ପାଇକସିଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୩ ଦିନିଆ ସୁବର୍ଣ୍ଣ ଜୟନ୍ତୀର ଉଦଯାପନୀ ଦିବସ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ପାଇକସିଦା ଗ୍ରାମ ପଞ୍ଚାୟତ ଅଧୀନ ପାଇକସିଦା ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଦିନିଆ ସୁବର୍ଣ୍ଣ ଜୟନ୍ତୀ ଆଜି ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ବିଶ୍ଵାଳଙ୍କ ସଭାପତିତ୍ବରେ ସମ୍ମାନନୀୟ ଅତିଥି ପୂର୍ବତନ ଶିକ୍ଷକ ରବିନ କୁମାର ମିଶ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସରୋଜ କୁମାର ଗିରି, ପୂର୍ବତନ ଶିକ୍ଷକ ରବିନ୍ କୁମାର ମିଶ୍ର, ମନ୍ମଥ କୁମାର ପ୍ରଧାନ, ସୁଦର୍ଶନ ଦାସ, ରୂପ ନାରାୟଣ ମହାନ୍ତି, ସୁଶୀଲ କୁମାର ମହାପାତ୍ର, ସନ୍ତୋଷ କୁମାର ପରିଡ଼ା ଓ ଯଜ୍ଞେଶ୍ଵର ପଣ୍ଡାଙ୍କ ସହିତ ବିଦ୍ୟାଳୟର ବରିଷ୍ଠ ପ୍ରତିଷ୍ଠାତା ସଦସ୍ୟ କାହ୍ନୁ ଚରଣ ମହାନ୍ତି ଅତିଥି ଭାବେ ମଞ୍ଚାସିନ ହୋଇ ବିଦ୍ୟାଳୟ ଶିକ୍ଷକ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟର କର୍ମଚାରୀ ମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ କରିବା ସହିତ ବିଗତ ୫୦ ବର୍ଷର ବେସରକାରୀ ଅବସ୍ଥାରେ ବିଦ୍ୟାଳୟଟି ବହୁ ଘାତ୍ ପ୍ରତିଘାତ ମଧ୍ୟରେ ପରିଚାଳନା କିପରି ଭାବରେ ହୋଇ ଥିଲା, ସେ ବାବଦରେ ଆଲୋଚନା କରିଥିଲେ । ଏହି ବିଦ୍ୟାଳୟରୁ ବହୁ ପୁରାତନ ଛାତ୍ର ଛାତ୍ରୀ ମାନେ ମାଜିଷ୍ଟ୍ରେଟ୍, ଡାକ୍ତର, ଅଧ୍ୟାପକ, ଶିକ୍ଷକ ବଡ଼ ଛୋଟ ସରକାରୀ ବେସରକାରୀ ଚାକିରୀ କରି ଆସୁ ଥିବାର କଥା ସୂଚନା ଦିଆ ଯାଇଥିଲା । ଏହି ଅବସରରେ ପୂର୍ବତନ ଛାତ୍ର ତଥା ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ସନ୍ତୋଷ କୁମାର ଦାସ, ବସନ୍ତ କୁମାର ମାହନା, ବିଜୟ କୁମାର ପରିଡ଼ା, ମଧୁସୂଦନ ସାହୁ, ଉମେଶ ଚନ୍ଦ୍ର ପଣ୍ଡା ଓ ଅନ୍ୟ ବର୍ଷର ଛାତ୍ର ଛାତ୍ରୀ ସୁବ୍ରତ କୁମାର ରଣା, ସୁଶାନ୍ତ କୁମାର ବେହେରା, କାହ୍ନୁ ଚରଣ ଗିରି, ବିଷ୍ଣୁ ଚରଣ ବାଗ, କାଞ୍ଚନ ବାଳା ମହାନ୍ତି, ସୁନୀଲ କୁମାର ଆଚାର୍ଯ୍ୟ, ମନୋରଞ୍ଜନ ଦାସ, ସୁଶାନ୍ତ କୁମାର ସାହୁ, ମନ୍ମଥ କୁମାର ଧଳ, ନାରାୟଣ ସାହୁ (ଖ) ରବୀନ୍ଦ୍ର ନାଥ ବେହେରା, ଅଧୀର କୁମାର ସାମଲ ଓ ପ୍ରାୟ ୨୦୦୦ରୁ ଅଧିକ ପୂରାତନ ଛାତ୍ର ଛାତ୍ରୀ ମାନେ ୩ ଦିନ ଯାକ ବହୁତ୍ ଭାବ ଆଦାନ ପ୍ରଦାନ କରିଥିଲେ । ଆଜି ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପାଦ ପଦ୍ମରେ ଧୂପ, ଦୀପ, ଚନ୍ଦନ ପୂର୍ବକ ପୂଜାର୍ଚ୍ଚନା କରିଥିଲେ, ତାପରେ ପୂର୍ବତନ ଛାତ୍ର ସୁବ୍ରତ କୁମାର ରଣା ସ୍ଵାଗତ ଭାଷଣ କରିବା ସହିତ ରବୀନ୍ଦ୍ର କୁମାର ବେହେରା ଆଜିର ମଞ୍ଚ ପରିଚାଳନା କରିଥିଲେ । ମଞ୍ଚରେ ପ୍ରାକ୍ତନ ଶିକ୍ଷକ ମଧୁସୂଦନ ଜେନାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରା ଯାଇଥିଲା । ଏହି ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀମାନଙ୍କ ପାଇଁ ୨ ଦିନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଭଜନ ସନ୍ଧ୍ୟା ସମାରୋହ ଅନୁଷ୍ଠିତ ହୋଇଥିଲା ଓ ୩ ଦିନିଆ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଆହୁତ କରା ଯାଇଥିଲା ।