ପଦ୍ମପୁର ଲୋକ ମହୋତ୍ସବ ଉଦଯାପିତ…

ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ଆର ବି ହାଇସ୍କୁଲ ଖେଳ ପଡିଆରେ ଫେବୃଆରୀ ୨୬ ତାରିଖରୁ ଆୟୋଜିତ ହୋଇଥିବା ପ୍ରଥମ ପଦ୍ମପୁର ଲୋକ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାର ସଭାରେ ମୁଖ୍ୟ ଅତିଥି ବରଗଡ ସାଂସଦ ସୁରେଶ ପୂଜାରୀ ଭାବେ ଯୋଗଦାନ କରି ମାଁ ସମଲେଇ ଓ ମାର୍ଜାର କେଶରୀଙ୍କ ପ୍ରତିକୁଢି ସମ୍ମୁଖରେ ଦୀପ ପ୍ରଜ୍ଜ୍ଵଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଯୁବ ନେତା ଇଂ ଇରାଶିଷ ଆଚାର୍ଯ୍ୟ, ଟଙ୍କଧର ତ୍ରିପାଠୀ, ଆୟୋଜକ କମିଟି ଆବାହକ ପ୍ରୀତେଶ ବହିଦାର ମଞ୍ଚାସୀନ ଥିଲେ । ସଂଯୋଜକ ଅଶୋକ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥି ବନ୍ଧୁଙ୍କୁ ଆଯୋଜନ କମିଟି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଥମ ଆୟୋଜନ ଏତେ ଅଭୁତପୂର୍ବ ହୋଇପାରେ ତାହା ଅକଳ୍ପନୀୟ ବୋଲି ଅତିଥି ମାନେ ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ଲୋକ ମହୋତ୍ସବ ବିପୁଳ ସଫଳତା କ୍ଷେତ୍ରରେ ମେସେଜ୍ ପାଇଁ ଜି ଶ୍ରୀନିବାସ ରାଓ, ଗଣପତି ବଗର୍ତ୍ତୀ, ସୁଶୀଲ ବରିହା, ଲକ୍ଷ୍ମୀକାନ୍ତ ମେହେର, ସୁମନ୍ତ ପୁରୋହିତ, ମଞ୍ଚ ସଙ୍ଗୀତ ପାଇଁ ସଙ୍ଗୀତ ସମିତି ରମେଶ ଗୁର୍ଲା, ଆଲୋକ ସଂପାତ ଓ ଶଦ୍ଦ ଗ୍ରହଣ ପାଇଁ ପଟ୍ଟନାୟକ ଟେଣ୍ଟ ହାଉସ୍ ଅଖିଳ ପଟ୍ଟନାୟକ, ତଥ୍ୟ ସଂଗ୍ରହ ପାଇଁ ତ୍ରିବିକ୍ରମ ପ୍ରଧାନ ଉଦ୍ ଘୋଷଣା ପାଇଁ ଅଞ୍ଜିନ ପ୍ରଧାନ ଓ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା ପାଇଁ ପ୍ରଫେସର କେଶ ରଞ୍ଜନ ପ୍ରଧାନ, ବିଶିଷ୍ଟ ନାଟ୍ୟକାର ଅଶୋକ କୁମାର ବହିଦାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଅଞୀନ ପ୍ରଧାନ ଓ ମୁଗ୍ଧା ଦାଶଙ୍କ ସଂଯୋଜନାରେ ହରିଓମ୍ ସଙ୍ଗୀତାନୁଷ୍ଠାର କଳାକାର ମାନେ ଅନ୍ତର୍ଯ୍ୟାମୀ ମେହେରଙ୍କ ନିର୍ଦ୍ଦେଶନାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଆଦ୍ୟା ଆର୍ଯ୍ୟା ଶକ୍ତି ତ୍ରିପାଠୀଙ୍କ ଓଡିଶୀ ଓ ଶକ୍ତି ସ୍ୱରୂପାଙ୍କ ସମ୍ବଲପୁରୀ ଗୀତ ଦର୍ଶକ ମାନଙ୍କର ମନ ମୋହି ନେଇଥିଲା । ଏଥି ସହିତ ସୋନପୁର ପଏଁରୀ ଅନୁଷ୍ଠାନ, ବରଗଡ କଳାଜୀବୀ ଅନୁଷ୍ଠାନ, ବରଗଡ କୁରେଫୁଲ ଅନୁଷ୍ଠାନ ଏବଂ ଚନ୍ଦ୍ରବତୀ ସ୍କୁଲ କଳାକାର ମାନେ ସମ୍ବଲପୁରୀ ନୃତ୍ଯ ପରିବେଷଣ କରି ଦର୍ଶକ ମାନଙ୍କୁ ବିଳମ୍ବିତ ରାତିଯାଏ ବାନ୍ଧି ରଖିଥିଲେ । ସୁଶ୍ରୀ ବର୍ଷାରାଣୀ ସିଂଙ୍କ ବାଲୁକା କୄଢି ଅନ୍ତିମ ସନ୍ଧ୍ୟାର ଅନ୍ୟ ଏକ ଆକର୍ଷଣ ଥିଲା । ଲୋକ ମହୋତ୍ସବ ପରି ପ୍ରେକ୍ଷରେ ଡଃ ପ୍ରମୋଦ କୁମାର ପାଢ଼ୀଙ୍କ ସମ୍ପାଦିତ ସ୍ମରଣିକାକୁ ଲୋକାର୍ପଣ କରାଯାଇଥିଲା । ଏଥି ସହିତ ଉତ୍ସବ ଅବସରରେ ଆୟୋଜିତ କିଶୋର ମେମୋରିଆଲ କବାଡ଼ି ପ୍ରତିଯୋଗିତାରେ ଛତିଶଗଡର କୁରେଶିଙ୍ଗା ଦଳ ବିଜୟୀ ହୋଇ ଥିବା ବେଳେ ମାଗୁରପାଲି ଦଳ ରନର୍ସ ଅଫ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ ପାଇଁ ପ୍ରମୋଦ କୁମାର ପାଢ଼ୀ, ନିଲେଶ କୁମାର ଅଗ୍ରୱାଲ, ରବୀନ୍ଦ୍ର ଭୋଇଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥି ସହିତ ଲୋକ ଉତ୍ସବ ପଡିଆରେ ଆୟୋଜିତ ରକ୍ତଦାନ ଶିବିରରେ ପ୍ରାୟ ଚାଳିଶ ଜଣଙ୍କ ରକ୍ତ ସଂଗ୍ରହ କରାଯାଇଛି ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ । ପଦ୍ମପୁର ଲୋକ ମହୋତ୍ସବ ଅପାର ସଫଳତା ନିମନ୍ତେ ସ୍ଥାନୀୟ ପୋଲିସ, ଜନସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ ବିଭାଗ, ଗଣମାଧ୍ୟମ ତଥା ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥାଙ୍କ ସମେତ ସମଗ୍ର ପ୍ରଶାସନିକ ବ୍ୟବସ୍ଥାର ସହଯୋଗିତା ଓ ସହଭାଗିତା ପାଇଁ ଆୟୋଜକ କମିଟି ସଂଯୋଜକ ଅଶୋକ କୁମାର ମିଶ୍ର କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ : ନିରୋଜ କୁମାର ପାଣୀ