ପୁଣି ରୋଗୀଙ୍କୁ ଏକ୍ସପାଏର ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ଛତୁ ଫୁଟିଲା ଭଳି ନର୍ସିଂ ହୋମ । ପୁଣି ରୋଗୀଙ୍କ ଠାରୁ ସେବା ନା’ରେ ଅର୍ଥ ଶୋଷଣ । ସେତିକିରେ ମଧ୍ୟ ମନ ପୁରୁନି ଯେ ମୋଟା ଅଙ୍କର ଅର୍ଥ ନେଇ ରୋଗୀଙ୍କୁ ଦେଉଛନ୍ତି ଏକ୍ସପାଏର ଇଞ୍ଜେକ୍ସନ (expair injection) ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ସ୍ଥିତ ଭାବନଗର ଛକ ଠାରେ ଥିବା ଡିଭାଇନ ନର୍ସିଙ୍ଗ ହୋମ ନାଁ’ରେ । ସୂଚନା ଥାଉ କି ଆଙ୍କୁଲି କୁମ୍ଭାରପଲ୍ଲୀ ଅଂଚଳର ଦଣ୍ଡ ବେହେରା(୩୫) ନାମକ ଜଣେ ବ୍ୟକ୍ତି କିଡନୀରେ ଯନ୍ତ୍ରଣା ଅନୁଭବ କରିବାରୁ ଗତ ୪ ତାରିଖ(ଶୁକ୍ରବାର) ସକାଳେ ନୂଆ ବସଷ୍ଟାଣ୍ଡ ସ୍ଥିତ ଡ଼.ଉମା ଶଙ୍କର ମିଶ୍ରଙ୍କ ସେବା ସଦନ କ୍ଲିନିକକୁ ଯାଇଥିଲେ । ଏହାପରେ ଉକ୍ତ ବ୍ୟକ୍ତିଙ୍କ ଲିଭର ଖରାପ ସହ ଲିଭରରେ ଷ୍ଟୋନ ହୋଇଥିବା କହିଥିଲେ ଡାକ୍ତର । ତେଣୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଯିବା ପାଇଁ କହିଥିଲେ । ତେବେ ରୋଗୀଙ୍କ ପରିବାର ଲୋକେ କ୍ଲିନିକରେ ହିଁ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ପରେ ନୂଆ ବସଷ୍ଟାଣ୍ଡ ଡିଭାଇନ ନର୍ସିଙ୍ଗ ହୋମ ଯିବା ପାଇଁ ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ଉକ୍ତ ଦିନ ସନ୍ଧ୍ୟା ୬ରେ ରୋଗୀଙ୍କୁ ନେଇ ତାଙ୍କ ସମ୍ପର୍କୀୟ ଡିଭାଇନ ନର୍ସିଙ୍ଗ ହୋମକୁ ଯାଇଥିଲେ । ପରେ ରୋଗୀଙ୍କୁ ନର୍ସିଙ୍ଗ ହୋମରେ ଭର୍ତି ହେବା ପାଇଁ କୁହାଯାଇଥିଲା । ପ୍ରଥମେ ରୋଗୀଙ୍କ ସମ୍ପର୍କୀୟଙ୍କୁ ୧୦ ହଜାର ଜମା କରିବା ପାଇଁ କୁହାଯାଇଥିଲା । ତା’ପର ଦିନ ରୋଗୀଙ୍କ ସମ୍ପର୍କୀୟ ୫ ହଜାର ଟଙ୍କା ଆଡ଼ଭାନ୍ସ ରାଶି ନର୍ସିଙ୍ଗ ହୋମରେ ଜମା କରିଥିଲେ । ନର୍ସିଙ୍ଗ ହୋମରେ ରୋଗୀ ୩ ଦିନ ଧରି ଚିକିଶ୍ଚିତ ହେବା ପରେ ତାଙ୍କ ସମ୍ପର୍କୀୟ ରୋଗୀକୁ ଘରକୁ ନେବା ପାଇଁ ଡାକ୍ତରଙ୍କୁ କହିଥିଲେ । ତେବେ ରୋଗୀ ଗତ ୭ ତାରିଖ ସକାଳ ୧୦ ଘଣ୍ଟ ସମୟରେ ଡିସଚାର୍ଜ ହେଲା ସମୟରେ ପୂର୍ବ ୫ ହଜାରକୁ ମିଶାଇ ୧୩ ହଜାର ୫୦୦ ଟଙ୍କା ମାଗିଥିଲେ । ଏନେଇ ରୋଗୀଙ୍କ ସମ୍ପର୍କୀୟ ପ୍ରଶ୍ନ ପଚାରିବାରୁ ବେଡ଼ ଭଡା ଦୈନିକ ୧୫ଶହ ଏବଂ ଡାକ୍ତର ଚିକିତ୍ସା ନେଇ ୧୦୦୦ ହଜାର ଟଙ୍କା ଲେଖାଏଁ ମାଗିଥିଲେ । ତେବେ ରୋଗୀଙ୍କ ସମ୍ପର୍କୀୟ ମୋଟ ୮ ହଜାର ୫୦୦ ଟଙ୍କା ଜମା କରିଥିଲେ । ମନ ଇଚ୍ଛା ବିଲ କରି ବିଭିନ୍ନ ଆଳ ଦେଖାଇ ନର୍ସିଙ୍ଗ ହୋମ କତ୍ତୃପକ୍ଷ ୧୩ ହଜାର ୫୦୦ ଟଙ୍କା ମାଗିଥିଲେ । ରୋଗୀଙ୍କୁ ସାଲାଇନ ନ ଦେଇ ମଧ୍ୟ ସାଲାଇନ ଟଙ୍କାକୁ ଏହି ଅର୍ଥରେ ଯୋଡ଼ା ଯାଇଥିବା ରୋଗୀଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଡାକ୍ତର ଲେଖିଥିବା ଔଷଧ ମଧ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କୁ ଉକ୍ତ ନର୍ସିଙ୍ଗ ହୋମରୁ ନେବା ପାଇଁ କୁହାଯାଇଥିଲା । ରୋଗୀ ଘରକୁ ଫେରିବା ପରେ ପୁଣି ପେଟ ଦରଜ ହେଉଥିବା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ମେଡିକାଲରେ ଭର୍ତି ହେବାର ପ୍ରଥମ ଦିନରେ ହିଁ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା । ପୁଣି ୬ ତାରିଖରେ ଆଉ ଏକ ଇଞ୍ଜେକ୍ସନ ମେଡ଼ିକାଲ କତ୍ତୃପକ୍ଷ ଦେଇଥିଲେ । କିନ୍ତୁ ରୋଗୀଙ୍କ ପେଟରେ ଦରଜ ହେବାରୁ ତାଙ୍କ ସମ୍ପର୍କୀୟ ହଠାତ ଏକ ମେଡ଼ିସିନ ଷ୍ଟୋରକୁ ନେବା ସହ ପୂର୍ବରୁ ଦିଆଯାଇଥିବା ଇଞ୍ଜେକ୍ସନ ଦେଖାଇଥିଲେ । ତେବେ ଉକ୍ତ ଇଞ୍ଜେକ୍ସନର ଡେଟ ଏକ୍ସପେର ହୋଇଯାଇଥିବା ମେଡ଼ିସିନ ଷ୍ଟୋରର କର୍ମଚାରୀ କହିଥିଲେ । ପରେ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇନଥିଲା । ତେବେ ଉକ୍ତ ରୋଗୀଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ଭାଙ୍ଗି ପଡିଛନ୍ତି । ଚିକିତ୍ସା ଓ ଔଷଧ ଖର୍ଚ୍ଚ ବାବଦକୁ ଏତେ ଟଙ୍କା ସାରିବା ପରେ ପୁଣି ଏଭଳି ଅବହେଳିତ ଚିକିତ୍ସା ନେଇ ପ୍ରଶ୍ନ କରିଛନ୍ତି ରୋଗୀଙ୍କ ପରିବାର ଲୋକେ । ଏନେଇ ନର୍ସିଙ୍ଗ ହୋମ କତ୍ତୃପକ୍ଷକୁ ରୋଗୀଙ୍କ ପରିବାର ଲୋକ ଜଣାଇବା ପରେ କୌଣସି ଅସୁବିଧା ହେବନି ବୋଲି ସେଠାକାର ଏକ କର୍ମଚାରୀ କହିଥିଲେ । ତେବେ ଏଭଳି ନର୍ସିଙ୍ଗ ହୋମମାନେ କିଭଳି ଲୋକଙ୍କ ଠାରୁ ଚିକିତ୍ସା ନା’ରେ ଲୁଟୁଛନ୍ତି ତାହା ସ୍ୱଷ୍ଠ ଅନୁମେୟ । ରୋଗୀ ସେବା ନାଁ’ରେ ନିରୀହ ଲୋକଙ୍କ ଠାରୁ ଯେଉଁଭଳି ଶୋଷଣ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଏମାନଙ୍କ ପ୍ରତି ଦୃଡ଼ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା