ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ଵରେ ବ୍ରହ୍ମପୁର ମହାନଗରରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ଆଗ ଧାଡ଼ିର ସବୁ ନେତୃତ୍ୱ ଦେଶି ବେହେରା ସାହି ସ୍ଥିତ ବିଜୁ ପ୍ରତିମୂର୍ତ୍ତିରେ ମାଲ୍ଲ୍ୟାର୍ପଣ କରି ଆସିକା ରୋଡ ସ୍ଥିତ ବିଜୁ ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱର୍ଗତଃ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ । ଏହାସହ ବିଜୁ ପଟ୍ଟନାୟକ ପାର୍କ ନିକଟରେ ମହାନଗରର ସମସ୍ତ ୱାର୍ଡରୁ ହଜାର ହଜାର ସଂଖ୍ୟାରେ କର୍ମୀ ଏବଂ ଜନ ସାଧାରଣ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସମୂହକୁ ଭିଡ଼ିଓ ବାର୍ତା ଦ୍ଵାରା ଉଦ୍ ବୋଧନ ଦେଇ ଗତ ୨୫ ବର୍ଷରେ ବିଜୁ ଜନତା ଦଳ ଏକ ଆନ୍ଦୋଳନରେ ପରିଣତ ହୋଇଥିବା କହି ଆଗାମୀ ଦିନରେ ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଅହରହ ଉଦ୍ୟମ କରିବା ପାଇଁ ପରାମର୍ଶ ଦେବା ସହ, ସାଢେ଼ ଚାରି କୋଟି ଓଡିଆଙ୍କ ପାଇଁ ବିଜୁ ଜନତା ଦଳ ପ୍ରତିବଦ୍ଧତା ସମ୍ପର୍କରେ କହିଥିଲେ । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭର୍ଚୁଆଲ ମାଧ୍ୟମରେ ନବୀନ ବାବୁଙ୍କ ଦୂର ଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଲାଗି ଓଡ଼ିଶା ଆଜି ସବୁ କ୍ଷେତ୍ରରେ ଆଗକୁ ଆଗକୁ ବଢ଼ି ଚାଲିଛି । ବିଜେଡି ପୂର୍ବର ଓଡ଼ିଶା ଏବଂ ଆଜିର ଓଡ଼ିଶାର ପରିବର୍ତ୍ତନ ବିଷୟରେ ବହୁ ଉଦାହରଣ ଦେଇ ନବୀନ ବାବୁଙ୍କ ନୂତନ ଓଡ଼ିଶାର ଲକ୍ଷ୍ୟକୁ ପୂରଣ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ସାଂସଦ ଚନ୍ଦ୍ର ଶେଖର ସାହୁ ଏହି ସମାବେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ବ୍ରହ୍ମପୁରର ବିକାଶ ସମ୍ଭବ ହୋଇପାରିଛି ବୋଲି କହିବା ସହ ଆଗାମୀ ଦିନରେ ଅନେକ ବିକାଶ କାର୍ଯ୍ୟ ସମ୍ପନ୍ନ ହେବାକୁ ଅଛି ବୋଲି କହିଥିଲେ । ଗଞ୍ଜାମ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏହି ସମାବେଶରେ ବିଜେଡିର ଶୃଙ୍ଖଳା ଏବଂ ବିକାଶ ବିଷୟରେ ଅବତାରଣା କରିବା ସହ ଯୁବ ବିଧାୟକ ଶ୍ରୀ ପଣ୍ଡାଙ୍କ ଲାଗି ଅନେକ କାର୍ଯ୍ୟ ହୋଇଛି ଏବଂ ଅନେକ ହେବାକୁ ବାକି ଅଛି ବୋଲି କହିଥିଲେ । ବ୍ରହ୍ମପୁର ବାସୀଙ୍କ ଅତି ପ୍ରିୟର ଜନ ପ୍ରତିନିଧି ତଥା ମାନ୍ୟବର ବିଧାୟକ ବିକ୍ରମ କୁମାର ପଣ୍ଡା ଏହି ସମାବେଶକୁ ଉଦବୋଧନ ଦେଇ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ତଥା ଭାରତରେ ଇତିହାସ ରଚିଥିଲା ଏବଂ ଓଡ଼ିଶାର ଘରେ ଘରେ ଏବଂ ପୂରପଲ୍ଲୀରେ ପରିଚିତ ଥିବା ସମସ୍ତଙ୍କ ଅତି ପ୍ରିୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ଆଜି ଓଡିଶା ନୁହଁ ଭାରତ ନୁହଁ ସମଗ୍ର ବିଶ୍ୱ ଗର୍ବିତ ଏବଂ ସେହି ଜନ ପ୍ରିୟ ନେତାଙ୍କ ଲାଗି ଆଜି ବ୍ରହ୍ମପୁରର ବିକାଶ ଆଜି ଦ୍ଵିଗୁଣିତ ହୋଇଛି ବୋଲି କହିବା ସହ ଦୀର୍ଘ ଦିନ ଧରି ରହିଥିବା ପାନୀୟ ଜଳର ସମସ୍ୟା ସମାଧାନ ହୋଇପାରିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଲାଗି ଏବଂ ସବୁ ବର୍ଗର ଲୋକଙ୍କ ସହ ଯୋଡ଼ି ହୋଇ ବ୍ରହ୍ମପୁର ତଥା ଓଡ଼ିଶାର ବିକାଶ ଅବ୍ୟାହତ ରହିବ କହି ସମସ୍ତ ଜନ ସାଧାରଣଙ୍କ ସହଯୋଗ ଏବଂ ଆଶୀର୍ବାଦ କାମନା କରିଥିଲେ । ବିଜୁ ଜନତା ଦଳର ସିଲଭର ଜୁବୁଲି ଅବସରରେ ଆଜି ୨୮ କୋଟି ଟଙ୍କା ଅଟକଳରେ ବ୍ରହ୍ମପୁର ସହରରେ ପାଞ୍ଚୋଟି ସ୍ମାର୍ଟ୍ ରୋଡର ଶୁଭ ଦିଆଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ବିଧାୟକଙ୍କ ସହିତ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର କମିଶନର, ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଏବଂ ଆଗ ଧାଡ଼ିର ସବୁ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଜନ ସମାରୋହ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ବ୍ରହ୍ମପୁର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା