ପୁଣି ରେଳ ବଗି ତଳେ ଚାପି ହୋଇ ୬ ମୃତ ୧ ଆହତ

ଯାଜପୁର(ସମୃଦ୍ଧ ଓଡିଶା)ପୁଣି ଆଉ ଏକ ରେଳ ଦୁର୍ଘଟଣା ସାମ୍ମନାକୁ ଆସିଛି।ଜୋର ବର୍ଷା ଆସିଲା ସେଥିରୁ ରକ୍ଷା ପାଇବାକୁ ଯାଇ ୭ଜଣ ଶ୍ରମିକ ମାଲବାହୀ ଟ୍ରେନ୍‌ ୱାଗନ ତଳେ ପଶି ଯାଇଥିଲେ। ହେଲେ ଜୋର ପବନରେ ୱାଗନଗୁଡ଼ିକ ଗଡ଼ି ଯିବାରୁ ଏହା ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନ ୪ଟା ବେଳେ ଯାଜପୁର ରୋଡ ଷ୍ଟେସନରେ ଏହି ଅଘଟଣ ଘଟିଛି। ସୂଚନା ମୁତାବକ, ୱାଗନଗୁଡ଼ିକ ଦୀର୍ଘ ଦିନ ଧରି ଯାଜପୁର ରୋଡ୍ ଷ୍ଟେଶନର ସେପ୍ଟି ଲାଇନ୍‌ରେ ଅଟକି ରହିଥିଲା। ଏଥିରେ ଇଂଜିନ୍ ଲାଗି ନଥିଲା। ରେଳ ଟ୍ରାକ୍‌ ମରାମତି ନିମନ୍ତେ ମୁତୟନ ଥିବା ଶ୍ରମିକମାନେ ବର୍ଷା ପବନ ଆସିବାରୁ ମାଲବାହୀ ଟ୍ରେନ୍‌ ୱାଗନ ତଳେ ପଶି ଯାଇଥିଲେ। ଏହି ସମୟରେ ଜୋର ପବନ ହେବାରୁ ୱାଗନଗୁଡ଼ିକ କିଛି ବାଟ ଗଡ଼ି ଯାଇଥିଲା। ଏହି ସମୟରେ ଶ୍ରମିକମାନେ ୱାଗନ ତଳୁ ବାହାରିବାକୁ ଚେଷ୍ଟା କରିବା ବେଳେ ଲୁହା ଚକାତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଯାଜପୁର ଡାକ୍ତରଖାନା ନେଇଥିଲେ। ସେଠାରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଜଣେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି।ଘଟଣାସ୍ଥଳରେ ଜନଅସନ୍ତୋଷ ଦେଖାଦେଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ରେଳ ଧାରଣାରେ ଥିବା ପ୍ରାୟ ୩୨ଟି ୱାଗନ ମଧ୍ୟରୁ କିଛିଟାରେ ମାଲ ଥିବା ବେଳେ କିଛି ଖାଲି ଥିଲା। ବର୍ତ୍ତମାନ ସେଠାରେ ଯାଜପୁର ଜିଲ୍ଲାପାଳ ସମେତ ଅତିରିକ୍ତ ଜିଲ୍ଲାପାଳ, ଷ୍ଟେସନ ମାଷ୍ଟ୍ର ଉପସ୍ଥିତ ରହି ଛନ୍ତି ।

ରିପୋର୍ଟ : ପ୍ରଭାତ କୁମାର ବେହେରା