ବନ୍ଦୀଜୀବନ ବିତାଉଥିବା କଏଦୀମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏକ ଅଭିନବ ପ୍ରୟାସ !…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ଉପ-କାରାଗାରରେ ବନ୍ଦୀଜୀବନ ବିତାଉଥିବା କଏଦୀ ମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ନିକଟରେ ଚର୍ଚ୍ଚାରେ ଆସିଥିବା ଛତ୍ରପୁର ଜେଲ୍ ରେ ଦୀର୍ଘ ୪ବର୍ଷ ଧରି ବନ୍ଦୀଜୀବନ ବିତାଉଥିବା ଗଞ୍ଜାମ ବ୍ଳକ୍ ର ମଲାଡ଼ ଗ୍ରାମର ଆର.ଚିତ୍ତରଞ୍ଜନ ( ୨୮ ) ଦୀର୍ଘ ୮ ମାସ ହେଲା ନିଜସ୍ୱ ଖର୍ଚ୍ଚରେ ପ୍ରଥମେ ଆରମ୍ଭ କରିଥିଲେ ଚିତ୍ରକଳା କାର୍ଯ୍ୟ, ଏହାକୁ ଆକର୍ଷିତ ହୋଇଛନ୍ତି ଜେଲ୍ ଅନ୍ତେବାସୀମାନେ, ଜେଲ୍ ଅନ୍ତେବାସୀଙ୍କ ମଧ୍ୟରେ ଦୁଇଜଣ କଏଦୀ ତାଙ୍କରି ସହଯୋଗୀ ପାଲଟିଛନ୍ତି । ସେମାନେ ହେଲେ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ପଞ୍ଚାୟତର ତେଲୁଗୁ ନୂଆଗାଁର ପ୍ରଶାନ୍ତ ଦାସ (୨୫), ରାମେୟାପଲ୍ଲୀର ପି.ରବି (୨୬) ଅଟନ୍ତି । ଏହି ଦୁଇଜଣ ଆର. ଚିତ୍ତରଞ୍ଜନଙ୍କୁ ଗୁରୁ ଭାବେ ମାନି ଯାଇଛନ୍ତି । ଗୁରୁଙ୍କ ଠାରୁ ଅଭିନବ ଚିତ୍ରକଳା ଶିକ୍ଷା ଲାଭ କରି ସହଯୋଗର ହାତବଢ଼ାଇ ସେମାନେ ଅନେକ କଳାକୌଶଳର ଚିତ୍ତାକର୍ଷକ ଚିତ୍ରାଙ୍କନର ପାରଦର୍ଶିତା ପ୍ରଦର୍ଶନ ପୂର୍ବକ ଜେଲ୍ ରେ ପ୍ରତିଦିନ ଏହି ଟାଇମ ପାସ ଭଳି କାର୍ଯ୍ୟ କରି ଅନ୍ୟ ମାନଙ୍କୁ ଉତ୍ସାହିତ କରି ଆସୁଛନ୍ତି । ଆହୁରି ଅନେକ ଯୁବପୀଢ଼ି, ବୟସ୍କ, ବୃଦ୍ଧ ମାନେ ଶୃଙ୍ଖଳିତଭାବେ ଜେଲ୍ ରେ ବନ୍ଦୀଜୀବନ ଭିତ୍ତିରେ ମିଳିତ ହୋଇ ଅନେକ ହସ୍ତକର୍ମ ମାଧ୍ୟମରେ ଘରୋଇ ବ୍ୟବହୃତ ଝାଡୁ ଅବା ଘରେ ଓଳାଉଥିବା କାର୍ଯ୍ୟରେ ବ୍ୟବହାରରେ ଆସୁଥିବା ବିଭିନ୍ନ ପ୍ରକାର ଝାଡୁ ତିଆରି କରାଯିବାରେ ଶୃଙ୍ଖଳିତ କଏଦୀ ମାନଙ୍କୁ ଶିକ୍ଷା ଦିଆଯାଉଛି । ଏହି କଏଦୀମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବାରେ ଗଞ୍ଜାମ ଜିଲ୍ଲାପ୍ରଶାସନ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ମଙ୍ଗଳବାର ଠାରୁ ଏକ ତିନିଦିନିଆ କର୍ମଶାଳାରେ ଓରମାସ ଏବଂ ମିଶନଶକ୍ତିର ମିଳିତ ଆନୁକୂଲ୍ୟରେ ଗଞ୍ଜାମଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ସୌଜନ୍ୟରେ ଏକ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଛତ୍ରପୁର ସବଜେଲ୍ ପରିଦର୍ଶନରେ ଯାଇଥିଲେ । ଅନ୍ତେବାସୀଙ୍କ କଳାକାର୍ଯ୍ୟ, ଏବଂ ଘରୋଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଏହିସବୁ ହସ୍ତକର୍ମ ମାଧ୍ୟମର ସ୍କିଲ ଡେଭଲପ୍ମେଣ୍ଟ କାର୍ଯ୍ୟର ତଦାରଖ କରି ନିୟୋଜିତ ଥିବା ଜେଲ୍ ଅନ୍ତେବାସୀଙ୍କୁ ପ୍ରେରଣା ଦେଇଥିଲେ ଏବଂ ଜେଲ୍ ଅଧିକାରିଣୀ ଶ୍ରୀମତୀ ଶୁଭସ୍ମିତା ବିଶ୍ୱାଳଙ୍କ ସହ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଥିଲେ । ଏହାସହିତ ଜିଲ୍ଲାପାଳ ଜେଲ୍ କର୍ମଚାରୀଙ୍କ ସହ କଥାବାର୍ତ୍ତା କରି ସ୍କିଲଡେଭଳ୍ପମେଣ୍ଟ କାର୍ଯ୍ୟରେ ପରିମାର୍ଜିତ କରାଇ ଜେଲ୍ ଅନ୍ତେବାସୀଙ୍କୁ ଉତ୍ସାହିତ କରାଇବା ଦିଗରେ ମନୋନିବେଶ କରାଇବା ଭଳି ସୂତ୍ରର ଅବଲମ୍ବନ କରାଇବାକୁ ଓରମାସ ଏବଂ ମିଶନ ଶକ୍ତିର ଅଧିକାରୀଙ୍କୁ ବୁଝାଇଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା