ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ୍ ଉପରେ ଅର୍ଥନୀତି ସମୀକ୍ଷକଙ୍କ ପ୍ରତିକ୍ରିୟା…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କୋଭିଭ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭର ଭାରତ ରିଲିଫ୍ ପ୍ୟାକେଜ୍ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମଧରଣର ଶିଳ୍ପସଂସ୍ଥା ପାଇଁ ବେଶ୍ ସହାୟକ ହେବ ବୋଲି ଅର୍ଥନୀତି ବିଶାରଦମାନେ ମତବ୍ୟକ୍ତ କରିଛନ୍ତି । ତେବେ ସରକାର ଏଥିପାଇଁ ଅର୍ଥ କୁଆଡୁ ଆଣିବେ ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି । ରାଜ୍ୟର ଜଣାଶୁଣା ଚାଟାର୍ଡ ଆକାଉଟାଣ୍ଟ ତଥା ଅର୍ଥନୀତି ସମୀକ୍ଷକ ରମେଶ କୁମାର କେଜରିୱାଲ୍ କହିଛନ୍ତି । ମୋଟ୍ ଘରୋଇ ଉତ୍ପାଦ(ଜିଡିପି)ର ୧୦%କୁ ନେଇ ଏହି ପ୍ୟାକେଜ୍ ଆମ ଦେଶ ପାଇଁ ସର୍ବପ୍ରଥମ ଓ ଐତିହାସିକ, ଯାହାଫଳରେ ବେତନଭୋଗୀ, କୃଷକ, ଶ୍ରମିକ, ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଦୋକାନୀଙ୍କ ସମେତ ପ୍ରତ୍ୟେକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶଷ ଲାଭାନ୍ୱିତ ହେବେ । ତେବେ ଏତେ ପରିମାଣର ଅର୍ଥ କେଉଁଠୁ ଆସିବ, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ ନାହାନ୍ତି । ବର୍ତ୍ତମାନ ସମୟରେ ରାଜସ୍ୱ ଆଦାୟ ମାନ୍ଦାଥିବାରୁ ଏହି ସମୟରେ ଏତେବଡ ପାଣ୍ଠି ଯୋଗାଡ କରିବା କଷ୍ଟକର ବ୍ୟାପାର ହୋଇପାରେ । ତେଣୁ ଏହା କେବଳ କଥାରେ ଓ ସରକାରୀ କାଗଜ କଲମରେ ସିମୀତ ରହିପାରେ ବୋଲି ମଧ୍ୟ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ତେବେ ସରକାର ପାଣ୍ଠି ଯୋଗାଡ କରିବା ପାଇଁ ଟିକସ ଆଦାୟକୁ କଡାକଡି କରିପାରନ୍ତି । ବିଭାଗୀୟ ଅଧିକାରୀଙ୍କ ଉପରେ ଚାପ ପକାଇ ସେମାନଙ୍କୁ ନିର୍ଦ୍ଧିରିତ ପରିମାଣର ଟିକସ ଆଦାୟ କରିବାକୁ ଟାର୍ଗେଟ୍ ଦେଇପାରନ୍ତି । ଏହା ଫଳରେ ଟିକସ ଅଧିକାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ନୋଟିସ୍ ଜାରି କରିବା, ଯାଞ୍ଚ କରିବା ଓ ରେଡ୍ ଆଦି କରି ଅଧିକ ଅର୍ଥ ଆଦାୟ ପାଇଁ ଉଦ୍ୟମ କରିବାର ଆଶଙ୍କା ରହିଛି । ଯାହା ବ୍ୟବସାୟିକ ଓ ଶିଳ୍ପସଂସ୍ଥା ଗୁଡିକର ବିକାଶରେ ବାଧକ ହେବ । ପୁଣି ସରକାର ଜିନିଷଗୁଡିକରେ ଟିକସ ବଢାଇଲେ ଏହା ମୁଦ୍ରାସ୍ଫିତିକୁ ପ୍ରଭାବିତ କରିବା ସହିତ ଲୋକଙ୍କ ଉପରେ ଆର୍ଥିକ ବୋଝ ସୃଷ୍ଟି କରିବ ବୋଲି କେଜରିୱାଲ୍ ମତ ଦେଇଛନ୍ତି । ସ୍ୱଦେଶୀ ଉତ୍ପାଦ ଓ ସେବା ଉପଭୋଗ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ସେ ସ୍ୱାଗତ କରିଛନ୍ତି । ତେବେ ଭୁଷୁଡିପଡିଥିବା ଅର୍ଥନୀତିକୁ ସୁଧାରିବା ଓ ଭାରତର ଅର୍ଥନୈତିକ ବିକାଶ ପାଇଁ ୫ଟି ସ୍ତମ୍ଭ ଯଥା – ଅର୍ଥନୀତି, ଭିତିଭୂମି, ବୈଷୟିକ ବ୍ୟବସ୍ଥା, ଜନସଂଖ୍ୟା ଓ ଚାହିଦା ଆଦି ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା