ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା…

ଛତ୍ରପୁର (ସମୃଦ୍ଧ ଓଡିଶା) କବିସୂର୍ଯ୍ୟ ବଳଦେବ ଚାଷୀ ଓ କୃଷକ ସଂଘ ପକ୍ଷରୁ ବେଗୁନିଆପଡା ଓ କବିସୂର୍ଯ୍ୟ ନଗରରୁ ପୁଞ୍ଜିକୃତ ଚାଷୀ ଧାନ କିଣିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ଯେ, ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ତୁରନ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା ଦାବି ନେଇ ଧାନ ବସ୍ତା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ । ଏହି ଆନ୍ଦୋଳନରେ ଟୋକନ୍ ପାଇଥିବା ସମସ୍ତ ମହିଳା, ପୁରୁଷ ଚାଷୀ ମାନେ ଯୋଗଦେଇ ଜିଲ୍ଲା ପ୍ରଶାସନଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ବର୍ଷ ତମାମ୍ ସେମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଧାନକୁ ବିକ୍ରି କଲେ ସେମାନେ ବିଭିନ୍ନ କାର୍ଯ୍ୟରେ ଲଗାଇବେ ବୋଲି ଅନାଇ ବସିଥିବା ବେଳେ ତାହା ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁନି । ଯାହା ଫଳରେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଗତି କରୁଛନ୍ତି । ଏପଟେ ସୋସାଇଟି ସମ୍ପାଦକ ଓ ମିଲର୍ ମାନେ ବିଭିନ୍ନ ଆଳ ଦେଖାଇ ସେମାନଙ୍କର ଧାନ କିଣି ନାହାନ୍ତି । ଅଣ ଚାଷୀ ମାନଙ୍କର ଧାନ କିଣୁଥିଲେ ସୁଦ୍ଧା ଟାଗେଟ୍ ର ବାହାନା ଦେଖାଇ ପ୍ରକୃତ ଚାଷୀ ମାନଙ୍କର ଧାନ କିଣାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି । ଏହାସହ ସେମାନଙ୍କ ଅମଳ କରିଥିବା ଧାନ ଗୁଡ଼ିକୁ ନ କିଣା ଗଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି । ଜିଲ୍ଲାରେ ୧ଲକ୍ଷ ୩୯ହଜାର ୬୪୦ଜଣ ଚାଷୀ ପଞ୍ଜିକରଣ କରିଥିଲେ ସୁଦ୍ଧା ଆଜି ସୁଦ୍ଧା ୬୩ହଜାର ଚାଷୀଙ୍କର ଟୋକନ୍ ଥାଇ ଧାନ କିଣା ଯାଇନାହିଁ । ଫଳରେ ଧାନ ଖଳା ଓ ମଣ୍ଡିରେ ପଡ଼ି ରହି ମୁଷା, ଗାଈ ଗୋରୁ ଖାଇ ନଷ୍ଟ କରୁଛନ୍ତି । କେତେକ ଚାଷୀଙ୍କର ଟୋକନ୍ ଅବଧି ସରି ଯାଇଥିବା ବେଳେ କେତେକ ଚାଷୀଙ୍କ ଟୋକନ୍ ଆସିନାହିଁ । ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା ପାଇଁ ୮ଲକ୍ଷ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ମାତ୍ର ୩.୭ ଲକ୍ଷ ମେଟ୍ରିକ୍ ଟନ୍ ଟାର୍ଗେଟ୍ ଆସିଛି । ଅନ୍ୟୁନ ୨ଲକ୍ଷ ମେଟ୍ରିକ୍ ଟନ୍ ଏକା ଥରକେ ଟାର୍ଗେଟ୍ ଦେଲେ ଧାନ କିଣା ଠିକ୍ ସମୟରେ ହୋଇ ପାରିବ ବୋଲି ବହୁ ଚାଷୀ ନେତା ମାନେ ଦାବି କରିଛନ୍ତି । ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆବଶ୍ୟକୀୟ ଅନୁଯାୟୀ ଟାର୍ଗେଟ୍ ପ୍ରଦାନ କରିନଥିବାରୁ ବହୁ ଚାଷୀ ମାନେ ଏହାକୁ ନିନ୍ଦା କରିଥିଲେ । ଯେଉଁ ପର୍ଯ୍ୟନ୍ତ ସେମାନଙ୍କୁ ଧାନ କିଣିବା ନିମନ୍ତେ ଲିଖିତ ପ୍ରତିଶ୍ରୁତି ଦିଆଯାଇନାହିଁ ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀମାନେ କହିଥିଲେ । ଏହି ଆନ୍ଦୋଳନରେ ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀ, ଋଷିକୁଲ୍ୟା ରୟତ ମହାସଭାର ମୁଖ୍ୟ ଉପଦେଷ୍ଟା ପ୍ରଫୁଲ କୁମାର ସାମନ୍ତରାୟ, ସମ୍ପାଦକ ସିମାଂଚଳ ନାହାକ, ପ୍ରଶାନ୍ତ କୁମାର ସ୍ବାଇଁ, ନବ ନିର୍ମାଣ କୃଷକ ସଂଗଠନର ଇଜୁ ଆମିନ୍ ଖାନ୍‌, ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାସ, ଦୂର୍ଯ୍ୟୋଧନ ନାହାକ, ରାଜେନ୍ଦ୍ର ନାହାକ, ବିଜୟ ମୁଦୁଲି, ଆଇନଜୀବୀ ସୁମା ଦାସ, ସିପିଆଇ (ଏମ୍ ଏଲ୍‌) ରେଡ୍ ଷ୍ଟାର୍ ର ଶଙ୍କର ସାହୁ, ବିଜୟ ମୁଦୁଲି, ନିରଞ୍ଜନ ସ୍ୱାଇଁଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ୍ ର ଚାଷୀମାନେ ଯୋଗ ଦେଇଥିଲେ ।

