ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଭଡା ବହନ କରିବ କଂଗ୍ରେସ….

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଦୀର୍ଘଦିନ ଧରି କରୋନା ସଂକ୍ରମଣ ପାଇଁ ଦେଶରେ ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକ ଦିନମଜୁରିଆ ଗରିବ ଖଟିଖିଆମାନେ କାମଧନ୍ଧା ନ ପାଇ ସଞ୍ଚୟ ଅର୍ଥ ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇ ନିଜ ନିଜ ରାଜ୍ୟର ମୂଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇବାପରେ ସେମାନେ ନିଜ ରାଜ୍ୟକୁ ଫେରିପାରିବେ ବୋଲି ଅନୁମତି ମିଳିଲା ଫଳରେ ପ୍ରଥମେ ସୁରତରୁ ୪ ଟି ବସରେ କିଛି ପ୍ରବାସୀ ଓଡ଼ିଆ ଓଡିଶା ଫେରି  କ୍ଵାରେଣ୍ଟାଇନରେ ରହିଛନ୍ତି । ଲକ୍ଷ ଲକ୍ଷ ଶ୍ରମିକ ଫେରିବାର ଦେଖି କେନ୍ଦ୍ର ସରକାର କିଛି ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କଲେ । କିନ୍ତୁ ସର୍ବସ୍ୱାନ୍ତ ହୋଇଥିବା ଏହି ଶ୍ରମିକମାନଙ୍କ ପାଇଁ ସରକାର ମାଗଣା ଯାତ୍ରୀ ଭଡା କରିପାରିଲେ ନାହିଁ । ଯେଉଁମାନେ ଫେରିଛନ୍ତି ସେମାନେ ନିଜ ପକେଟରୁ ଯାତ୍ରୀଭଡ଼ା ଦେଇ ଫେରିଛନ୍ତି ଏବଂ ଯେଉଁମାନଙ୍କ ପାଖରେ ପଇସା ନାହିଁ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କୁ  ଯାତ୍ରୀଭଡ଼ା ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଣ୍ଟା ଭିଡ଼ିଛନ୍ତି । ଶ୍ରମିକ ଓ ଅନ୍ୟ ପ୍ରବସୀଙ୍କ ଠାରୁ ଟ୍ରେନ ଭଡ଼ା ଆଦାୟ ହେଉଥିବାରୁ ଏହାକୁ କଂଗ୍ରେସର ଜୋରଦାର ବିରୋଧ କରିଛି।ଏଥିସହ ଘର ବାହୁଡ଼ା ଶ୍ରମିକଙ୍କ ଟ୍ରେନ ଭଡ଼ା କଂଗ୍ରେସ ବହନ କରିବ ବୋଲି ଆଜି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଘୋଷଣା କରିଛନ୍ତି। ସୋନିଆ କହିଛନ୍ତି, “ସର୍ବସମ୍ମତିକ୍ରମେ କଂଗ୍ରେସ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ପ୍ରଦେଶ କଂଗ୍ରେସ କମିଟି ଗୁଡ଼ିକ ଟ୍ରେନରେ ଯାତ୍ରା କରୁଥିବା ଶ୍ରମିକ ଓ ଗରିବ ଲୋକଙ୍କ ଭଡ଼ା ଭରଣ କରିବେ । ତେଣୁ ସେମାନେ ଏଦିଗରେ ଏବେଠାରୁ ପ୍ରକ୍ରିୟା ଆରମ୍ଭ ସହ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରନ୍ତୁ। ସେମାନଙ୍କୁ ସହାୟତା କରିବା ପାଇଁ କଂଗ୍ରେସ ସର୍ବଦା ପ୍ରସ୍ତୁତ ରହିଛି ଓ କାନ୍ଧରେ କାନ୍ଧ ମିଶାଇ ଏଭଳି ପ୍ରବାସୀ ଗରିବଙ୍କୁ  ସାହାଯ୍ୟ କରିବାପାଇଁ ସବୁବେଳେ ଉଦ୍ୟମ କରି ଆସିଛି । ସୋନିଆ କହିଛନ୍ତି ଯେ ଆମ ଦେଶର ଅର୍ଥନୀତି ଓ ଅଭିବୃଦ୍ଧିର ମେରୁଦଣ୍ଡ ହେଉଛନ୍ତି ଆମ ଶ୍ରମିକ ।ମୋଦୀ ସରକାର ବିଦେଶରେ ଫସିଥିବା ଲୋକଙ୍କୁ ମାଗଣା ବିମାନରେ ଆଣି ପାରୁଛନ୍ତି, ଗୁଜରାଟରେ ଗୋଟିଏ କାର୍ଯ୍ୟକ୍ରମ ପାଇଁ ୧୦୦ କୋଟିର ଖାଦ୍ୟ ଦିଆଯାଇ ପାରୁଛି । ରେଳ ମନ୍ତ୍ରଣାଳୟ ପିଏମ କେୟାର୍ସ ଫଣ୍ଡକୁ ୧୫୧ କୋଟି ଦାନ କରିପାରୁଛି। ହେଲେ ଲକଡାଉନ ଯୋଗୁ ସର୍ବସ୍ୱାନ୍ତ ହୋଇ ବସିଥିବା ଶ୍ରମିକମାନଙ୍କୁ ମାଗଣାରେ ଘରେ ପହଞ୍ଚାଇ ପାରୁନାହାନ୍ତି । ଏ ସାମନ୍ତବାଦୀ ସରକାର ପାଖରେ ଗରୀବର ଦୁଃଖ ବୁଝିବାକୁ ସମୟ ନାହିଁ କି ସାଧାରଣ ସହାୟତା କରିବା ପାଇଁ ତାଙ୍କ ପାଖରେ ଅର୍ଥନାହିଁ ବୋଲି ସୋନିଆ କ୍ଷୋଭ ପ୍ରକାଶ କରିଛନ୍ତି। ଭାରତରେ ପ୍ରଥମଥର ପାଇଁ ଶ୍ରମିକମାନେ ହଜାର ହଜାର କିମି ରାସ୍ତା ଚାଲିଚାଲି ଆସୁଛନ୍ତି। ସେମାନଙ୍କ ପାଖରେ ଖାଇବା ପାଇଁ କିମ୍ବା ଔଷଧ କିଣିବା ପାଇଁ ଟଙ୍କା ନାହିଁ । ସେମାନଙ୍କ ଏକମାତ୍ର ଲକ୍ଷ ଘରେ ପହଞ୍ଚିବା । ବାଟରେ ଚାଲି ଚାଲି କିଛି ଶ୍ରମିକ ମୃତ୍ୟୁ ବରଣ କରିଥିବା ମଧ୍ୟ ଜଣାଯାଇଛି। ଏପରି ଏକ ଦୁଃଖଦ ମୁହୂର୍ତ୍ତରେ ମୋଦୀ  ସରକାର ଶ୍ରମିକଙ୍କ ପାଖରୁ ଟ୍ରେନ ଭଡ଼ା ଆଦାୟ କରୁଛନ୍ତି। ଏହା ସବୁଠାରୁ ଉଦବେଗର ବିଷୟ ବୋଲି ସୋନିଆ କହିଛନ୍ତି ଏବଂ  ଶ୍ରମିକମାନଙ୍କର ଯାତ୍ରୀଭଡ଼ା କଂଗ୍ରେସ ବହନ କରିବ ବୋଲି ଘୋଷଣା କରିଛନ୍ତି ।ଏହାକୁ ବୁଦ୍ଧିଜୀବୀ ମହଲ ସ୍ୱାଗତ କରିବା ସହ ସୋନିଆଙ୍କ ଏଭଳି ଚିନ୍ତାଧାରାକୁ ଧନ୍ୟବାଦ ଜଣାଇଛନ୍ତି ।

ରିପୋର୍ଟ : ସୁଧାଂଶୁ ଶେଖର ଓ ନିମାଇଁ ଚରଣ ପଣ୍ଡା