ଭୁବନେଶ୍ୱର-ନୟାଗଡ ଟାଉନ ସେବା ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ :ରେଳ ପରିବହନ ଓ ଯାତ୍ରୀ ଯିବା ଆସିବା ହେଲା ସୁଗମ….

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଭୁବନେଶ୍ୱର-ନୟାଗଡ ଟାଉନ ସେବା ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରାଯାଇଛି । ରେଳ ଯାତ୍ରୀଙ୍କ ଯାତାୟାତ ପାଇଁ ଭୁବନେଶ୍ୱର ଠାରୁ ନୟାଗଡ଼ ଯିବା ଆସିବା ସୁଗମ ହୋଇଛି । ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ମୋଦିଙ୍କ ସ୍ୱତନ୍ତ୍ର ଆଭିମୁଖ୍ୟ ରହିଥିବା ବେଳେ ଲୋକଙ୍କ ଯାତାୟାତର ସୁବିଧା ପାଇଁ ଏଠାର ରେଳ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇ ଆସୁଛନ୍ତି । ପୂର୍ବରୁ ୧ ହଜାର କୋଟି ବଜେଟ୍ ପାଇଁ ଦାବୀ କରିବାକୁ ପଡୁଥିଲା, ଏବେ ମୋଦି ବାର୍ଷିକ ୬ ହଜାର କୋଟିରୁ ଉର୍ଦ୍ଧ ବ୍ୟୟ ବରାଦ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାରେ ରେଳର ବିକାଶକୁ ସର୍ବଦା ପ୍ରଧାନ୍ୟ ଦେଇ ଆସୁଛନ୍ତି । ରାଜଧାନୀ ଭୁବନେଶ୍ୱର ଓ ପୁରୁଣା ଗଡଜାତ ନୟାଗଡ ମଧ୍ୟରେ ରେଳ ଯୋଗାଯୋଗ ଓ ଯାତ୍ରୀ ଯିବା ଆସିବାକୁ ସୁଗମ କରିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଭାର ନେବା ପରେ ଓଡିଶା ଭଳି ରାଜ୍ୟକୁ ଅଧିକ ପ୍ରଧାନ୍ୟ ଦିଆଯାଇଛି । ବିଗତ ଦିନ ମାନଙ୍କରେ ଓଡିଶାର ବିକାଶ ପାଇଁ ରେଳ ବିଭାଗ ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି । ଏହି ରେଳ ସଂଯୋଗ ଓଡିଶାର ସାଧାରଣ ଲୋକ ତଥା ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଏବଂ ବୋଲଗଡର ଯାତ୍ରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ ବୋଲି କହିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର ଓ ଫୋଟୋ ନିମାଇଁ ଚରଣ ପଣ୍ଡା