One thought on “ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା…

  1. ଓଡ଼ିଶା ର ସେତେବେଳ ର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବିଶ୍ୱନାଥଦାଶଙ୍କ ତ୍ୟାଗ ଆଜି ଅଲୋଡା.. ଅଣନାତି ଆଲୋକ ପଣ୍ଡା ଙ୍କ କ୍ଷୋଭ ଓ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ..
    ବିଶ୍ୱନାଥ ଦାଶ ଙ୍କ ଜନ୍ମ୧୮୮୯ ମାର୍ଚ୍ଚ ୮ ତାରିଖ ରେ ଗଞ୍ଜାମ ଜିଲ୍ଲାର ପୋଲସରା ନିକଟବର୍ତ୍ତୀ ବେଲଗାଁ ଠାରେ।
    ତାଙ୍କ ପିତାଙ୍କ ନାମ – ଶ୍ରୀ ଯୁକ୍ତ ମଧୁସୁଦନ ଦାଶ, ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ ,କଲିକତା ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୨୧ ମସିହାରେ ଭାରତୀୟ ଜାତୀୟ ସଂଗଠନ କଂଗ୍ରେସରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଲୁକା ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶାର ସେବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ଥିବା ତାଙ୍କର। ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ମଧ୍ୟ ଥିଲେ।
    ବିଶ୍ୱନାଥ ଦାଶ ମାଡ୍ରାସ କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ୱାଧିନତା ସଂଗ୍ରାମରେରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ରୁ ୧୯୫୨ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ।ସେ ମଧ୍ୟ ଉତ୍ତର ପ୍ରଦେଶର ରାଜ୍ୟପାଳ (୧୯୬୨-୧୯୬୭) ଥିଲେ ।ସେ ଅନେକ ଥର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
    ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମାଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ରେ ଇହଲୀଳା ସମ୍ବରଣ କରିଥିଲେ ।
    ମାର୍ଚ୍ଚ ୮ ସ୍କୁଲ ଓ କଲେଜ ପଣ୍ଡିତ ବିଶ୍ଵନାଥ ଦାଶ ସ୍ନୁତି ଦିବସ ଭାରତ ସାରା ପାଳିତ କରିବାପାଇଁ ଅନୁରୋଧ ଜଣାଇଛନ୍ତି ଅଣ ନାତି ଆଲୋକ ପଣ୍ଡା।
    ବିଶ୍ଵନାଥ ଦାଶଙ୍କ ପ୍ରତି ମୃତ୍ତୀ ସ୍ଥାପନ ପାଇଁ ବାରଟି ଯାଗାରେ ସଙ୍କଳ୍ଫ କରାଯାଉ। ଭୁବନେଶ୍ୱର, ବ୍ରହ୍ମପୁର କଟକ, ପୁରୀ, ବାଲେଶ୍ୱର,
    ରାଉକେଲା, ସମ୍ବଲପୁର,କୋରାପୁଟ, ଝାସୁଗୁଡା, ବଲାଙ୍ଗୀର, ପାରାଦ୍ୱୀପ ବିଶ୍ଵନାଥ ଦାଶଙ୍କ ନାମରେ ବିଶ୍ଵନାଥ ଦାଶ ସେବାକେନ୍ଦ୍ର ଓଡିଶା ସବୁ ଜିଲ୍ଲାରେ ଖୋଲାଯାଉ । ତାଙ୍କ ନୀଜ ଜନ୍ମ ସ୍ଥାନ ବେଲଗାଁ ପୋଲସରା ଗଞାମ ରେ ତାଙ୍କର ପ୍ରତିମୃତ୍ତି କରିବା ପାଇଁ ରାଜ୍ଯ ସରକାର ଙ୍କୁ ଅନୁରୋଧ ମଧ୍ଯ କରିଛନ୍ତି।

Comments are closed.