ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ସମ୍ମେଳନ-ସଂସ୍କୃତ ହିଁ ବିଶ୍ୱର ଆଦିଭାଷା : ସାମାଜିକ ପରମ୍ପରା ରକ୍ଷାର ମୂଳ ଉତ୍ସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ଜଳେଶ୍ୱର ବ୍ଲକର ଶାଳିକୋଠାସ୍ଥିତ ୧୧୨ବର୍ଷର ଅନୁଷ୍ଠାନ ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ସଂସ୍କୃତ ସମ୍ମେଳନ (ସଂଗୋଷ୍ଠି) ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ହିଁ ବିଶ୍ୱର ଆଦିଭାଷା ହୋଇଥିବାର ବେଳେ ଏବେ ଭାରତରେ ସଂସ୍କୃତ ଭାଷାର ଆଦର କମୁଛି ଏପରିକି ସଂସ୍କୃତ ଭାଷାପ୍ରତି ଉଦାସୀନତା ଦେଖା ଦେଉଛି ବୋଲି ଆଜିର ସମ୍ମେଳନରେ ମତପ୍ରକାଶ ପାଇଛି । ସୃଷ୍ଟିର ଆରମ୍ଭରେ ବେଦର ପ୍ରଚଳନ ଥିବା ବେଳେ ତାହା କେବଳ ସଂସ୍କୃତ ଭାଷାରେ ଲେଖା ଯାଇଥିଲା । ତେଣୁ ସଂସ୍କୃତକୁ ସବୁଭାଷାର ମା ବୋଲି କୁହା ଯାଇଥାଏ । ଭାରତୀୟ ସଂସ୍କୃତିରେ ପୂଜ୍ୟପୂଜା ଓ ସଂସ୍କୃତି ରକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସଂସ୍କୃତ ଭାଷାର ବିଭାଶ ଘଟିପାରୁନାହିଁ ବୋଲି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ବିଜୟ କୁମାର ମିଶ୍ର କହିଛନ୍ତି । ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁ ଅଧ୍ୟକ୍ଷତା କରି ସଂସ୍କୃତ ଓ ସଂସ୍କୃତିକୁ ରକ୍ଷା କରିବାଲାଗି ଆଜି ସମାଜରେ ଆହ୍ୱାନ ସୃଷ୍ଟି ହୋଇଥିବା କହିଥିଲେ । ମୁଖ୍ୟବକ୍ତାଭାବେ ପଣ୍ଡିତ ଶଷ୍ଠୀଚରଣ ନନ୍ଦ ଯୋଗ ଦେଇ ସଂସ୍କୃତ ଭାଷା ଓ ସଂସ୍କୃତି ଯୋଗୁଁ ଦେଶର ସଂଘତି ସ୍ଥାପନ ହୋଇଆସୁଥିବା ବେଳେ ଏବେ ମାତୃଭାଷା ଓ ମାତୃଭୂମୀ ପ୍ରତି ଆଦର କମୁଥିବା କହିଛନ୍ତି । ସଂସ୍କୃତ ଏକ ମୃତଭାଷା ନୁହେଁ ବରଂ ସଂସ୍କୃତଭାଷାରେ ଲିଖିତ ବେଦ ସମଗ୍ର ପୃଥିବୀକୁ ବସୁଦେବ କୁଟୁମ୍ବକମ୍ ଭାବେ ବାନ୍ଧି ରଖିଥିବା କହିଥିଲେ । ଏଥିରେ ଶରତ କୁମାର ପଣ୍ଡା, ମନୋରଂଜନ ଦାସ, ଡ. ଅଜିତ୍ କୁମାର ମହାନ୍ତି, ରାଜେନ୍ଦ୍ର କୁମାର ପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଯୋଗ ଦେଇ ଗ୍ରାମ୍ୟ ଜୀବନରେ ବନ୍ଧୁତ୍ୱ ଭାଇଚାରା ସଂସ୍କୃତି ପରମ୍ପରା ରକ୍ଷାରେ ସଂସ୍କୃତ ଭାଷା ଏକ ସେତୁପରି କାର୍ଯ୍ୟ କରିଥାଏ ବୋଲି କହିଥିଲେ । ସଂଜୟ କୁମାର ଦାଶ ମଂଚ ଆହ୍ୱାନ କରିଥିବା ବେଳେ କାର୍ତ୍ତିକେଶ୍ୱର ପାତ୍ର ସୂଚନା ପ୍ରଦାନ କରିଥିଲେ । ମୁଖପତ୍ର ସୁଶ୍ରୀ ଓ ଗିରିଶ କୁମାର ପାଣିଗ୍ରାହୀଙ୍କ ଲିଖିତ ଶିକ୍ଷାପ୍ରଦ ପୁରାଣ କାହାଣୀକୁ ମୂଖ୍ୟଅତିଥି ଲୋକାର୍ପିତ କରିଥିବା ବେଳେ ୫ଜଣ ପଣ୍ଡିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସର୍ବୋର୍ଚ୍ଚ ନମ୍ବର ରଖିଥିବା ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟ ଅଧିନ ବାଗୀଶ୍ୱର ସଂସ୍କୃତ ମହାବିଦ୍ୟାଳର ଛାତ୍ର ଶୁଭଙ୍କର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ଗୁରୁପ୍ରସାଦ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା