ବର୍ଷାରେ ଭୁଷୁଡିଲା ଘର : ପର ଓଳି ଏକମାତ୍ର ଭରସା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୨ ଦିନ ଧରି ବାଲେଶ୍ୱର ଜିଲାର ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ କେତେକ ସ୍ଥାନରେ ଅଘଟଣ ଘଟିଛି । ସେଥିରେ ୪ଟି ଘର ଭୁଷୁଡି ଯାଇଥିବା ଜଣାଯାଇଛି । ଫଳରେ ସେମାନେ ଅନ୍ୟଲୋକଙ୍କ ଚାଳିଆରେ ବାସ କରିବାକୁ ବାଧ୍ୟ ହେଉଛନ୍ତି । ଗତ ସୋମବାର ଠାରୁ ତୁହାକୁତୁହା ଲଘୁଚାପ ବର୍ଷା ଲାଗି ରହିଛି । ବର୍ଷା ଫଳରେ ଜଳ ନିଷ୍କାସିତ ହୋଇନପାରି ବିଭିନ୍ନ ସ୍ଥାନରେ ଘର ଓ ଦାଣ୍ଡ ଦୁଆର ବୁଡିଯାଇଛି । ଲଗାଣ ବର୍ଷାରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟସାହି ଗାଁର ମହାଦେବ ପାତ୍ରଙ୍କ ଘର ଭୁଷୁଡି ଯାଇଛି । ୪ ସଦସ୍ୟ ପିଶିଷ୍ଟ ପରିବାରର ଲୋକେ ବର୍ତ୍ତି ଯାଇଥିବା ବେଳେ ବହୁ ଆସବାପତ୍ର ମାଟିତଳେ ପୋତି ଯାଇଛି । ଫଳରେ ତାଙ୍କର ବ୍ୟାପକ କ୍ଷତି ଘଟିଛି । ସେହିପରି ବର୍ତ୍ତନା ପଂଚାୟତର ଖରିଦା ଗାଁର ରବିନ୍ଦ୍ର ମହାଳିକଙ୍କର ୨ମହଲା ମାଟିଘର ଭୁଷୁଡି ଯାଇଛି । ଆଜି ଦ୍ୱି ପ୍ରହରରେ ବର୍ଷା ଚାଲିଥିବା ବେଳେ ଘରଟି ଭୁଷୁଡି ପଡିଥିଲା । ଦିନବେଳା ଯୋଗୁଁ ଘରେ କେହି ନଥିବାରୁ ପରିବାରଲୋକେ ଆହତ ହୋଇନଥିବା ବେଳେ ଘରର ସମସ୍ତ ଆସବାପତ୍ର ନଷ୍ଟ ହୋଇଛି । ଏପରିକି ଘରୁ ଚାଉଳ, ଧାନ, ଲୁଗାପଟା ଉଦ୍ଧାର କରିବା ସମ୍ଭବ ହୋଇପାରିନାହିଁ । ଏ ସମ୍ପର୍କରେ ୨ଟି ପରିବାର ସ୍ଥାନୀୟ ରାଜସ୍ୱ ନିରିକ୍ଷକଙ୍କୁ ସବିଶେଷ ଲିଖିତ ଜଣାଇଛନ୍ତି । ସେହିପରି ନଛିମପୁର ଗାଁର କୃପାସିନ୍ଧୁ ପାତ୍ର ଓ ଲାଙ୍ଗୁଡସାହି ଗାଁର ଗୋପାଳ ଜେନାଙ୍କ ଘର ମଧ୍ୟ ବର୍ଷାଯୋଗୁଁ ଭୁଷୁଡି ଯାଇଛି । ବର୍ଷାବେଳେ ଅନ୍ୟତ୍ର ଯାଇପାରିନଥିଲେ ମଧ୍ୟ ପରିବାରବର୍ଗ ପଡୋଶୀଙ୍କ ଘରେ ମୁଣ୍ଡ ଗୁଞ୍ଜୁଛନ୍ତି । ଅସ୍ଥାୟୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା