ପଶ୍ଚିମ ଓଡ଼ିଶା ବିକାଶ ପାଇଁ ଗଠିତ ପରିଷଦର ବଜେଟ ଶହେ କୋଟି ଟଙ୍କା ଉପରେ ନଜର…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଗଠନ ହୋଇଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କର୍ମକର୍ତ୍ତା ତଥା ପରିଚାଳନା ସଦସ୍ୟ ମନନୟନକୁ ନେଇ ଏବେ ବିଜେଡି ରାଜନୀତିରେ ଉଷ୍ମତା ଦେଖା ଦେଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପରିଚାଳନା କମିଟିରେ ୨ଜଣ ସାଂସଦ ଓ ୧୧ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ସାମିଲ କରାଯିବାର ଆବଶ୍ୟକତା ଥିବାରୁ ବିଜେଡି କେଉଁମାନଙ୍କୁ ସେଥିରେ ସାମିଲ କରିବ ତାକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାଇ ଷୋଡ଼ଶ ଲୋକସଭା ଓ ପଞ୍ଚଦଶ ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇ ସାରିଥିବାରୁ ନିୟମ ଅନୁସାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ପୁଣି ଥରେ ୨ଜଣ ସାଂସଦ ଓ ୧୧ଜଣ ବିଧାୟକଙ୍କୁ ପରିଚାଳନା କମିଟି ସଦସ୍ୟ ଭାବେ ସାମିଲ କରାଯିବ। ନିୟମ ରହିଛି । ୨୦୨୦-୨୧ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଫେବୃୟାରୀ ୧୮ତାରିଖରେ ଉପସ୍ଥାପନ ହେବାର ଥିବାବେଳେ ଏହା ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପରିଚାଳନା କମିଟିରେ ପରିଷଦର ବଜେଟକୁ ଅନୁମୋଦନ ମିଳିବା ନିହାତି ଆବଶ୍ୟକ । ତେଣୁ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ୍ ୨୬ଜଣିଆ ପରିଷଦ ଆଇନ-୨୦୦୦ର ଧାରା ୧୧(୧)(ଏଫ) ଅନୁସାରେ ପରିଷଦର ନିଜସ୍ୱ ବଜେଟ୍ ପ୍ରସ୍ତୁତ କରିବା ଦରକାର । ଯାହାକି ରାଜ୍ୟ ସରକାରଙ୍କ ପାଖରେ ରାଜ୍ୟ ବଜେଟ୍ ପୂର୍ବରୁ ଦାଖଲ କରିବାର ଆବଶ୍ୟକତା ରହିଛି । ତେଣୁ ପରିଷଦର ପରିଚାଳନା କମିଟି ସଦସ୍ୟ ଚୟନ କାର୍ଯ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ହେବା ଜରୁରୀ ହୋଇପଡ଼ିଛି । ଅନ୍ୟପକ୍ଷରେ ପରିଷଦ ଅଧିନରେ ବରଗଡ଼, ବଲାଙ୍ଗୀର, ବୌଦ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଜିଲ୍ଲା ସମେତ ଆଠମଲ୍ଲିକ ସବଡିଭିଜନ ରହିଛି । ଏହି ଅଞ୍ଚଳରେ ମୋଟ ୫ଟି ଲୋକସଭା ମଣ୍ଡଳୀ ଓ ୩୬ଟି ବିଧାନସଭା ମଣ୍ଡଳୀ ଥିବାବେଳେ ମନ୍ତ୍ରୀ ସୁଶାନ୍ତ ସିଂ ଓ ମନ୍ତ୍ରୀ ନବ କିଶୋର ଦାସଙ୍କ ମଧ୍ୟରେ ଏଥିପାଇଁ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ଶୁଣିବାକୁ ମିଳୁଛି । ପରିଷଦର ବଜେଟ୍ ମୋଟ ୧୦୦ କୋଟି ଟଙ୍କା ହୋଇଥିବାରୁ ନେତାମାନେ ନିଜ ନିଜର ପତିଆରା ଦେଖାଇବାକୁ ଉଦ୍ୟମ କରିଥାନ୍ତି । କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ଼ ଓ ବରଗଡ଼ ଭଳି ଲୋକସଭା ଆସନଗୁଡ଼ିକ ଏବେ ବିଜେପି କବଜାରେ ଥିବାରୁ ପରିଷଦ ସଦସ୍ୟ ଚୟନ କରିବାରେ ବିଜେଡିକୁ ଅଡୁଆରେ ସମୁଖୀନ ହେବାକୁ ପଡିପାରେ ବୋଲି କୁହାଯାଉଛି । ତେବେ ବଜେଟ ଶହେ କୋଟି ଟଙ୍କାକୁ ନେଇ ସମସ୍ତଙ୍କ ନଜର ।