ ଅନ୍ୟ ରାଜନୈତିକ ଦଳଗୁଡିକ ତାହାକୁ ଅଙ୍ଗୁଳି ଦେଖାଇବାର କୌଣସି କାରଣ ନାହିଁ । ଆମକୁ ଆସିବାକୁ ହେବ ନଭେମ୍ବର ୧୧ ତାରିଖ ଘଟଣାକୁ । ଏହିଦିନ ଅତି ତରବରିଆ ଭାବେ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଅକ୍ଷମ କମିଶନର ମିନତୀ ବେହେରା ସେମାନଙ୍କ ପଦବୀରୁ ଇସ୍ତଫା ଦେଲେ । ଲୋପାମୁଦ୍ରାଙ୍କ କାର୍ଯ୍ୟକାଳ ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଥିଲା । ତେଣୁ ତାଙ୍କର ଅତି ତରବରିଆ ଭାବେ ଇସ୍ତାଫା ଦେବାର କୌଣସି କାରଣବି ନ ଥିଲା । ମାତ୍ର କେତୋଟି ଦିନ ଅପେକ୍ଷା କରିଥିଲେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା । ଲୋପାମୁଦ୍ରା ଓ ମିନତୀ ଇସ୍ତଫା ଦେବାର କିଛି ସମୟ ପରେ ମହିଳା ବିଜୁ ଜନତା ଦଳର ଉପର ସ୍ତରରେ ଏକ ବଡଧରଣର ଅଦଳ ବଦଳ ହେଲା । ଦୀର୍ଘ ୧୬ବର୍ଷ ଧରି ମହିଳା ବିଜୁ ଜନତା ଦଳର ସଭାପତି ଥିବା ପୂର୍ବତନ ମନ୍ତ୍ରୀ ଏବଂ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଏହି ପଦବୀରୁ ହଟାଇ ଦିଆଗଲା । ତାଙ୍କ ସ୍ଥାନରେ ମିନତୀ ବେହେରାଙ୍କୁ ସଭାପତି ପଦରେ ନିଯୁକ୍ତି ଦିଆଗଲା । ମହିଳା କମିଶନ ପଦବୀରୁ ଇସ୍ତଫା ଦେଇଥିବା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଲା । ପ୍ରମିଳା ମଲ୍ଲିକଙ୍କୁ ବିଜୁ ମହିଳା ଜନତା ଦଳର ପରାମର୍ଶ ଦାତା ଭାବେ ରଖାଯାଇଥିବା ବେଳେ କସ୍ତୁରୀ ମହାପାତ୍ର, ଜ୍ୟୋତି ପାଣିଗ୍ରାହୀଙ୍କୁ ସହ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଶ୍ୱେତାସ୍ନିଗ୍ଧା ମିଶ୍ର, ସୁଲୋଚନା ଦାସ, ଗୀତାଞ୍ଜଳୀ ବସ୍ତିଆଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଅବସ୍ଥାପିତ କରାଯାଇଛି । ସୁଲାତା ଦେଓଙ୍କୁ ସାଧାରଣ ସମ୍ପାଦିକା ଓ ଏଲିନା ଦାସଙ୍କୁ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି । ଯେଉଁ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳରେ ଗୁଞ୍ଜରଣ ସୃଷ୍ଟି ହେଉଛି ତାହା ହେଲା ପ୍ରଥମେ ସଭାପତି ପଦବୀ ନେଇ । ବିଜୁ ପଟ୍ଟନାୟକଙ୍କ ସମୟରୁ ଏ ଯାବତ୍ ଯେଉଁମାନେ ମହିଳା ଜନତା ଦଳ ଓ ବିଜୁ ମହିଳା ଜନତା ଦଳର ସଭାପତି ଭାବେ ରହି ଆସିଛନ୍ତି ସେମାନଙ୍କ ମଧ୍ୟରେ ଥିଲେ ରାଜ୍ୟ ସଭା ସାଂସଦ ମୀରା ଦାସ, ବିଧାୟିକା ଏବଂ ମନ୍ତ୍ରୀ ଡାକ୍ତର କମଳା ଦାସ ଓ ବିଧାୟିକା ଓ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରାୟ ୧୬ ବର୍ଷ ଧରି ପ୍ରମିଳା ମଲ୍ଲିକ ବିଜୁ ମହିଳା ଜନତା ଦଳର ସଭାପତି ଥିଲେ । ତାଙ୍କ ପୂର୍ବରୁ କମଳା ଦାସ ସଭାପତି ବି ଥିଲେ । ତାଙ୍କ ପୂର୍ବରୁ ମୀରା ଦାସ ସଭାପତି ବି ଥିଲେ । ଏଥରର ବ୍ୟତିକ୍ରମ ହେଉଛି ମିନତୀ ବେହେରା ବିଧାୟିକା ନାହାଁନ୍ତି କି ସାଂସଦ ବି ନାହାଁନ୍ତି । ତାଙ୍କର ମଧ୍ୟ ରାଜ୍ୟସ୍ତରରେ ସଂଗଠନ ବି ନାହିଁ । ୨୦୧୪ ନିର୍ବାଚନରେ ସେ ତିର୍ତ୍ତୋଲରୁ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ । ଶେଷ ମୂହୁର୍ତ୍ତରେ ରାଜଶ୍ରୀ ମଲ୍ଲିକ ବିଜେଡି ଟିକେଟ ପାଇ ନିର୍ବାଚନରେ ବିଜୟୀ ହେଲେ । ଚର୍ଚ୍ଚା ହେଉଛି ଯେଉଁମାନେ ବିଜୁ ଜନତା ଦଳର ବିଧାୟିକା ଅଛନ୍ତି ଆଉ ମହିଳା ସାଂସଦ ଅଛନ୍ତି ସେମାନଙ୍କୁ ବିଜୁ ମହିଳା ଜନତା ଦଳରେ ସଭାପତି ନିଯୁକ୍ତି ନେଇ କୌଣସି ଆଲୋଚନା କରାଯାଇନାହିଁ । ଏବେ ସେମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛନ୍ତି । ସେମାନଙ୍କ ସହିତ ମିନତୀ ବେହେରାଙ୍କର ସେମିତି କିଛି ଯୋଗାଯୋଗ ବି ନାହିଁ । ଏହା ଆଜି ନ ହେଲେ ମଧ୍ୟ ଆସନ୍ତା କାଲିକୁ ଏକ ବିସ୍ଫୋରଣର କାରଣ ଯେ ନ ହେବ ତାହା କହିହେବନି । ଆଉ ଏକ ପ୍ରସଙ୍ଗକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ତାହା ହେଲା ଲୋପାମୁଦ୍ରା ବକ୍ସିପାତ୍ରଙ୍କର ମହିଳା କମିଶନ ଅଧ୍ୟକ୍ଷା ପଦବୀରୁ ଇସ୍ତଫା । ଲୋପାମୁଦ୍ରାଙ୍କୁ ନିଯୁକ୍ତି ମିଳିଛି ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ । ଏହି ପଦବୀରେ ଶ୍ୱେତାସ୍ନିଗ୍ଧା ମିଶ୍ର ଓ ଗୀତାଞ୍ଜଳି ବସ୍ତିଆଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଶ୍ୱେତା ମହିଳା ସମବାୟ ନିଗମର ସଭାପତି ଥିବା ବେଳେ ଗୀତାଞ୍ଜଳୀ ଶିଶୁ ଅଧିକାର ସୁରକ୍ଷା କମିଶନର ସଭ୍ୟ ଅଛନ୍ତି । ଯଦି ଲୋପାମୁଦ୍ରା ତାଙ୍କ ପଦବୀରୁ ଇସ୍ତଫା ଦେଲେ ତେବେ ଏହି ଦୁଇଜଣ ସେମାନଙ୍କ ପଦବୀରୁ ଇସ୍ତଫା କାହିଁକି ନ ଦେବେ । ଏସବୁ ଘଟଣା ଧର୍ମକୁ ଆଖିଠାର ପରି ଲାଗୁଛି ବୋଲି ଚର୍ଚ୍ଚା ହେଉଛି । ବିଜୁ ମହିଳା ଜନତା ଦଳ ହେଉଛି ବିଜୁ ଜନତା ଦଳର ଛାମୁଆ ସଂଗଠନ । ଏହି ଦଳଟି ଶକ୍ତିଶାଳୀ ହେଲେ ବିଜୁ ଜନତା ଦଳ ଶକ୍ତି ପାଇବ । ତେବେ ଯେଭଳି ଭାବେ ବିଜୁ ମହିଳା ଜନତା ଦଳରେ ପରିବର୍ତ୍ତନ ଅଣାଗଲା ଆଉ ତାକୁ ନେଇ ଦଳ ଭିତରେ ଜୋରଦାର ଚର୍ଚ୍ଚା ଚାଲିଛି ତାହା ବିଜୁ ଜନତା ଦଳ ପାଇଁ ଶୁଭଙ୍କର ହେବ କି ନାହିଁ ସମୟ ହିଁ କହିବ ।