ବାରାକ ସାହିର ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ବାହାରିଲା ପଜିଟଭ : ସାରା ଅଞ୍ଚଳ ସିଲ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହରର ବାରାକ ସାହିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ସୂଚନା ଅନୁଯାୟୀ ସେହି ସାହିରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ଦୁଇଟି ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସେଇ ଅଞ୍ଚଳକୁ ସିଲ କରାଯାଇଥିବା ଘୋଷଣା କରାଯାଇଛି । ଚିହ୍ନଟ ହୋଇଥିବା ଦୁଇ ଜଣଙ୍କୁ ଟାଟା କୋଭିଡ଼ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାଯାଇଛି । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରାକ ସାହିର ପୋଲିସ ବାରାକଠାରୁ ଜି.ସାନ୍ତାମ୍ମା ଘର ପର୍ଯ୍ୟନ୍ତ ଇଲାକାକୁ ସିଲ କରାଯାଇଛି । ଏହାସହ ଏହି ଅଂଚଳ ସଲଗ୍ନ ବିଦ୍ୟାଧରନଗର, ରାମକୃଷ୍ଣନଗର, ଶଙ୍କର ମଠସାହି ଏବଂ ରିକାପଲ୍ଲୀ ଛକକୁ ପ୍ରଶାସନ ପକ୍ଷରୁ ବଫର ଜୋନ ଘୋଷଣା କରାଯାଇ ସିଲ କରାଯାଇଥିବା ସାହିର ଲୋକମାନଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ଜରୁରୀ କାର୍ଯ୍ୟ ନ ଥିଲେ ବାହାରକୁ ଯିବାକୁ ଏବଂ ବାହାରେ ବୁଲାବୁଲି କରିବା ମଧ୍ୟ କଟକଣା ଜାରି କରାଯାଇଛି । ସାହି ବାସିନ୍ଦାଙ୍କ ସୁରକ୍ଷା ନିମନ୍ତେ ଶନିବାର ଏନଏସି ପକ୍ଷରୁ ଛତ୍ରପୁର ଦମକଳ ବାହିନୀଙ୍କ କର୍ମଚାରୀଙ୍କ ଦ୍ୱାରା ବିଶୋଧନ କରାଯାଇଥିବା ବେଳେ ରବିବାର ସକାଳୁ ଦୁଇଟି ଟିମ୍ ଦ୍ୱାରା ସାହିର ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଲକ୍ଷଣ ଉପରେ ବିଭିନ୍ନ ଡାଟା ସଂଗ୍ରହ କରାଯାଇଛି । ସାହିର ୧୧୨ ପରିବାରର ୪୦୮ ଜଣ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିବା ଅଙ୍ଗନବାଡ଼ି କର୍ମୀ ମଞ୍ଜୁବାଳା ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗୋଟିଏ ଟିମରେ ଅଙ୍ଗନବାଡ଼ି କର୍ମୀ ମଞ୍ଜୁବାଳା ପାଣିଗ୍ରାହୀ ଓ ସ୍ୱାସ୍ଥ୍ୟ ବିଭାଗର ଟିଟୁ ବେହେରା ରହିଥିବା ବେଳେ ଆଉ ଗୋଟିଏ ଟିମରେ ଅଙ୍ଗନବାଡ଼ି କର୍ମୀ ଝୁନୁ ବେହେରା ଏବଂ ସ୍ୱାସ୍ଥ୍ୟ ବିଭାଗର ଅବୀର କୁମାର ସାହୁ ରହିଛନ୍ତି । ଏହି ଦୁଇଟି ଟିମ୍ ଲୋକମାନଙ୍କୁ କରୋନା ମୁକାବିଲା ଉପରେ ମଧ୍ୟ ସଚେତନ କରାଇଛନ୍ତି । ଅପରପକ୍ଷରେ ସାହି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ ଯେହେତୁ ଆମ ସାହିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି, ତେଣୁ ସମସ୍ତଙ୍କର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାବ୍ ଟେଷ୍ଟ କରିବା ନିମନ୍ତେ ସାହି ବାସିନ୍ଦାମାନେ ଏହି ଦୁଇଟି ଟିମକୁ ଅନୁରୋଧ କରିଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା