ବାସୁଧା ଓ ଜଳ ଜୀବନ ମିଶନରେ ହେରଫେର ଓ ହରିଲୁଟ ଅଭିଯୋଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ଜନସାଧାରଣ ଜଳକଷ୍ଠରୁ ରକ୍ଷା ପାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଜଳ ଜୀବନ ଯୋଜନା ଓ ରାଜ୍ୟ ସରକାରଙ୍କର ବସୁଧା ଯୋଜନା ଏପରି ଅନେକ ବହୁବିଧ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି ସରକାର । ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରରେ ସରକାରଙ୍କର ଏହି ଜନ କଲ୍ୟାଣ ମୂଖି ଜଳ ଯୋଗାଣ ଯୋଜନା ବିଭାଗୀୟ ଯନ୍ତ୍ରୀଙ୍କ ହରିଲୁଟ ଯୋଗୁଁ ପ୍ରକଳ୍ପ ନିର୍ମାଣ ଫେଲ ମାରିଥିବା ବେଳେ ଦୁଷିତ ପାଣି ଉପରେ ନିର୍ଭର କରୁଛନ୍ତି ଅଞ୍ଚଳର ଗ୍ରାମବାସୀ । କେବଳ ଗୋଟିଏ ପଞ୍ଚାୟତରେ ନୁହଁ ବରଂ ଖଲ୍ଲିକୋଟ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସଚେତନ ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ଅଭିଯୋଗ ପ୍ରକାରେ ଗୋଟିଏ ଯୋଜନାକୁ ବିଭିନ୍ନ କିସମର ରୂପ ଦେଇ ତଥା ପୁରୁଣା କାର୍ଯ୍ୟକ୍ଷମ ପାଣି ଟ୍ୟାଙ୍କିକୁ ରଙ୍ଗ କରି ନୂତନ ଭାବେ ପରିଚାଳିତ ଯୋଜନାର ଫଳକ ଲଗାଇ ସରକାରୀ ଅର୍ଥକୁ ତୋଷାରପାତ କରିଥିବା ଅଭିଯୋଗ ହୋଇଛି । ଉତ୍କଟ ଜଳ ସମସ୍ୟାକୁ ପ୍ରତିହତ କରିବା ନିମନ୍ତେ ଆସୁଥିବା ବିଭିନ୍ନ ଅର୍ଥ ବା ଅନୁଦାନକୁ ଗୋଟିଏ ପ୍ରକଳ୍ପକୁ ଦେଖାଇ ଓ ଫଳକ ପରିବର୍ତ୍ତନ କରି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ମଧୁ ଚନ୍ଦ୍ରିକାରେ ସମ୍ପୂର୍ଣ୍ଣ ଅର୍ଥର ହେରଫେର କରାଯାଉଥିବା ଅଭିଯୋଗ ମିଳିଛି । ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଡିମ୍ବିରିଆ ପଞ୍ଚାୟତ ଏନ୍. ବରପଲ୍ଲୀ, ବି. ବରପଲ୍ଲୀ ଗ୍ରାମରେ ଜଳ ଯୋଗାଣ ନିମିତ୍ତ ଷ୍ଟାଣ୍ଡପୋଷ୍ଟ ଓ ଘରୋଇ ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ ବିଛା ଯାଇଥିଲେ ମଧ୍ୟ କିଛି ଜାଗାରେ ସାମାନ୍ୟ ମରାମତି କରି ଜଳ ଯୋଗାଣ, ଗୃହ ଏବଂ ପାଣି ଟ୍ୟାଙ୍କ ରଙ୍ଗେଇ କାର୍ଯ୍ୟକ୍ରମ ସହ ନୂତନ ଯୋଜନାର ସମସ୍ତ ଅର୍ଥ ହରିଲୁଟ୍ କରିଦେଇଥିବା ଶୁଣିବାକୁ ମିଳିଛି । ସେହିପରି କୋମଣ୍ଡ ପଞ୍ଚାୟତ ଗୁଡିଝରରେ ମଧ୍ୟ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ବସୁଧା ଓ ଜଳ ଜୀବନ ମିଶନ ଯୋଜନାରେ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ନୂତନ ଜଳ ଯୋଗାଣ କାର୍ଯ୍ୟର ଦର୍ଶନ ମିଳୁନାହିଁ । ଏଭଳିକି ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ବହୁବାର ବ୍ୟତିକ୍ରମ ହେଉଥିବା ଓ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏପରିକି ବହୁ ପଞ୍ଚାୟତରେ ଜନ ସଂଖ୍ୟା ବୃଦ୍ଧି ହୋଇଥିଲେ ମଧ୍ୟ ପୁରୁଣା ଢାଞ୍ଚାରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆ ଯାଉଥିବାରୁ ସ୍ଥାନୀୟ ବାସିନ୍ଦା ପାନୀୟ ଜଳ ପାଇବାରେ ଅସୁବିଧା ହେଉଥିବା ଦେଖାଯାଇଛି । ଏହି ବିଷୟରେ ସ୍ଥାନୀୟ ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସେ ଏହାକୁ କର୍ଣ୍ଣପାତ ନକରି ନିଜର ଆର୍ଥିକ ବ୍ୟବସ୍ଥା ସଜାଡ଼ିବାରେ ବ୍ୟସ୍ତ ରହୁଛନ୍ତି ବୋଲି ବୟସ୍କ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି । ଯନ୍ତ୍ରୀଙ୍କ ପଲ୍ଲା ଭାରି ଥିବାରୁ ଭିଜିଲାନ୍ସ ଠାରୁ ବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପକେଟରେ ବୋଲି ଦୃଢ଼ତା ସହକାରେ କୁହନ୍ତି ଯନ୍ତ୍ରୀ ମହାଶୟ । ଏପରିକି ହେବିୱେଟ୍ ନେତାଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଯନ୍ତ୍ରୀଙ୍କ କଥାରେ ଉଠ୍ ବସ୍ ହେଉଛନ୍ତି ବୋଲି କହିବାକୁ ପଛାଇ ନାହାନ୍ତି ଯନ୍ତ୍ରୀ ମହୋଦୟ। ସେଥିପାଇଁ ବୋଧେ ସଂପୃକ୍ତ ଯନ୍ତ୍ରୀଙ୍କ ବିନା ଇସାରାରେ ଖଲ୍ଲିକୋଟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଡିଭିଜନରେ ପତ୍ରଟିଏ ହଲେନି କି ଫାଇଲ ମଧ୍ୟ ଘୁଞ୍ଚେ ନାହି । ଏ ସବୁ ଦୁର୍ନୀତିର ମୁଖ୍ୟ କର୍ପୋଟଦାର ଯନ୍ତ୍ରୀ ମହାଶୟ ହୋଇଥିବା ବେଳେ ବିଭିନ ସ୍ଥାନରେ ସେ ସ୍ଥାବର ଅସ୍ଥାବର ସମ୍ପତ୍ତି ଠୁଳ କରି କୋଟାଧିପତିର ମାଲିକ ହୋଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ସରକାରଙ୍କର ଜନକଲ୍ୟାଣ ବିଶୁଦ୍ଧ ପାନୀୟ ଜଳ ଯୋଜନା ଫେଲ୍ ମାରିଥିବା ବେଳେ ବିଭାଗୀୟ ଯନ୍ତ୍ରୀଙ୍କ ପାଇଁ କଲ୍ୟାଣ ଯୋଜନା ବୋଲି ଲୋକମାନେ ଏପରି କଟୁ ମନ୍ତବ୍ୟ କରୁଛନ୍ତି । ଏପରିକି ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଅମନ ପଣ୍ଡାଙ୍କ ଗଜପତି ଜିଲ୍ଲା ଗୁମ୍ମାକୁ ଗତ ମେ ମାସ (ଚିଠି ସଂଖ୍ୟା PR-DWSS (FE)-MISC-0037-2018-9748 ତା୨୭-୫-୨୨ରିଖରେ) ବଦଳି ହୋଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରି ନ କରିବା ପଛରେ କାହାର ଆଶିର୍ବାଦ ରହିଛି ତାହା ତଦନ୍ତ ପରିସରଭୁକ୍ତ କରିବା ଜରୁରୀ ବୋଲି ଖଲ୍ଲିକୋଟ ବ୍ଲକ ଏବଂ ଏହାର ଅଧିନରେ ଥିବା ବିଭିନ୍ନ ପଞ୍ଚାୟତ ବାସିନ୍ଦା ଦାବି କରିଛନ୍ତି । ବିଭିନ୍ନ ସୂତ୍ରରୁ ଖବର ପାଇ ଚିଠି ସଂଖ୍ୟା ୩୨୧୭ ତା୨୨-୯-୨୨ରିଖରେ ଖଲ୍ଲିକୋଟ ବିଡ଼ିଓ ଉକ୍ତ କାରନାମା ଯନ୍ତ୍ରୀଙ୍କ କଳା କାରନାମା ବିଷୟରେ ବିଭାଗୀୟ ଅଧିକ୍ଷଣଯନ୍ତ୍ରୀଙ୍କୁ ଅବଗତ କରାଇବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସୁପାରିଶ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଭାଗ ତରଫରୁ କୌଣସି ଦୃଷ୍ଟାନ୍ତମୁଳକ ପଦକ୍ଷେପ ନିଆଯାଇନଥିବା ଜଣାପଡିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଉକ୍ତ କଳା କାରନାମା ଯନ୍ତ୍ରୀଙ୍କ ଚେର କେଉଁଠି ?

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା