ବଙ୍ଗୋପସାଗରେ ଦାନା ବାନ୍ଧୁଛି ବାତ୍ୟା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୨୩ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଟ୍ୱିଟ କରି ସୂଚନା ଦେଇଛନ୍ତି । ୨୪ କିମ୍ବା ୨୫ ବେଳକୁ ବାତ୍ୟା ଆରମ୍ଭ ହେବ ବୋଲି ସାଇକ୍ଲୋନ ସେଣ୍ଟର ଆଶଙ୍କା କରୁଛି । କିନ୍ତୁ ଏନେଇ ସଠିକ ଭାବେ ଏଯାଏ କିଛି ଆକଳନ କରାଯାଇନାହିଁ । ଆସନ୍ତାକାଲି ଆଡକୁ ଏନେଇ ଏହାର ଚିତ୍ର ସ୍ପଷ୍ଟ ହୋଇଯାଇପାରେ ବୋଲି ସୂଚନା ଦିଆଯାଇଛି । ତେବେ ଏହା ବାତ୍ୟାର ରୂପ ନେବକି ନାହିଁ, ଏହା କେଉଁ ଦିଗରେ ଗତି କରିବ ସେନେଇ ପାଣିପାଗ ବିଭାଗ ଅନୁଶୀଳନ କରୁଛି । ବାତ୍ୟା ତୌତେ ପ୍ରଭାବରେ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ସହ ଗୁଜୁରାଟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ସୂଚନାଯୋଗ୍ୟ, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତଉକତେ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ପବନ ବହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ବଡ ବଡ ଗଛ ସାଙ୍ଗକୁ ବିଦ୍ୟୁତ ଖୁଣ୍ଟ ଓ ମୋବାଇଲ ଟାୱାର ସବୁ ଭାଙ୍ଗି ରାସ୍ତାରେ ଉପରେ ପଡିରହିଛି । ଏବେବି ଗୁଜୁରାଟରେ ବର୍ଷା ଲାଗିରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜୁରାଟର ନିରାପଦ ସ୍ଥାନକୁ ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଗୁଜରାଟରେ ପହଂଚିବା ପୂର୍ବରୁ ମହାରାଷ୍ଟ୍ରର ମୁମ୍ବାଇରେ ତାଣ୍ଡବ ରଚିଥିଲା ତାଉତେ । ଏଥିସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ରାଜ୍ୟରେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ପ୍ରାୟ ୬ ଜଣଙ୍କର ମୃତ୍ୟୁ ହେବା ସହ କିଛି ଲୋକ ଆହତ ହୋଇଛନ୍ତି ।