ବାହନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଯାତ୍ରୀ ମୃତ, ୩୮୨ଜଣ ଚିକିତ୍ସାଧୀନ : ମୂଖ୍ୟ ଶାସନ ସଚିବ

ଭୁବନେଶ୍ୱର(ସମୃଦ୍ଧଓଡିଶା)ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୩୮୨ଜଣ ଚିକିତ୍ସାଧୀନ ଅଛନ୍ତି । ଶେଷ ବଗିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଓ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାସହିତ ଶବ ଚିହ୍ନଟ ପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ଫୋରେନ୍ସିକ ଲ୍ୟାବ୍ ଦ୍ୱାରା ଡିଏନଏ ପରୀକ୍ଷା କରାଯିବ ବୋଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ୧୧୭୫ଜଣ ଯାତ୍ରୀ ଭର୍ତ୍ତି ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୭୯୩ଜଣଙ୍କୁ ଇତିମଧ୍ୟରେ ଡିସଚାର୍ଜ କରାଯାଇଥିବାବେଳେ ୩୮୨ଜଣ ଚିକତ୍ସାଧୀନ ଅଛନ୍ତି । ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି ।ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ରେଳବାଇ କ୍ରେନ୍ ସହାୟତାରେ ଶେଷ ବଗିକୁ ଉଠାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯଦି କିଛି କେହି ମୃତାହତ ଠାବ ହୁଅନ୍ତି, ତା’ହେଲେ ସେ ସମ୍ପର୍କରେ ସୂଚନା ଦିଆଯିବ । କେନ୍ଦ୍ର କ୍ୟାବିନେଟ୍ ସଚିବ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପରାମର୍ଶ ତଥା ଭୁବନେଶ୍ୱରସ୍ଥିତ ଏମସ ନିର୍ଦ୍ଦେଶକଙ୍କ ସହ ବିଚାରବିମର୍ଶ ପରେ ରାଜ୍ୟ ସରକାର ୧୬୦ଜଣ ଯାତ୍ରୀଙ୍କ ଶବକୁ ଭୁବନେଶ୍ୱର ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏସବୁ ଶବକୁ ଏମସ୍ ଓ ଭୁବନେଶ୍ୱରରେ ଥିବା ବିଭିନ୍ନ ହସ୍ପିଟାଲର ଶବଗୃହରେ ରଖାଯିବ । ସେମାନଙ୍କ ସମ୍ପର୍କୀୟମାନେ ଆସିଲେ ରାଜ୍ୟ ସରକାରଙ୍କ ଅଫିସରମାନେ ସେସବୁ ସ୍ଥାନକୁ ନେଇ ଶବ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ କରିବେ । ପ୍ରତ୍ୟେକ ଶବ ରହିଥିବା ବ୍ୟାଗରେ ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ଫଟୋ ରହିଛି । ଯାହାଫଳରେ ସେମାନଙ୍କ ସମ୍ପର୍କୀୟମାନେ ଚିହ୍ନଟ କରିବା ସହଜ ହେବ । ରାଜ୍ୟ ସରକାର ମଧ୍ୟ ଚିହ୍ନଟ ହୋଇପାରୁନଥିବା ଶବର ଡିଏନଏ ନମୂନା ସଂଗ୍ରହ କରି ରଖିବା ପାଇଁ ରାଜ୍ୟ ଫୋରେନ୍ସିକ ଲ୍ୟାବକୁ କହିଛନ୍ତି । ଯେଉଁ ଶବଗୁଡ଼ିକର କେହି ଦାବିଦାର ନଥିବେ ତା’ର ପୋଷ୍ଟମର୍ଟମ ୪୮ଘଣ୍ଟା ଭିତରେ ମେଡ଼ିକୋ-ଲିଗାଲ୍ ଆଇନ ଅନୁସାରେ କରାଯିବ । ରାଜ୍ୟ ସରକାର ଏବେ ଶବ ଚିହ୍ନଟ, ଶବ ହସ୍ତାନ୍ତର ଓ  ସେସବୁକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି ।ଏବେ ପ୍ରାୟ ୨୦୦ଜଣ ଯାତ୍ରୀ ଆବଶ୍ୟକ ଚିକିତ୍ସା ପରେ ମେଡିକାଲରୁ ଫେରିଛନ୍ତି । ପ୍ରାୟ ୭୫୦-୮୦୦ ଯାତ୍ରୀ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁୂସାରେ ମୋଟ ୧୧୭୫ଜଣ ଯାତ୍ରୀ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭୯୩ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି । ଏବେ ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ମୋଟ ୩୮୨ଜଣ ଯାତ୍ରୀ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।