ପୁଣି ଜୁନ ୩୦ ପର୍ଯ୍ୟନ୍ତ ସରକାର ବଢ଼ାଇଲେ ଲକ୍‌ଡାଉନ୍ : ୮ ପରେ କିଛି କୋହଳ ସମ୍ଭାବନା…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ପୁଣି ଜୁନ ୩୦ ପର୍ଯ୍ୟନ୍ତ ସରକାର ଲକଡାଉନ ଅବଧି ବଢ଼ାଇଛନ୍ତି । ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି । ଜୁନ୍ ୮ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ଧାର୍ମିକ ସ୍ଥଳ, ପୂଜା ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ସେହିଭଳି ହୋଟେଲ, ରେସ୍ତୋରାଁ ଓ ଅନ୍ୟାନ୍ୟ ହସ୍ପିଟାଲିଟି ସେବା ଆରମ୍ଭ ହେବ । ସପିଙ୍ଗ୍ ମଲ ମଧ୍ୟ ଖୋଲିପାରିବ । ତେବେ ଏହିସବୁ ସେବା ଆରମ୍ଭ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ନିୟମାବାଳୀ ଜାରି କରାଯିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ, ସେ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର, ଅଭିଭାବକ ଓ ଅନ୍ୟମାନଙ୍କ ସହ ଜୁଲାଇ ମାସରେ ଆଲୋଚନା କରି ନିଷ୍ପତ୍ତି ନେଇ ପାରିବେ। ତୃତୀୟ ପର୍ଯ୍ୟାୟରେ ଆନ୍ତର୍ଜାତିକ ବିମାନ ସେବା, ମେଟ୍ରୋ ଟ୍ରେନ୍, ସିନେମା ହଲ, ଜିମନାସିୟମ୍, ସ୍ବିମିଂ ପୁଲ, ଏଣ୍ଟରଟେନମେଣ୍ଟ, ବାର, ଅଡିଟୋରିୟମ ଆଦି ଖୋଲିବ । କିନ୍ତୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିବ । ଅତ୍ୟାବଶ୍ୟକ ତଥା ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟ ସବୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ । ପ୍ରଥମ ପର୍ଯ୍ୟାୟ: ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪, ଦ୍ୱିତୀୟ ପର୍ଯ୍ୟାୟ : ଏପ୍ରିଲ ୧୫ରୁ ମେ ୩, ତୃତୀୟ ପର୍ଯ୍ୟାୟ: ମେ ୪ରୁ ମେ ୧୭, ଚତୁର୍ଥ ପର୍ଯ୍ୟାୟ:  ମେ ୧୮ରୁ  ମେ ୩୧, ପଞ୍ଚମ ପର୍ଯ୍ୟାୟ: ଜୁନ୍ ୧ରୁ ଜୁନ୍ ଜୁନ୍ ୩୦ । ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ଯାଏ ଘୋଷଣା ହୋଇଥିଲା ପ୍ରଥମ ପର୍ଯ୍ୟାୟ ଲକଡାଉନ । ଏପ୍ରିଲ ୧୫ରୁ ମେ ୩ ଯାଏ ଘୋଷଣା ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । ସେହିପରି ମେ ୪ରୁ ମେ ୧୭ ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ହୋଇଥିଲା । ତେବେ ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଲକ୍‌ଡାଉନ୍ ୪.୦ର କଥା ଉଠାଇଥିଲେ, ଏହା ନୂଆ ରୂପରେ ଆସିବ ବୋଲି କହିଥିଲେ ।

ରିପୋର୍ଟ : ସୁଧାଂଶୁ ଶେଖର