ଫସଲ ହାନି ଜନିତ କ୍ଷତିପୂରଣ, ଋଣ ଛାଡ ଓ ଧାନ ବିକ୍ରି ଦାବିରେ ନାମ୍ପୋ ଆରଆଇ ଅଫିସ ସାମ୍ନାରେ ସତ୍ୟାଗ୍ରହ ଓ ଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ନାମ୍ପୋ ଆର.ଆଇ ଅଫିସ ସାମ୍ନାରେ ଆଜି ସକାଳ ୧୦ ଘଟିକା ଠାରୁ ଚାଷୀମାନଙ୍କ ବିଭିନ୍ନ ଦାବି ନେଇ ନାମ୍ପୋ କୃଷକ ସମାଜ ପକ୍ଷରୁ ଯୁବ ସମାଜ ସେବୀ ଗୋପାଳ କୃଷ୍ଣ ଜେନାଙ୍କ ନେତୃତ୍ବରେ ଅତ୍ୟାଗ୍ରହ ଓ ଧାରଣା ଜାରି ରହିଛି । ଗତ ଯାୱାଡ ବାତ୍ୟା ଜନିତ ବର୍ଷା ଓ ଚାକୋଡ଼ା ପୋକପାଇଁ ଖରିଫ ଫସଲ ନଷ୍ଟ ହୋଇଯାଇଛି । ମାତ୍ର ଆର ଆଇ ଫସଲ ହାନି ଜନିତ କ୍ଷତିର ଠିକ ଆକଳନ କଲେ ନାହିଁ । କ୍ରପ କଟିଙ୍ଗ ଠିକ୍ ଭାବରେ ନକରିବା ଯୋଗୁଁ ଚାଷୀମାନେ କ୍ଷତି ପୁରାଣ ପାଇଲେ ନାହିଁ କିମ୍ବା ସେମାନଙ୍କ ଋଣ ମଧ୍ୟ ଛଡ଼ା ହେଲା ନାହିଁ । ସେହିପରି ବର୍ଷା ଜନିତ ଘର ଭାଙ୍ଗି ଟଙ୍କା ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ । କାଳିଆ ଓ ବଳିଆ ଯୋଜନାରେ ଏବେ ପର୍ଯ୍ୟନ୍ତ ବହୁ ଚାଷୀ ବାଦ ପଡିଛନ୍ତି । ବହୁ ଗରିବ ଲୋକଙ୍କୁ ଆଜି ସୁଦ୍ଧା ଘର ଦିହ ପଟ୍ଟା ମିଳିଲା ନାହିଁ । ନମ୍ପୋ ସେବା ସମବାୟ ସମିତି ଅଧୀନରେ ୫୫୦ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କଠାରୁ ଧାନ ଠିକ୍ ଭାବରେ କିଣା ଯାଉ ନାହଁ । ଏ ସବୁର ପ୍ରତିବାଦରେ ଆଜି ଆମ୍ପୋ କୃଷକ ସମାଜ ପକ୍ଷରୁ ଧାରଣା ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଚାଷୀଙ୍କ ଠାରୁ ଅବିଳମ୍ବେ ଧାନ କିଣା ଯାଉ । ଗତ ବାତ୍ୟା ଓ ରୋଗପୋକ ଯୋଗୁ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ସହିତ କୃଷି ଋଣ ଛାଡ କରାଯାଉ । କାଳିଆ ଓ ବଳିଆ ଯୋଜନାରେ ଯୋଗ୍ୟ ଚାଷୀ ଓ ଭାଗ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଉ ।ଦିଆଯାଇଥିବା ଟୋକନ ମୁତାବକ ଚାଷୀଙ୍କଠୁ ସବୁଧାନ କିଣାଯାଉ ବୋଲି ଦାବି କରି ଶତାଧିକ ଚାଷୀ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ପ୍ରଦେଶ ସଭାନେତ୍ରୀ ମମତା କୁଣ୍ଡୁ, ସମାଜ ସେବୀ ମାମା ପଣ୍ଡା, ଜଳେଶ୍ୱର କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ହେମନ୍ତ ଗିରି, ନେତ୍ରୀ ଜୟଶ୍ରୀ ଯେନା, ସିତାରାଣୀ ଦାସ, ସରସ୍ୱତୀ ପାତ୍ର, ସୁଭଦ୍ରା ପାତ୍ର, ବ୍ଲକ କଳାକାର ସଂଘ ସଭାପତି ଚନ୍ଦ୍ରମୋହନ ରାଉଳ, କମଳ ଲୋଚନ ଭୂୟାଁ, ପ୍ରଦୂଷ ନାରାୟଣ ଷଡଙ୍ଗୀ, ବିଜୟ ଅଧିକାରୀ, ସୁଶୀଲ କୁମାର ଦାସ, କାହ୍ନୁ ଚରଣ ଦାସ, ଜଗବନ୍ଧୁ ଦାସ ପ୍ରମୁଖ ନେତୃସ୍ଥାନୀୟ ବ୍ୟକ୍ତିମାନେ ଏଥିରେ ଯୋଗଦେଇ ସମର୍ଥନ ଜଣାଇଥିଲେ । ଘଟଣା ସ୍ଥଳରେ ଜଳେଶ୍ୱର ଥାନା ଅଧିକାରୀ ରୋଜଲିନି ବେହେରା ପହଞ୍ଚି ଆନ୍ଦୋଳନ ଜାରିଙ୍କ ସହିତ ଆଲୋଚନା କରିଥିଲେ । ମାତ୍ର ଦାବି ପୁରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ କାରୀ ମାନେ ଧାରଣା ଓ ସତ୍ୟାଗ୍ରହରୁ ଉଠିବେ ନାହିଁ ବୋଲି ଜଣାଇଛନ୍ତି । 

ରିପୋର୍ଟ : ଭୂପତି ପରିଡା