ପ୍ରବାସୀ ଶ୍ରମିକଙ୍କ ପାଇଁ ପୁଣି ଆରମ୍ଭ ହୋଇଛି ସ୍ୱତନ୍ତ୍ର ଟ୍ରେନ୍ ସେବା…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ମାସ ଧରି ଠପ୍ ହୋଇ ଯାଇଥିବା ଜୀବନ ଜୀବିକାକୁ ପୁଣି ଆରମ୍ଭ କରିବାକୁ ଟ୍ରେନ ସେବା ଆରମ୍ଭ ହୋଇଛି । କରୋନା ସଙ୍କଟ ଟଳି ନ ଥିଲେ ବି ଏବେ ଭୟ ସହ ଭିଟାମାଟି ଛାଡ଼ି ପୁଣି ଥରେ କର୍ମକ୍ଷେତ୍ର ସୁରଟ୍ ମୁହାଁ ହୋଇଛନ୍ତି ପ୍ରବାସୀ । କରୋନା ସଙ୍କଟ ଯୋଗୁଁ ଜୀବନ ଓ ଜୀବିକା ଆଶାରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଫେରି ଆସିଥିଲେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ । ହେଲେ କରୋନା ଯୋଗୁଁ ମାସ ମାସ ଧରି କିଛି କାମ ଧନ୍ଦା ନ ପାଇ ବସିବା ପରେ ପେଟର କଷ୍ଟ କରୋନାକୁ ଯେପରି ମାତ୍ ଦେଇଛି । ବର୍ତ୍ତମାନ କରୋନା ଭୁତାଣୁ ସଂକ୍ରମଣ ସଙ୍କଟକୁ ଆଦରି ନେଇ କାମ ସନ୍ଧାନ ଓ ରୋଜଗାର ଆଶାରେ ସୁରଟ୍ ଯିବାକୁ ଶ୍ରମିକମାନେ ସଜବାଜ ହେବା ଆରମ୍ଭ କରିଲେଣି । ସେଥିପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଟ୍ରେନ୍ ସେବା । ଆଜି ସକାଳ ୧୦ଟା ୪୦ମିନିଟରେ ପୁରୀ-ଓଖା ଏକ୍ସପ୍ରେସ୍ ଖୋର୍ଦ୍ଧା ଛାଡ଼ିବ । ବ୍ରହ୍ମପୁରରେ ଏହା ୧୨ଟା ୪୦ ମିନିଟରେ ପହଞ୍ଚିବାକୁ ଥିବା ବେଳେ ଶ୍ରୀକାକୁଲମ୍, ବିଜୟନଗରମ୍ ହୋଇ ଓଖାରେ ପହଞ୍ଚିବ । ଖୋର୍ଦ୍ଧା ରୋଡ୍ ଏବଂ ବ୍ରହ୍ମପୁର ରେଳଷ୍ଟେସନ ଶ୍ରମିକ ଏହି ଟ୍ରେନରେ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସୂଚନାଯୋଗ୍ୟ, ଗତକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଖୋର୍ଦ୍ଧା ରୋଡରୁ ଗୁଜରାଟ୍ ଅଭିମୁଖେ ବାହାରିଛି । ଏହାସହ ଖୋର୍ଦ୍ଧା ରୋଡ୍-ଗାନ୍ଧୀ ଧାମ୍ ଟ୍ରେନ୍ ଖୋର୍ଦ୍ଧା ରୋଡରୁ ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧ଟା ୪୦ମିନିଟରେ ଛାଡ଼ିବ । ବ୍ରହ୍ମପୁର, ରାୟଗଡ଼ା, ଟିଟିଲାଗଡ଼ ଦେଇ ଏହି ଟ୍ରେନ୍ ଗୁଜରାଟରେ ପହଞ୍ଚିବ ବୋଲି ଜଣାପଡିଛି ।