ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବୈଠକ : ଜଳେଶ୍ୱରକୁ ସବ୍ ଡିଭିଜନାଲ ଡାକ୍ତରଖାନା ମାନ୍ୟତା ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏପରିକି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତରପଦବୀ ପୂରଣ ହେଉନଥିବାରୁ ସ୍ୱାସ୍ଥ୍ୟସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇଛି । ଅତିଶୀଘ୍ର ଫକୀରମୋହନ ମେଡିକାଲ କଲେଜରେ ସ୍ନାୟୁ ଓ ହୃଦ୍‌ରୋଗ ବିଭାଗର ଡାକ୍ତର ନିଯୁକ୍ତି ତଥା ଜଳେଶ୍ୱରକୁ ସବ୍‌ଡିଭିଜନାଲ ଡାକ୍ତରଖାନାର ମାନ୍ୟତା ଦେବାକୁ ଦାବି ହୋଇଛି । ଆଜି ଜଳେଶ୍ୱରସ୍ଥିତ ଦିଗମ୍ବରି ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ବାଲେଶ୍ୱର ସରକାରୀ କଲେଜର କ୍ରିୟାନୁଷ୍ଠାନ କମିଟି ଜୋନାଲ ସ୍ତରୀୟ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଅଂଚଳକୁ ନେଇ ଏହି ଜୋନାଲ କମିଟି ଗଠିତ ହୋଇଥିବା ବେଳେ ଜଳେଶ୍ୱର କମିଟିର ସଭାପତି ବିଷ୍ଣୁପଦ ମହାନ୍ତି ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ଦେଇଥିଲେ । ଏଥିରେ ଜିଲା ସଭାପତି ମମତା ମହାପାତ୍ର ଯୋଗ ଦେଇ ବାଲେଶ୍ୱରରେ ଏକ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନା ପ୍ରତିଷ୍ଠା ଲାଗି ଏହି କମିଟି ଦୁର୍ବାର ଆନ୍ଦୋଳନ ଗଢି ତୋଳିଥିଲା । ଏବେବି ବିଭିନ୍ନ ଦାବି ଲାଗି ଏହି କମିଟି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଜୋରଦାର କରୁଛି । ଡାକ୍ତର ନିଯୁକ୍ତି ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଜିଲାରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଓ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଦୈତ୍ୟ ଶାସନ ଯୋଗୁଁ ଲୋକେ ସ୍ୱାସ୍ଥ୍ୟସେବା ଠିକ୍‌ଭାବେ ପାଇପାରୁନଥିବା କହିଥିଲେ । କାର୍ଯ୍ୟକାରୀ ସଭାପତି ନିରଂଜନ ପରିଡା, ସଂପାଦକ ପ୍ରଦୀପ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଉପସଭାପତି କୁମୁଦ ରଂଜନ ଗିରି, ଇଂ ହୃଷିକେଷ ସାହୁ ପ୍ରମୁଖ ଜିଲା କମିଟିର କର୍ମକର୍ତ୍ତାମାନେ ବିଭିନ୍ନ ଦାବି ଓ ଡାକ୍ତର ନିଯୁକ୍ତି ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋନାଲ ସଂପାଦକ ଦିଲ୍ଲିପ କୁମାର ଗିରି, କମଳ ଚକ୍ରବର୍ତ୍ତୀ, ଡ. ଲଳିତରଂଜନ ସେନାପତି, ଜ୍ୟୋତିନ୍ଦ୍ର ମହନ୍ତି, ଶ୍ୟାମାଚରଣ ଦାସ, ଚିତ୍ତରଂଜନ ଦାସ, ରମେଶ ଜେନା ପ୍ରମୁଖ ଜଳେଶ୍ୱରର ସ୍ୱାସ୍ଥ୍ୟ ବିଭାଗ ସଂପର୍କରେ କହିଥିଲେ । ସଂପାଦକ ଅଜିତ୍ ମହାନ୍ତି ମଂଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆସନ୍ତା ଜାନୁଆରୀ ୨ ତାରିଖରେ କମିଟିର ଜିଲାସ୍ତରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ ହେବ ବୋଲି ଆଜି ସଭାରେ ଘୋଷଣା କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା