ବର୍ଷା ଅଭାବରୁ ମରୁଡି ଆଶଙ୍କା:ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ପ୍ରାକ ପ୍ରସ୍ତୁତି ବୈଠକ…

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲାରେ ବର୍ଷାର ଅଭାବ ଯୋଗୁଁ ଠିକ ସମୟରେ ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି ।ଫଳରେ ଚାଷୀମାନେ ଘୋର ଚିନ୍ତାରେ ପଡିଥିବା ବେଳେ ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୃଷି ବିଭାଗ ସହିତ ଅନ୍ୟାନ୍ୟ ପାରିପାର୍ଶିକ ସଂପର୍କ ଥିବା ବିଭାଗ ଗୁଡକର ଅଧିକାରମାନଙ୍କୁ ନେଇ ଏକ ଜରୁରୀ ବୈଠକ ଡାକି ଖସଡା ପ୍ରସ୍ତୁତ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଖରିଫ୍ ଋତୁରେ ମୁଖ୍ୟ ହେଉଛି ଧାନଚାଷ । ଏଠାରେ ଚାଷକାର୍ଯ୍ୟ ଆଗୁଆ ଆରମ୍ଭ ହୋଇଥାଏ । ୪ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ଅର୍ଦ୍ଧାଧିକ ଜମିରେ ଧାନଚାଷ ହୋଇଥାଏ । ଜୁଲାଇ ମାସ ମଧ୍ୟ ଭାଗ ସୁଦ୍ଧା ଜିଲେଲାର ୨୨୦ ମିମି ବର୍ଷା ହେବା କଥା, ଅଦ୍ୟାବଧି ଏହା ୭୦ ମିଲିମିଟରରେ ସୀମିତ ରହିଛି । ଧାନତଳି ଗୁଡିକରେ ସମୟ ଅତିକ୍ରାନ୍ତ ହୋଇଯାଇଛି । ଏହି ଅବସ୍ଥାରେ ସମଗ୍ର ପ୍ରଶାସନ ଚାଷୀର ନିକଟତର ହେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସଅଳ କିସମ ଧାନଗୁଡିକର ବିହନ ପୁନର୍ବାର ସଂଗୃହୀତ ହେବ । ପ୍ରାଥମିକ ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ଆବଣ୍ଟନ ହେବ । ଅଣଧାନ ଫସଲ ଯଥା- ମୁଗ,ବିରି, ଚିନାବାଦମ ପ୍ରଭୃତି ବିହନ ପର୍ଯ୍ୟାପ୍ତ ମାତ୍ରାରେ ଚାଷୀଙ୍କୁ ଯୋଗାଇ ଦିଆଯିବ । ଧନେଇ,ବାଘୁଆ,ହରଭଙ୍ଗା ଓ ଋଷିକୂଲ୍ୟା ପ୍ରକଳ୍ପ ଗୁଡିର ଜଳକୁ ନିୟନ୍ତ୍ରିତ କରି ଚାଷ ଜମିରେ ଜଳସେଚିତ କରାଯିବ । ଏପରି ପରିସ୍ଥିତିରେ ଚାଷୀ କ’ଣ କରିବା ଉଚିତ୍ ତାର ଏକ ପ୍ରଚାର ପତ୍ର ଓଡିଆ ଭାଷାରେ ଲିପବଦ୍ଧ ହୋଇ ଜିଲ୍ଲାସାରା ବଣ୍ଟନ ହେବ । କୃଷି ବିଭାଗ ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର କରି ଚାଷୀମାନଙ୍କ ପାଖରେ ବାର୍ତା ପହଞ୍ଚାଇବେ । ଉଦ୍ୟାନ ବିଭାଗ, କୃଷି ବିଭାଗ ଆକାଶବାଣୀ ମାଦ୍ୟମରେ ଚାଷୀମାନଙ୍କୁ ପରାମର୍ଶ ଦେବେ । ପ୍ରଧାନମନ୍ତ୍ରୀ କୃଷିବୀମାକୁ ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଅବଧି ଜୁଲାଇ ୩୧ ତାରିଖ ଥିବା ସ୍ଥଳେ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ରାଜ୍ୟ ସରକାରକୁ ଚିଠି ଲେଖିବେ । ରାଜସ୍ୱ ନିରୀକ୍ଷକ, ଗ୍ରାମସେବାକ ଓ ଏଚ୍.ଡି.ଏଫ୍.ସି. ବୀମା କମ୍ପାନୀର ଏଜେଣ୍ଟ ମିଳିତ ଭାବରେ ଗ୍ରାମସ୍ତରରେ ସ୍ୱଳ୍ପ ବୃଷ୍ଟିର ସର୍ଭେ କରିବେ । ଏଥିରେ ଗ୍ରାମକୁ ଏକକ ଭାବେ ନିଆଯିବ । ଚାଷ ବ୍ୟାହତ ହେଲେ ସଂପୃକ୍ତ ଚାଷୀ କିପରି ବୀମାରାଶି ପାଇପାରିବ ସେଥିପ୍ରତି ଯତ୍ନଶୀଳ ହେବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଅପବୃଷ୍ଟିର ସଠିକ୍ ଚିତ୍ର ତିନିଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । କୃଷିଋଣ ପାଇଁ ଚଳିତ ବର୍ଷ ୪୬୩ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସ୍ଥଳେ ଏହା ପୂରଣ ହୋଇପାରୁ ନଥିବାରୁ ଋଣ ମେଳାର ଆୟୋଜନ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ୧୬୬୨ ଗୋଟି ଉପଜଳସେଚନ ପ୍ରକଳ୍ପକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ରଖାଯିବ । ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ବୃକ୍ଷରୋପଣ କରିବାକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ପ୍ରବେସନାରୀ ଆଇଏଏସ୍ ଅଫିସର କିର୍ତୀ ଭାସନ ଭି, ଡେପୁଟି କଲେକ୍ଟର ଡ.ଦିବ୍ୟଲୋଚନ ମହନ୍ତ, କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା,ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦିଗାମ୍ବର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ ଥିଲେ ।

ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା