ପଛୁଆବର୍ଗ ଜାତିଭିତ୍ତିକ ଜନଗଣନା କରିବାକୁ ଦାବି…

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ‘ଜନଗଣନା ୨୦୨୧’ରେ (ଓବିସି) ଅନ୍ୟାନ୍ୟ ପଛୁଆ ବର୍ଗ ସହ ଜାତି ଭିତ୍ତିକ ଜନଗଣନାକୁ ଅନ୍ତର୍ଭୁକ୍ତ କରାଯିବା ନିମନ୍ତେ ଶନିବାର ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପର୍ଶୁରାମ ଗୌଡ଼ଙ୍କ ନେତୃତ୍ୱରେ ସମାଜର କର୍ମକର୍ତ୍ତା ମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗୋପାଳ ଜାତି ସମଗ୍ର ବୃହତ୍ତମ ଜାତି ଯାହା ମୂଳତଃ ସମଗ୍ର ଭାରତବର୍ଷରେ ବହୁ ସଂଖ୍ୟାରେ ରହି ଅଛନ୍ତି । ଆଭ୍ୟନ୍ତରୀୟ ଗଣନା ଅନୁଯାୟୀ ସଂଖ୍ୟା ୨୨କୋଟି ଏବଂ ମଣ୍ଡଳ ଆୟୋଗ ଅନୁଯାୟୀ ଓ.ବି.ସି ସଂଖ୍ୟା ୫୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହାର କୌଣସି ପ୍ରମାଣ ଭିତ୍ତକ ତଥ୍ୟାବଳୀ ସରକାରୀ ଦପ୍ତରରେ ଆନୁଷ୍ଠାନିକ ଭାବେ ଉପଲବ୍ଧ ନାହିଁ । ୨୦୧୮ ମସିହାରେ ଗୃହମନ୍ତ୍ରୀ ଜାତିଭିତ୍ତିକ ଜନଗଣନା କରିବାକୁ ସଂସଦରେ ଘୋଷଣା କରିଥିଲେ । ଏପ୍ରିଲ ୨୦୨୧ରେ ପଛୁଆ ବର୍ଗ ପାଇଁ ଜାତୀୟ ଆୟୋଗମଧ୍ୟ କେନ୍ଦ୍ର ସରକାରଙ୍କୁ ଜନଗଣନାରେ ଓ.ବି.ସି ସମ୍ପ୍ରଦାୟ ଏବଂ ଜାତିଭିତ୍ତିକ ଜନ ଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଜୁଲାଇ ୨୦୨୧ରେ ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓ.ବି.ସିର ଜାତି ଭିତ୍ତିକ ଜନଗଣନା ନ କରିବାକୁ ଘୋଷଣା କରିଥିଲେ । ଯେଉଁଥି ପାଇଁ କେବଳ ଗୋପାଳ ଜାତି ନୁହେଁ, ବରଂ ସମଗ୍ର ଓ.ବି.ସି ସମାଜ ବିଶେଷ ଆଘାତପ୍ରାପ୍ତ ଏବଂ କ୍ରୋଧିତ ମଧ୍ୟ ହୋଇଛନ୍ତି । ତେଣୁ ଜନଗଣନା ୨୦୨୧ରେ ଜାତି ଭିତ୍ତିକ ଗଣନା ସହ ଓ.ବି.ସି ସମ୍ପ୍ରଦାୟର ଜନଗଣନା କରିବାକୁ ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ପକ୍ଷରୁ ଦାବୀ କରାଯାଇଛି ବୋଲି ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଉପସଭାପତି ପିତାମ୍ବର ଗୌଡ଼, ଗାଣ୍ଡୁଧର ଗୌଡ଼, ସନ୍ତୋଷ ଗୈାଡ, ଆଦିକନ୍ଦ ଗୌଡ଼, ରାମହରି ଗୌଡ଼, ଗଣେଶ ମହାଙ୍କୁଡ, ତ୍ରିନାଥ ଗୌଡ଼, ଲୋକନାଥ ଗୌଡ଼, ଗଣପତି ଗୌଡ଼, ଟୁନା ଗୈାଡ, ଜୁରିଆ ଗୌଡ଼, ବିଜୟ ଗୌଡ଼, ବୁଲୁ ଗୌଡ଼ ଓ ମନରଂଜନ ଗୌଡ଼ଙ୍କ ସମେତ ବହୁ ଗୋପାଳ ସମାଜର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା