ପୁଣି ଦୁର୍ବୃତ୍ତ ଭାଙ୍ଗିଲେ ବେରିକେଡିଂ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବେଳାଭୂମିକୁ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ଏନ୍ ଏସି ପକ୍ଷରୁ ନିର୍ମିତ ହୋଇଥିବା ବେରିକେଡିଂକୁ ଶନିବାର ରାତିରେ କୈାଣସି ଦୁର୍ବୃତ୍ତ ଭାଂଗି ଦେଇଥିବା ବେଳେ ଏନ୍ ଏସି ପକ୍ଷରୁ ପୁନଃ ଏହାକୁ ନିର୍ମାଣ କରାଯାଇଛି । କରୋନା ସଂକ୍ରମିତକୁ ରୋକିବା ସହ ବେଳାଭୂମିକୁ ପର୍ଯ୍ୟଟକ ଆଗମନ ଉପରେ ରୋକ ଲଗାଇବା ପାଇଁ ଏନ୍ ଏସି ପକ୍ଷରୁ ଗତ ଦୁଇମାସ ତଳେ ବେଳାଭୂମିର ସଂଯୋଗ କରୁଥିବା ବତୀଘର ସମ୍ମୁଖ ଏବଂ ନନ୍ଦିଘୋଷ ଆପାର୍ଟମେଣ୍ଟ ସମ୍ମୁଖ ରାସ୍ତାରେ ବେରିକେଡିଂ ନିର୍ମାଣ କରାଯାଇଥିଲା । ଏହାକୁ ନେଇ ବେଳାଭୂମିରେ ବ୍ୟବସାୟ କରୁଥିବା କେତେକ ବ୍ୟବସାୟୀ ସମେତ ଲର୍ଜିଂ ମାଲିକ ମାନେ ଏନ୍ ଏସି ପକ୍ଷରୁ ନିର୍ମିତ ବେରିକେଡିଂ ନିର୍ମାଣକୁ ବିରୋଧ କରାଯିବା ସହ ଏହାକୁ ଉଛେଦ କରିବା ପାଇଁ ଦାବି ଜଣାଯାଇଥିଲା । ଏହି ବେରିକଡିଂ ଦ୍ବାରା ବେଳାଭୂମିରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଯାଆସରେ ଅସୁବିଧା ପରିଲକ୍ଷିତ ହେଉଥିଲା । ଏଥିସହ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ନିମନ୍ତେ ଲର୍ଜିଂ ରେ ରହିବା ନିମନ୍ତେ କୋହଳ କରାଯିବା ପରେ ଅଳ୍ପ ସଂଖ୍ୟକ ପର୍ଯ୍ୟଟକ ଗୋପାଳପୁର ଆସୁଥିବା ବେଳେ ବେଳାଭୂମି ପ୍ରବେଶ ପଥରେ ନିର୍ମିତ ବେରିକେଡିଂ ଯୋଗୁଁ ପର୍ଯ୍ୟଟକ ମାନେ ଦ୍ବନ୍ଦରେ ପଡ଼ିବା ସହ ବେଳାଭୂମି ପରିସରରେ ଥିବା ଲର୍ଜିଂ ମାନଙ୍କରେ ରହିବା ନିମନ୍ତେ ଦ୍ବିଧା ପ୍ରକାଶ କରୁଥିଲେ । ଏହା ନେଇ ମଧ୍ୟ ଗତ ସେପ୍ଟେମ୍ବର ୩୧ ତାରିଖ ଓ ଅକ୍ଟୋବର ପ୍ରଥମ ସପ୍ତାହରେ ଏନ୍ ଏ ସି ପ୍ରଶାସକ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସହ ଆଲୋଚନା କରିବା ସହ ବେରିକେଡିଂ ଉଛେଦ କରିବାକୁ ଦାବି ଜଣାଇଥିଲେ ମଧ୍ୟ ଏ ନେଇ କୈାଣସି ସହମତି ପ୍ରକାଶ ପାଇନଥିଲା । ଅନ୍ୟ ପଟେ ଶନିବାର ରାତିରେ କିଏ ଏହି ବେରିକେଡିଂକୁ ଭାଙ୍ଗିଲା ତାହା ନେଇ କୈାଣସି ପ୍ରକୃତ ସୂଚନା ଏନ୍ ଏସି କର୍ତ୍ତୃପକ୍ଷ ଜାଣି ପାରିନଥିଲେ ମଧ୍ୟ ଏନ୍ ଏସି ପକ୍ଷରୁ ଆଜି ଛୁଟି ଦିନ ସତ୍ତ୍ବେ ସକାଳୁ ଉଭୟ ବେରିକେଡିଂ ପୁନଃ ନିର୍ମାଣ କରାଯାଇଥିବା ଏନ୍ ଏସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଗତ କିଛି ଦିନ ତଳେ ଅନୁରୂପ ଭାବେ ଏନ୍ ଏସି ପକ୍ଷରୁ ଗୋପାଳପୁରରେ ସବୁଜ ବଳୟ ସୃଷ୍ଟି କରିବା ନିମନ୍ତେ ପ୍ରାୟ ୧ ହଜାର ଗଛ ପୋତା ଯିବା ସହ ଗଛର ସୁରକ୍ଷା ନିମନ୍ତେ ଜାଲି ଲଗାଯାଇଥିଲା, କିନ୍ତୁ କେତେକ ଦୁର୍ବୃତ୍ତ ଗଛ ଓ ଜାଲି ଚୋରାଇ ନେଇଥିବା ଅଭିଯୋଗ ହୋଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା