ପୂର୍ବତନ ସରପଞ୍ଚଙ୍କ ମୃତ ଦେହ ଉଦ୍ଧାର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବଡ଼ବଜାର ଥାନା ଅନ୍ତର୍ଗତ ବାଉରୀସୁକୁଣ୍ଡା ପାଣି ଫ୍ୟାକ୍ଟ୍ରି ନିକଟ ରାସ୍ତା କଡ଼ରୁ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ(୫୮)ଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ତାଙ୍କ ମୃତଦେହ ନିକଟରେ ଏକ ଖଣ୍ଡା ସହ ସ୍କୁଟି ପଡ଼ିଥିବା ଜଣାପଡ଼ିଛି । ତେଣୁ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ପ୍ରଦୀପ ଗେଟ ବଜାରସ୍ଥିତ ନିଜ ଘରୁ ବାହାରି ଅନନ୍ତାଇ ନିକଟରେ ଥିବା ଏ ରଘୁନାଥପୁର ଗ୍ରାମର ଫେକ୍ଟ୍ରିକୁ ଯାଉଥିବାବେଳେ ପାଣି ଫ୍ୟାକ୍ଟ୍ରି ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ରାସ୍ତା କଡ଼ରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ଏକ ବରଯାତ୍ରୀରେ ରାମପାଢ଼ୀ ଯାଉଥିବା ବେଳେ ତାଙ୍କୁ ହତ୍ୟା ହୋଇଥିଲା । ଏଥିରେ ପ୍ରଦୀବ ମୁଖ୍ୟ ଷଡଯନ୍ତ୍ରକାରୀ ଥିବାରୁ ଏହି ମାମଲାରେ ସେ ଜେଲ୍‌ରେ ଥିଲେ । କିଛିମାସ ତଳେ ସେ ସର୍ତ୍ତମୂଳକ ଜାମିନରେ ଆସିଥିଲେ । ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେ ଅନନ୍ତାଇ ଗ୍ରାମର ଦୁଇ ଥର ସରପଞ୍ଚ ଥିଲେ । ସେ ପଞ୍ଚାୟତ ନିର୍ବାଚନରେ  କଂଗ୍ରେସରୁ ଛିଡ଼ା ହୋଇ ବିଫୁଳ ଭୋଟରେ ବିଜୟ ହୋଇଥିଲେ । ବର୍ତ୍ତମାନ ସେ ବିଜେଡ଼ିରେ ସାମିଲ ହୋଇଥିଲେ । ତେବେ ଆଜି ବାଉରୀସୁକୁଣ୍ଡା ପାଣି ଫ୍ୟାକ୍ଟ୍ରି ନିକଟ ରାସ୍ତା କଡ଼ରୁ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହକୁ ପୋଲିସ ଠାବ କରିଛି । ଘଟଣା ସ୍ଥଳେ ବଡ଼ବଜାର ଥାନା ପୋଲିସ, ଟାଉନ ଏସଡିପିଓଙ୍କ ସମେତ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଁଞ୍ଚି ତଦନ୍ତ କରୁଛନ୍ତି । ଅନ୍ୟପଟେ ବ୍ରହ୍ମପୁର ଏସପି ପିନାକ୍ ମିଶ୍ର ନିଜେ ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥିତି ଦେଖିବା ସହ ଅପରାଧୀଙ୍କୁ ଶୀଘ୍ର ଗିରଫ କରାଇବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ଘଟଣାରେ ପୋଲିସ ତିନିଜଣଙ୍କୁ ସନ୍ଧେହ କରି ଥାନାକୁ ଆଣି ପଚାରଉଚାର କରୁଥିବା ବେଳେ ପରିବାର ପକ୍ଷରୁ ୬ଜଣଙ୍କ ନାମରେ ଥାନାରେ ଏତଲା ହୋଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା