ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ୍‌ !

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ନୂଆଦିଲ୍ଲୀ – ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌। ଟ୍ରେନ୍‌ଟି ଦ୍ରୁତ ଗତିରେ ଟ୍ରାକ୍‌ରେ ଛୁଟି ଆସୁ ଥିବା ବେଳେ ଏକ ଟ୍ରାକ୍ଟର ରେଲୱେ ଗେଟ୍‌ ଭାଙ୍ଗି ଟ୍ରାକ୍‌ରେ ପିଟି ହୋଇ ଯାଇ ଥିଲା। ଏପରି ଏକ ଅଘଟଣ ଗତକାଲି ସନ୍ଧ୍ୟାରେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଘଟିଛି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ରାଜଧାନୀ ଏକ୍ସପ୍ରେସ୍‌ ବୋକାରୋର ଭୋଜୁଡିହ ଷ୍ଟେଶନ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ ଆସୁଥିବା ବେଳେ ନିକଟରେ ଥିବା ସାନ୍ଥାଲଡିହ ରେଲୱେ କ୍ରସିଂକୁ ବନ୍ଦ କରାଯାଇଥିଲା। ତଥାପି ହଠାତ୍‌ ଦ୍ରୁତ ଗତିରେ ଏକ ଟ୍ରାକ୍ଟର ମାଡ଼ି ଆସି ରେଲୱେ କ୍ରସିଂକୁ ଭାଙ୍ଗି ଭିତରକୁ ପଶି ଆସି ଥିଲା। ଏହାପରେ ଟ୍ରେନ୍‌ ଟ୍ରାକ୍‌ରେ ପିଟି ହୋଇ ଟ୍ରାକ୍ଟରଟି ଘଟଣାସ୍ଥଳରେ ପଡି ରହି ଥିଲା। ଦୂରରୁ ଏହା ଦେଖିପାରି ରାଜଧାନୀ ଏକ୍ସପ୍ରେସ୍‌ ଡ୍ରାଇଭର ବ୍ରେକ୍‌ ମାରି ଟ୍ରେନ୍‌ଟିକୁ ଅଟକାଇ ଦେଇ ଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ସମସ୍ତେ ରକ୍ଷା ପାଇଯାଇଥିଲେ। ଏଥିଯୋଗୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ରାଜଧାନୀ ଏକ୍ସପ୍ରେସ୍‌ ୪୫ ମିନିଟ୍‌ ବିଳମ୍ବ ହୋଇଥିଲା।ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାଯାଇଛି। ପୋଲିସ୍‌ ଟ୍ରାକ୍ଟରଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ରେଲବାଇ ପକ୍ଷରୁ ସେଠାରେ ମୁତୟନ ହୋଇଥିବା ଗେଟ୍‌ମ୍ୟାନ୍‌ଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶାରେ ଗତ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାମନରୁ ନ ଲିଭିଣୁ ଏପରି ଖବର ସମସ୍ତଙ୍କୁ ଭୟଭୀତ କରାଉଛି।

ରିପୋର୍ଟ : ପ୍ରଭାତ କୁମାର ବେହେରା