ପ୍ରଶାସନର ଚଢାଉ ସତ୍ୱେ ବି ସୁବର୍ଣ୍ଣରେଖା ନଦୀରୁ ବନ୍ଦ ହେଉନି ଚୋରା ବାଲି ଚାଲାଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ୨୩ଟି ବାଲି ସୌରାତରୁ କାଁ, ଭାଁ ଛାଡିଦେଲେ ଅଦ୍ୟାବଧି ନିଲାମ ହୋଇ ପାରିନାହିଁ । ଫଳରେ ବ୍ୟାପକ ଚାହିଦା ଥିବାରୁ ବିଭିନ୍ନ ବାଲି ସୌରାତ ଓ ବିଭିନ୍ନ ଗାଁ ନିକଟ ନଦୀ ପଠାରୁ ରାତିତମାମ ଚୋରାରେ ବାଲି ଚାଲାଣ ହୋଇ ଆସୁଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିନରେ ଚଢାଉ କରାଯାଉଥିଲେ ମଧ୍ୟ ରାତିରେ ହେଉଥିବା ଚୋରା ଚାଲାଣକୁ ରୋକାଯାଇ ପାରୁନାହିଁ । ଦକ୍ଷିଣ ପ୍ରହରାଜପୁର, ଗୁଆଗଡିଆ, ମାକିଡିଆ, ବେହେରାସାହି, ତୋଟାପଡା, ଗୋବରଘଟା, ରାଜନଗର, ଶିଖରପୁର, ରାୟାଁରାମଚନ୍ଦ୍ରପୁର, ମହମ୍ମଦନଗରପାଟଣା, ଗଡସାହି ବାଲିଆପାଳ ଇତ୍ୟାଦି ସ୍ଥାନରୁ ରାତିରେ ଶହଶହ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହୋଇ ଆସୁଛି । ରାତି ୧୦ରୁ ଭୋର ପର୍ଯ୍ୟନ୍ତ ଏପରି କାର୍ଯ୍ୟ ଚାଲୁଥିବା ବେଳେ ପ୍ରଶାସନର ତତ୍ପରତା ପ୍ରକାଶ ପାଉନାହିଁ । ପଶ୍ଚିମବଂଗକୁ ଶହ ଶହ ଟ୍ରାକ୍ଟର ବାଲି ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଅଂଚଳରେ ନିର୍ମାଣ କାର୍ଯ୍ୟ ବାଲି ଅଭାବରୁ ଆଗେଇ ପାରୁନାହିଁ । ତେଣୁ ବାଲି ଚୋରୀ ବ୍ୟାପକ ଭାବେ ହେଉଛି ଓ ପ୍ରଶାସନ ତାର ପ୍ରତିକାର କରିବାରେ ସଫଳ ହୋଇ ପାରୁ ନାହିଁ । କୌଣସି ନିତୀ ନିୟମକୁ ନ ମାନି ଅଭିଯୁକ୍ତମାନେ ବାଲି ଚାଲାଣ କରୁଥିବା ବେଳେ କେତେକ ତଳିଆ କର୍ମଚାରୀ ପରୋକ୍ଷଭାବେ ସହାୟତା କରୁଥିବା ଅଭିଯୋଗ ହେଉଛି । ସୌରାତ ଗୁଡିକୁ ନିଲାମ ଦିଅଗଲେ ଏପରି ଚୋରାଚାଲାଣ କେତେକାଂଶରେ କମିଯିବାର ସମ୍ଭାବନା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

ରିପୋର୍ଟ : ଭୂପତି ପରିଡା